ଧାମନଗର ବିଜ୍ଞାପିତ ଅଂଚଳରେ ଠିପି ଖୋଲା ମଦ ଦୋକାନ ନ ଖୋଲିବା ନେଇ ଜିଲ୍ଲାପାଳଙ୍କୁ ପତ୍ର,ଆନ୍ଦୋଳନ ଚେତାବନୀ

Spread the love

ଭଦ୍ରକ, 16/10 (ସନ୍ଧାନ ନ୍ୟୁଜ୍) :-  ଏହି ଜିଲ୍ଲାର ଧାମନଗର ବିଜ୍ଞାପିତ ଅଂଚଳରେ ସରକାରଙ୍କ ପକ୍ଷରୁ ପ୍ରସ୍ତାବିତ ଏକ ନୂତନ ଠିପିଖୋଲା ମଦ ଦୋକାନ ଖୋଲିବା ବିରୁଦ୍ଧରେ ଆଜି ସ୍ଥାନୀୟ ଅଞ୍ଚଳର ବିଭିନ୍ନ ବର୍ଗର ବହୁ ବ୍ୟକ୍ତି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହ ଆନ୍ଦୋଳନ ଚେତାବନୀ ଦେଇଛନ୍ତି।ଏହି ବ୍ୟକ୍ତିମାନଙ୍କ ଅଭିଯୋଗ ପତ୍ରରୁ ଯାହା ଜଣାଯାଏ ସ୍ଥାନୀୟ ଜନସାଧାରଣଙ୍କ ଦୀର୍ଘ ଦିନର ଦାବିକୁ ସମ୍ମାନ ଜଣାଇ ସରକାର ବିଜ୍ଞାପିତ ଅଂଚଳର ମାନ୍ୟତା ଦେଲେ।ମାତ୍ର ନବଗଠିତ ବିଜ୍ଞାପିତ ଅଂଚଳ ପରିଷଦରେ ଅଦ୍ୟାବଧି ନିର୍ବାଚିତ ବୋର୍ଡ ଗଠନ ନ ହୋଇ ସରକାରୀ ସ୍ତରରେ କିଛି ବିକାଶ ମୂଳକ କାର୍ଯ୍ୟ ହାତକୁ ନିଆଯାଇଛି।ମାତ୍ର ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଲୋକେ ଏବେ ଜାଣିବାକୁ ପାଇଛନ୍ତି ଯେ,ଏହି ବିଜ୍ଞାପିତ ଅଂଚଳର ର’ପିତା ଠାରେ ଉକ୍ତ ମଦ ଦୋକାନ କହିବା ନେଇ କିଛି ବ୍ୟକ୍ତି ବିଶେଷ ଏକ ଜମିକୁ ଲିଜ ସୂତ୍ରେ ନେଇ ଦରଖାସ୍ତ ଆହ୍ୱାନ କରିଛନ୍ତି।ଯାହା ଧାମନଗର ଭଳି ଏକ ସଂଗ୍ରାମୀ ଭୂମିର ସ୍ୱାଭିମାନୀ ଜନତାଙ୍କ ପାଇଁ ସରକାରଙ୍କର ଉପହାସ ମନେହୁଏ।ଉକ୍ତ ପ୍ରସ୍ତାବିତ ସ୍ଥାନଟି ଧାମନଗର-ଚୁଡାକୁଟି ପିଡବ୍ଲ୍ୟୁ ରାସ୍ତାର ଐତିହାସିକ ପୋଖରୀ ରା’ପିତା ନିକଟବର୍ତ୍ତୀ ଅଟେ।ଏହାର ଦୁଇଶହ ମିଟର ଦୂରରେ ଏକ ଗୁରୁକୂଳ ଶିକ୍ଷାଶ୍ରମ ରହିଛି।ଶହେ ମିଟର ଦୂରରେ ହିନ୍ଦୁଧର୍ମାବଲମ୍ବୀ ଲୋକଙ୍କର ଏକ ଗୋଡିୟ ମଠ ଓ ମନ୍ଦିର ମଧ୍ୟ ଅଛି।ଏତଦବ୍ୟତୀତ ଏହି ସ୍ଥାନଟି ଜନବସତି ପାଇଁ ଉପଯୁକ୍ତ ହୋଇଥିବାରୁ ଅନେକ ଲୋକ ଏଠାରେ ଜମି କିଣି ଗୃହ ନିର୍ମାଣ କରିଛନ୍ତି।ଅନୁରୂପ ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ଏଠାରେ ବର୍ଜ୍ୟବସ୍ତୁ ପାଇଁ ଏକ ପ୍ଲାଣ୍ଟ ସହ ଧାମନଗରକୁ ୨୪ ଘଣ୍ଟିଆ ବିଦ୍ୟୁତ ସେବା ଯୋଗାଇଦେବା ଲକ୍ଷ୍ୟରେ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ଇଲେକ୍ଟ୍ରି ଷ୍ଟ୍ରକଚରର ମଧ୍ୟ ନିର୍ମାଣ ସରିଛି।ଏଥିସହ ଏହି ରାସ୍ତାଟି ଭଦ୍ରକ ଯିବା କ୍ଷେତ୍ରରେ କମ ଦୂରତା ସମ୍ପନ୍ନ ଥାଇ ଦୁର୍ଘଟଣା ପ୍ରବଣ ୧୬ ନମ୍ବର ଜାତୀୟ ରାଜପଥଠାରୁ ଅଧିକ ସୁରକ୍ଷିତ ଅଟେ।ଏହି ରାସ୍ତା ଦେଇ ସ୍ଥାନୀୟ ୫/୬ଟି ପଂଚାୟତର ଛାତ୍ର / ଛାତ୍ରୀ ଧାମନଗର କଲେଜ ଯିବାକୁ ଶ୍ରେୟ ମଣିଥାନ୍ତି।ଏଣୁ ଉକ୍ତ ମଦ ଦୋକାନଟି ଏଠାରେ ଖୋଲାଗଲେ ନିଶ୍ଚିତଭାବେ ଅସାମାଜିକଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାର ଆଶଙ୍କା ଥିବାରୁ ସରକାର ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ବ୍ୟକ୍ତିଗତ ସ୍ୱାର୍ଥକୁ ଗୁରୁତ୍ୱ ନ ଦେଇ ସମୂହ ସ୍ୱାର୍ଥ ପ୍ରତି ସମ୍ବେଦନଶୀଳ ହେଲେ ସମଗ୍ର ଅଂଚଳର ସ୍ୱାଭିମାନ ରକ୍ଷା ହେବ।ଏହି କାରଣରୁ ଉକ୍ତ ସ୍ଥାନରେ ମଦ ଦୋକାନଟିର ଖୋଲାଯିବା ପ୍ରସ୍ତାବ ରଦ୍ଦ ନହେଲେ ବ୍ୟାପକ ଜନଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ଆବେଦନକାରୀମାନେ ଗଣମାଧ୍ୟମ ଜରିଆରେ ଚେତାବନୀ ଦେଇଛନ୍ତି।Report- Prasanta Barik

Related Posts

About The Author

Add Comment