ଦେଶୀ ବନ୍ଧୁକ କାରଖାନା ଠାବ : ୪ ବନ୍ଧୁକ ଜବତ, ଜଣେ ଗିରଫ

Spread the love
କନ୍ଧମାଳ, ତା, ୦୪/୧୨/୨୫: (ସନ୍ଧାନ ନ୍ୟୁଜ):  କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଥାନା କଟ୍ରିଙ୍ଗିଆ ପଞ୍ଚାୟତର ପାଙ୍ଗାପାଜୁ ଗ୍ରାମରେ ଏକ ଦେଶୀ ବନ୍ଧୁକ କାରଖାନା ଠାବ କରିଛି ପୁଲିସ। ଘଟଣା ସ୍ଥଳରୁ ୩ଟି ଦେଶୀ ବନ୍ଧୁକ ଏବଂ ଗୋଟିଏ ପିସ୍ତଲ ସହିତ ନିର୍ମାଣ ପାଇଁ ବ୍ୟବହୃତ ସରଞ୍ଜାମ ମଧ୍ୟ ଜବତ କରାଯାଇଛି। ଏହି ମାମଲାରେ କଟ୍ରିଙ୍ଗିଆ ପଞ୍ଚାୟତ ପାଙ୍ଗାପାଜୁ ଗ୍ରାମର ବାଞ୍ଛାନିଧି ବିନ୍ଧାଣୀଙ୍କୁ ପୁଲିସ ଗିରଫ କରିଛି। ସୂଚନା ଅନୁଯାୟୀ, ବୁଧବାର ସକାଳେ ପୁଲିସ ପାଟ୍ରୋଲିଂ ଚାଲିଥିବା ବେଳେ ଏହି ଅଞ୍ଚଳରେ ଏକ ଦେଶୀ ବନ୍ଧୁକ ତିଆରି କାରଖାନା ଥିବା ନେଇ ପୁଲିସକୁ ବିଶ୍ଵସ୍ତ ସୂତ୍ରରୁ ଖବର ମିଳିଥିଲା। ସୂଚନା ଆଧାରରେ ଏସ ଆଇ ଅନନ୍ତ କୁମାର ପ୍ରଧାନଙ୍କ ନେତୃତ୍ୱରେ ବାଞ୍ଛାନିଧିଙ୍କ ଘରେ ଚଢାଉ କରାଯାଇଥିଲା। ଘର ଭିତରେ ଦେଶୀ ବନ୍ଧୁକ ତିଆରି ଚାଲିଥିବା ପୁଲିସ ଦେଖିବାକୁ ପାଇଥିଲା। ଘଟଣା ସ୍ଥଳରୁ ବନ୍ଧୁକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯିବା ସହ ବାଞ୍ଛାନିଧିଙ୍କୁ ଗିରଫ କରିଛି। ସେ ଅନେକ ଦିନ ଧରି ଏଭଳି ବନ୍ଧୁକ ତିଆରି କରି ନିକଟସ୍ଥ ଅଞ୍ଚଳରେ ବିକ୍ରି କରୁଥିବା ପୁଲିସ ଜାଣିବାକୁ ପାଇଛି। ଏହି ବନ୍ଧୁକ ସାଧାରଣତଃ ଶିକାର ପାଇଁ ବ୍ୟବହାର କରାଯାଉଥିବା କହିଛି ପୁଲିସ । ଅପରପକ୍ଷେ, ବାଞ୍ଛାନିଧିଙ୍କ ନାମରେ ପୂର୍ବରୁ ମଧ୍ୟ ଗୋଚ୍ଛାପଡା ଥାନାରେ ଏଭଳି ଏକ ମାମଲା ରହିଥିବା ବିଷୟ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି କନ୍ଧମାଳ ଏସପି ହରିଶ ବିସି। ଏ ନେଇ ଏକ ମାମଲା ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଚାଲିଥିବା ସଦର ଏସଡିପିଓ ଶୁଭ୍ରଜିତ ବିଶ୍ବାଳ ସୂଚନା ଦେଇଛନ୍ତି।

Related Posts

About The Author

Add Comment