ଜେନାପୁର/୨୮/୧୨(ସନ୍ଧାନ ନ୍ୟୁଜ୍): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନର ଯୋଜନା ସ୍ୱଚ୍ଛ ଭାରତ ମିଶନ ଜରିଆରେ ପ୍ରତ୍ୟେକ ପରିବାର ସରକାରୀ ଅନୁଦାନରେ ନିଜ ନିଜର ଶୌଚାଳୟ ନିର୍ମାଣ କରି ଖୋଲାରେ ମଳତ୍ୟାଗ ନ କରିବା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ କେତେକ ଅସାଧୁ ଅଧିକାରୀଙ୍କ ଖାମଖିଆଲ ମନୋବୃତ୍ତି ପାଇଁ ଏହି ଯୋଜନା ବାଟବଣା ହୋଇଛି। ଜିଲ୍ଲାର ପ୍ରାୟ ପ୍ରତ୍ୟେକ ବ୍ଳକରେ ଏହି ଯୋଜନାରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଥିବା ଜଣାପଡ଼ିଛି। ଵିଶେଷ କରି ଧର୍ମଶାଳା ବ୍ଲକରେ ଏହି ଯୋଜନାରେ ହୋଇଥିବା ଦୁର୍ନୀତି ସୀମା ପାର କରିଛି। ସରକାର କା ମାଲ ଦରିଆ ମେ ଡାଲ ନୀତିରେ ଏହି ଯୋଜନା ପାଇଁ ଉଦ୍ଦିଷ୍ଟ ଅର୍ଥକୁ ବିଭାଗୀୟ ଅଧିକାରୀ ଅତି ଖାମ ଖିଆଲ ଭାବେ ଖର୍ଚ୍ଚ କରି ଦେଇଥିବା ଜଣାପଡିଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ଧର୍ମଶାଳା ବ୍ଲକରେ ସମ୍ପୂର୍ଣ୍ଣ ୪୭୭୬୫ ଟି ପରିବାର ବସବାସ କରୁଛନ୍ତି। ୨୦୧୪ ମସିହାରୁ ଆଜି ପର୍ଯ୍ୟନ୍ତ ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ୧୬୬୮୫ ଟି ପରିବାର ପାଇଖାନା ନିର୍ମାଣ କରିଥିବା ଜଣାପଡ଼ିଛି। ତେବେ ଅବଶିଷ୍ଟ ୩୧୦୮୦ ଟି ପରିବାର ଆଦୌ ପାଇଖାନା ନିର୍ମାଣ କରି ନ ଥିବା ଜଣାପଡ଼ିଛି। ବିସ୍ମୟକର କଥା ହେଉଛି ୨୦୨୧ ତରବରିଆ ଭାବେ ଏହି ବ୍ଲକକୁ ଅଧିକାରୀ ମାନେ ଓଡ଼ିଏଫ (ଓପନ ଡେଫିକେସନ ଫ୍ରି) ଘୋଷଣା କରିଦେଇ ନିଜ ଦାଇତ୍ୱ ସାରି ଦେଇଛନ୍ତି। ଅବଶିଷ୍ଟ ପରିବାର ଗୁଡ଼ିକର ପାଇଖାନା ନିର୍ମାଣ ପାଇଁ ଅଦ୍ୟାବଧି ଗୁରୁତ୍ୱ ଦିଆ ଯାଉ ନାହିଁ। ବ୍ଲକରେ ବସବାସ କରୁଥିବା ୩ ଭାଗ ପରିବାର ମଧ୍ୟରୁ ମାତ୍ର ଏକ ଭାଗ ପାଇଖାନା ନିର୍ମାଣ କରିଥିବା ବେଳେ ୩ ଭାଗ ଲୋକ ପାଇଖାନା ନିର୍ମାଣ କରି ନ ଥିବା ସ୍ପଷ୍ଟ ହୋଇଛି। ଏଭଳି ପରିସ୍ଥିତିରେ ଏହି ବ୍ଲକକୁ କିପରି ଓଡ଼ିଏଫ ଘୋଷଣା କରାଗଲା ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ସେହିପରି ସ୍ୱଚ୍ଛ ଭାରତ ମିଶନ ଯୋଜନା- ୨ ଅଧୀନରେ ଅଦ୍ୟାବଧି ବ୍ଲକର କୌଣସି ଗୋଟିଏ ବି ପରିବାରକୁ ଆବର୍ଜନା କୁଣ୍ଡ ଯୋଗାଇ ଦିଆ ଯାଇ ନାହିଁ ବୋଲି ମିଳିଥିବା ତଥ୍ୟରୁ ଜଣାପଡିଛି। ବ୍ଲକର ୫୪ ଟି ପଞ୍ଚାୟତ ମଧ୍ୟରୁ ମାତ୍ର ୨୯ ଟି ପଞ୍ଚାୟତରେ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ନିର୍ମାଣ କରାଯାଇଛି। ଅଦ୍ୟାବଧି ଅବଶିଷ୍ଟ ୨୫ ଗୋଟି ପଞ୍ଚାୟତରେ ଏହି କେନ୍ଦ୍ର ନିର୍ମାଣ କରାଯାଇ ପାରି ନାହିଁ। ୪୫ ଗୋଟି ପଞ୍ଚାୟତକୁ ଆବର୍ଜନା ଉଠାଇବା ପାଇଁ ଇ-ରିକ୍ସା ଯୋଗାଇ ଦିଆଯାଇଛି ବୋଲି ତଥ୍ୟ କହୁଛି। ତେବେ ଏଠି ପ୍ରଶ୍ନ ଉଠୁଛି ଇ-ରିକ୍ସା ଚଳାଇବା ଓ ଆବର୍ଜନା ସଂଗ୍ରହ କରିବା ପାଇଁ ଏଜେନ୍ସି ନିଯୁକ୍ତି ନକରି ଏଗୁଡ଼ିକ ଯୋଗାଇ ସରକାରୀ ପଇସାର ଅପବ୍ୟୟ କାହିଁକି କରାଯାଇଛି ବୋଲି ସାଧର8ପ୍ରଶ୍ନ ଉଠିଛି। ଏଥିରୁ ସ୍ପଷ୍ଟ ଜଣାପଡୁଛି ବ୍ଲକ ଅଧିକାରୀ ସରକାରୀ ପଇସାରେ ଇ-ରିକ୍ସା କିଣି ଦେଇ ପଞ୍ଚାୟତର କିଛି ପ୍ରଭାବଶାଳୀ ଲୋକଙ୍କୁ ସେଗୁଡ଼ିକୁ ବାଣ୍ଟି ଦେଇଛନ୍ତି। ଆବର୍ଜନା କୁଣ୍ଡ ଯୋଗାଇ ନ ଦେଇ ଆବର୍ଜନା ଉଠାଇବା ପାଇଁ ଇ-ରିକ୍ସା କାହିଁକି କିଣାଯାଇଛି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ସାହୁ କହିଛି ନା ପାଚିଲା ଧାନରେ ମହି ଦେଉଛି ନ୍ୟାୟରେ ବ୍ଲକ ଅଧିକାରୀ ଇ-ରିକ୍ସା ଗୁଡ଼ିଏ କିଣି ଦେଇ ସରକାରଙ୍କୁ ଏହି ଯୋଜନାର ଖର୍ଚ୍ଚ ଦେଖାଇ ସନ୍ତୁଷ୍ଟ କରି ଦେଇଛନ୍ତି। ଆବର୍ଜନା କୁଣ୍ଡରୁ ଅଳିଆ ସଂଗ୍ରହ କରାଯାଇ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରରେ ପୃଥକୀକରଣ ଓ ପ୍ରକ୍ରିୟାକରଣ କରି ସମାଜକୁ ସୁସ୍ଥ ଓ ସ୍ୱଚ୍ଛ ରଖିବା ପାଇଁ ଏହି ମହତ୍ତ୍ଵାକାଂକ୍ଷୀ ଯୋଜନା ମାତ୍ର ଧର୍ମଶାଳାରେ କିଛି ମୁଷ୍ଟିମେୟ ଅସାଧୁ, ଅପାରଗ ଓ ଦଇତ୍ୱହୀନ ଅଧିକାରୀଙ୍କ ପାଇଁ ଏହି ଯୋଜନାଟି ସମ୍ପୂର୍ଣ୍ଣ ଦିଗହରା ହୋଇ ପଡ଼ିଛି। ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଏହି ଯୋଜନାରେ ହୋଇଥିବା ବ୍ୟାପକ ଅନିୟମିତତା ର ପର୍ଦାଫାସ ହୋଇପାରିବ ବୋଲି ସାଧାରଣରେ ଦାବି ଜୋର ଧରିଛି।
ଧର୍ମଶାଳା ବ୍ଲକରେ ସ୍ୱଚ୍ଛ ଭାରତ ଯୋଜନାର ବିକଳ ଚିତ୍ର ଶୌଚାଳୟ ତିଆରି ନକରି ଓଡିଏଫ ଘୋଷଣା।
|
December 28, 2024 |