ଦେଶୀ ମଦ ଚାଲାଣରେ ମୋହରା ବନୁଛନ୍ତି ବେକାର ଯୁବକ, ଅବକାରୀ ଦୃଷ୍ଟିପଡୁ?

Spread the love

ରାଉରକେଲା, ୨୫/୦୮/୨୦ (ସନ୍ଧାନ ନିଉଜ) : କରୋନା ମହାମାରୀରୁ ଏଯାଏ ନିସ୍ତାର ମିଳି ପାରିନି । କେଉଁ ଅଂଚଳ କଟେଂନମେଂଟ ହେଉଛି ତ ପୁଣି କେଉଁଠି ସଟଡାଉନ ଭଳି ସ୍ଥିତି ଦେଖିବାକୁ ମିଳୁଛି ।  ଚଳିତ ମାସ ଅଗଷ୍ଟ ମାସରୁ ଆରମ୍ଭ ହୋଇଥିବା ସପ୍ତାହନ୍ତ ଶନିବାର ଓ ରବିବାର ସଟଡାଉନ କାହାପାଇଁ ସର୍ବନାଶ ତ ପୁଣି କାହାଲାଗି ପୁଷମାସ ସଦୃଶ ହୋଇଛି । ସଟଡାଉନରେ ଗୋଟିଏ ପଟେ ପୁଲିସ ଅମାନିଆ ମାନଙ୍କୁ ତାଗିଦ ଲାଗି ଛକରେ ପଇଁତରା ମାରୁଥିବା ବେଳେ, ଗଳାବାଟ ଦେଇ ଅସାଧୁ ଦେଶୀ ମଦ ବେପାରୀ ମାନେ ଶହଶହ ଲିଟର ଦେଶୀମଦ ଚୋରାରେ ଚାଲାଣ କରୁଥିବା ଭଳି ଏକ ଚାଂଚଲ୍ୟକର ତଥ୍ୟ ସାମନାକୁ ଆସିଛି!
ରାଜ୍ୟ ସରକାରଙ୍କୁ ବିପୁଳ ରାଜସ୍ୱ ଯୋଗାଉଥିବା ବିଦେଶୀ ମଦ ଦୋକାନ ଗୁଡ଼ିକ  କିଛି ମାସ ପୂର୍ବରୁ ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ଖୋଲି ସାରିଛି । ସଟଡାଉନ ସମୟରେ ବିଦେଶୀ ମଦ ଦୋକାନ ଗୁଡ଼ିକ ବନ୍ଦ ରହୁଥିବା ଯୋଗୁ, ଏହାର ଭରପୁର ଫାଇଦା ଉଠାଉଛନ୍ତି ଦେଶୀ ମଦ ବେପାରୀ । ବେକାର ଯୁବକ ମାନଙ୍କୁ ଢାଳ କରି ଏଭଳି ବ୍ୟକ୍ତି ମାନେ ନିଜ କାରବାରକୁ ଚଳାଉଥିବା ଅଭିଯୋଗ ହୋଇଛି । ସଟଉାଉନ ସମୟରେ ରାଉରକେଲା ସମେତ ଦକ୍ଷିଣ ରାଉରକେଲାର କିଛି ବସ୍ତି ଅଂଚଳକୁ ଚୋରାରେ ଦେଶୀ ମଦ ଚାଲାଣ ହେଉଥିବା ଅଭିଯୋଗ ହୋଇଛି । ଦେଶୀ ମହୁଲି ମଦ ଚାଲାଣରେ ସ୍ଥାନୀୟ ବେକାର ଯୁବକ ମାନଙ୍କୁ ନିୟୋଜିତ କରାଯାଉଥିବା ଜଣାପଡ଼ିଛି । ଏହି ଯୁବକ ମାନଙ୍କ ବୟସ ସାଧାରଣତଃ ୨୦ରୁ ୨୫ ବର୍ଷ ମଧ୍ୟରେ ରହିଥିବା ବେଳେ, ଅର୍ଥ କମାଇବା ଆଶାରେ ଦେଶୀ ମଦ ଚାଲାଣ କରୁଛନ୍ତି ଏପରି ଯୁବକ ମାନେ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ତାଲା ବନ୍ଦ ଫଳରେ କାମଧନ୍ଦା ବନ୍ଦ ହୋଇଯିବା କାରଣରୁ ଯୁବକ ମାନେ ଅର୍ଥ କମାଇବା ଲାଳସାରେ ଏପରି ରାସ୍ତାକୁ ଆପାଣାଇକୁ ଏକ ପ୍ରକାର ବାଧ୍ୟ ହୋଇଛନ୍ତି ! ଦକ୍ଷିଣ ରାଉରକେଲା ସମେତ ସାରନଗରୀରେ ଥିବା କିଛି ସହରତଳି ବସ୍ତି ଅଂଚଳ ଓ ଗ୍ରାମାଂଚଳର ଜଙ୍ଗଲ ନିକଟବର୍ତୀ ଗ୍ରାମ ଗୁଡ଼ିକୁ ବେକାର ଯୁବକ ମାନଙ୍କୁ ମୋହରା ବନାଯାଇ  ବ୍ୟାଗ  ଓ ସ୍କୁଟି ମାଧ୍ୟମରେ ଦେଶୀ ମଦ ଚାଲାଣ କରୁଥିବା ଅଭିଯୋଗ ହୋଇଛି ।  ଦକ୍ଷିଣ ରାଉରକେଲାରେ ଭୋର ଏବଂ ବିଳମ୍ବିତ ରାତ୍ରୀ ସମୟରେ  ଦେଶୀ ମଦ ଚାଲାଣ ପୁଲିସ ଅଗୋଚରରେ ଖୁବ ସତର୍କତା କରାଯାଉଥିବା ବେଳେ, ଏହାର ଟେର୍ ଅବକାରୀ ବିଭାଗ ଓ ପୁଲିସ  କିଭଳି ଭାବେ ପାଇ ପାରୁ ନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସମୟ ସମୟରେ ନାବାଳକ ମାନେ ମଧ୍ୟ ଦେଶୀ ମଦ ଚାଲାଣରେ ନିୟୋଜିତ ହେଉଛନ୍ତି ଯାହାକି ନିହାତି ଭାବେ ଦୁର୍ଭାଗ୍ୟଜନକ! ଅବକାରୀ ଚଢଉ ଭୟରେ ଦେଶୀ ମଦ ମାଫିଆ ମାନେ ଘରେ ମଦ ଗଚ୍ଛିତ ନରଖି ଘର ଠାରୁ କିଛି ଦୂରରେ ଥିବା ବଣବୁଦା ମଧ୍ୟରେ ଦେଶୀ ମଦଭରା ବୋତଲ ଲୁଚାଇ ରଖି ଗ୍ରାହକ ଅନ୍ୱେଷଣରେ ରହୁଥିବା ଅନୁସନ୍ଧାନରୁ ଜଣାପଡ଼ିଛି । ପ୍ରକାଶ ଥାଉକି, ଦକ୍ଷିଣ ରାଉରକେଲା ଅଂଚଳରେ ବହୁବାର ଅଂଚଳର କିଛି ସଙ୍ଗଠନ ପକ୍ଷରୁ ଦେଶୀ ମଦ ବିକ୍ରି ବନ୍ଦ କରିବା ଲାଗି ଦାବି, ଆନ୍ଦୋଳନ ହୋଇ ଆସୁଥିଲେ ମଧ୍ୟ ସ୍ଥିତି ଯଥା ପୂର୍ବଂ ତଥା ପର ରହିଛି । ଅବକାରୀ ବିଭାଗର ଉଚ୍ଚ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ଜୋର ଧରିଛି ।

Related Posts

About The Author

Add Comment