ଯାଜପୁର-୮/୭((ସନ୍ଧାନ ନୁ୍ୟଜ୍/ମାନସ କୁମାର ରାଉତ) ) ୨୦୧୭ ପଂଚାୟତ ନିର୍ବାଚନରେ ବଦଳି ଯାଇଥିବା ବରୀ ରାଜନୀତି ୨୦୧୮ ମଧ୍ୟଭାଗ ବେଳକୁ ପୁନର୍ବାର ବଦଳି ଯାଇଥିବା ପରିଲକ୍ଷିତ ହୋଇଛି। ଯାହା ବରୀରେ ଗତ ପଂଚାୟତ ନିର୍ବାଚନ ପରେ ଦବଦବା ସୃଷ୍ଟି କରିଥିବା ବିଜେପିର ଚିନ୍ତାକୁ ବହୁ ମାତ୍ରାରେ ବଢାଇ ଦେଇଛି। ୨୦୧୭ ପଂଚାୟତ ନିର୍ବାଚନରେ ବିଜେଡିକୁ ଧୁଳି ଚଟାଇ ସ୍ୱାଧିନ ସଂଗଠନ ବରୀ ପଂଚାୟତ ସମିତିକୁ ଦଖଲ କରିଥିଲା। ଏହା ପରେ ସ୍ୱାଧିନ ସଂଗଠନ ଜିଲାରେ ବିଜେପିର ମହାମିଶ୍ରଣ ପର୍ବରେ ସାମିଲ ହୋଇ ବିଜେପିରେ ବିଲୟ ହୋଇଥିଲା। ବସ୍ତୁତ ଶୁଭ୍ର ସ୍ୱାଧିନ ସଂଗଠନ ସତା ହରାଇ ବିଜେପିର ଗେରୁଆ ରଂଗରେ ରଙ୍ଗାୟିତ ହୋଇଥିଲା। ଏହି ଘଟଣା କ୍ରମ ପରେ ଦୀର୍ଘ ୧୮ ବର୍ଷ ହେଲା ବିଜେଡିର ସବୁଜ ଗଡରେ ଗେରୁଆ ପତାକା ଫରଫର ହୋଇ ଉଡିବା ଆରମ୍ଭ କରିଥିଲା। ପଂଚାୟତ ସମିତି ଗଠନ ପରେ ବରୀ ରାଜନୀତି ଓଲଟପାଲଟ ହେବା ସହିତ ୨୦୧୯ ନିର୍ବାଚନରେ ଏହି ଦଳ ବିପୁଳ ସଫଳତା ପାଇବାର ଆଶାବାନ୍ଧି ଆଗକୁ ଯାଉଥିଲା। ଜିଲା ସହିତ ବରୀରେ ବିଜେପି ସଂଗଠନ ଆଗକୁ ବଢୁଥିଲାବେଳେ ଦଳୀୟ ବିବାଦ ଦଳ ମଧ୍ୟରେ ଅବିଶ୍ୱାସର ବାତାବରଣ ସୃଷ୍ଟି କରିଥିଲା। ଜିଲାରେ ବିଜେପି ଏହି ଦଳୀୟ ବିବାଦ ଯୋଗୁ ଦୁର୍ବଳ ହୋଇଥିଲାବେଳେ ବରୀରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହୋଇଥିଲା। ଜିଲା ବିଜେପିରେ ଦେଖାଦେଇଥିବା ନୂଆ ପୁରୁଣା ବିବାଦର ଅନ୍ୟତମ ସୁତ୍ରଧର ବରୀ ନିର୍ବାଚନ ମଣ୍ଡଳୀର ହୋଇଥିବାରୁ ବରୀ ବିଜେପି ସଂଗଠନ ଉପରେ ଏହାର ବିଶେଷ ପ୍ରଭାବ ପଡିଥିଲା। ଏହାକୁ ନେଇ କିଛି ବରିଷ୍ଠ ଓ ଯୁବ ବିଜେପି ନେତା ଓ କର୍ମୀ ଅଣନିଶ୍ୱାସୀ ହୋଇ ପଡିଥିଲେ। ଦଳ ଦୁର୍ବଳ ହେଉଥିଲାବେଳେ ଏହି ସମୟରେ ନୀରବ ବସିଥିବା ଦେବାଶିଷ ତାଙ୍କ ରାଜନୈତି ଗୋଟି ଚାଳନା କରିବା ଆରମ୍ଭ କରିଥିଲେ। ବିଜେପିକୁ ଅଧିକ ଦୁର୍ବଳ କରିବାକୁ ଗୋଟି ଚାଳନା କରି ନିଜ ଗୋଟି ଚାଳନାର ପ୍ରଥମ ଶିକାର କରିଥିଲେ ଦେବାଶିଷ। ଛୋଟ ମାଛକୁ ଛାଡି ବଡ ମାଛ ଶିକାର କରିବାକୁ ଯାଇ ୨୦୧୭ ନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହୋଇଥିବା ବରିଷ୍ଠ ରାଜନେତା ନିଳମଣୀ ସାମଲଙ୍କୁ ବିଜେଡିରେ ସାମିଲ କରିଥିଲେ। ନିଳମଣୀଙ୍କୁ ନବୀନ ନିବାସ ନେଇ ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିର ଶଂଖ ଫୁଙ୍କାଇବାରେ ସଫଳ ହୋଇଥିଲେ ଦେବାଶିଷ। ଯାହା କେବଳ ବରୀ ନୁହେଁ ଜିଲା ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏହା ପରେ ବିଭିନ୍ନ ପଂଚାୟତରୁ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ସହିତ ବିଜେପି ନେତା ଓ କର୍ମୀଙ୍କୁ ବିଜେଡିରେ ସାମିଲ କରିବାର ପ୍ରକ୍ରିୟାକୁ ବଳବତର ରଖିଛନ୍ତି ଦେବାଶିଷ। ଯାହା ବିଜେପିକୁ ବେଶ ଚିନ୍ତାରେ ପକାଇଛି। ଏହା ସହିତ ବିଭିନ୍ନ ସମୟରେ ଦେବାଶିଷ ବଡବଡ ଦଳୀୟ ସଭାମାନ କରି ବିଜେଡି କର୍ମୀଙ୍କୁ ବାନ୍ଧିରଖିବାର ଭରପୁର ପ୍ରୟାସ କରିଛନ୍ତି। ଏହି ଭଳି ଏକ ସମୟରେ ବରୀରେ ମୃତବତ ଥିବା କଂଗ୍ରେସରେ ପ୍ରାଣ ସଂଚାର ହୋଇଥିବା ଦେଖିବାକୁ ମିଳିଛି। ବରୀର ନୂତନ ନେତା ଭାବେ ରତ୍ନଗିରିର ପ୍ରାକ୍ତନ ସମିତିସଭ୍ୟ ତଥା ବରୀ ବ୍ଲକ ଯୁବ କଂଗ୍ରେସର ପ୍ରାକ୍ତନ ସଭାପତି ଉମେଶ ଜେନା ନିଜ ରାଜନୈତିକ ଗତିବିଧିକୁ ବେଶ ଶାଣିତ କରିଛନ୍ତି।
ସବୁ ବର୍ଗକୁ ଏକତ୍ରିତ କରି କଂଗ୍ରେସ ସଂଗଠନକୁ ଆଗକୁ ବଢାଇବାର ବ୍ୟାପକ ପ୍ରୟାସ କରି ଉମେଶ କଂଗ୍ରେସ ଶିବିରରେ ଆଶାର ସଂଚାର କରିବାରେ ସଫଳ ହେବା ସହିତ ବହୁ ପୁରାତନ କଂଗ୍ରେସ ନେତାଙ୍କୁ ମନାଇବାରେ ସଫଳ ହୋଇଛନ୍ତି। ଗତ ସାଧାରଣ ନିର୍ବାଚନରେ ଶୋଚନୀୟ ଭାବେ ପରାଜିତ ହୋଇ ଚତୁର୍ଥ ସ୍ଥାନରେ ରହିଥିବା ଗଗନ ଜେନା ନିର୍ବାଚନ ପରେ ଦଳୀୟ ସଂଗଠନରୁ ଦୁରେଇ ଯିବା ଫଳରେ ଦଳରେ ଦେଖାଦେଇଥିବା ଶୋଚନୀୟ ସ୍ଥିତିରେ ବ୍ୟାପକ ପରିବର୍ତ୍ତନ କରିଛନ୍ତି ଉମେଶ। ଏହା ସହିତ ଅନ୍ୟଏକ ପ୍ରମୁଖ କାରଣ ମଧ୍ୟ ଉମେଶଙ୍କ ଲୋକପ୍ରିୟତା ବୃଦ୍ଧିରେ ସହାୟକ ହୋଇଥିବା ଦେଖିବାକୁ ମିଳିଛି। ପ୍ରାୟ ସବୁଦଳ ଯୁବକମାନଙ୍କୁ ନେଇ ରାଜନୀତି ଗତିବିଧିକୁ ବଢାଉଥିଲାବେଳେ ଉମେଶ ବରିଷ୍ଠ ଓ ଯୁବକମାନଙ୍କୁ ସମାନ ପ୍ରାଧାନ୍ୟ ଦେଇ ଦଳକୁ ସଂଗଠିତ କରିବାର ଉଦ୍ୟମ କରୁଛନ୍ତି। ଦିନକୁଦିନ ଉମେଶଙ୍କ ଲୋକପ୍ରିୟତା ଓ ସାଧାରଣରେ ଗ୍ରହଣେଯାଗ୍ୟ ହେବା ବଢୁଥିଲାବେଳେ ଏହା ମଧ୍ୟ ବିଜେପି ଚିନ୍ତାର ଅନ୍ୟତମ କାରଣ ପାଲଟିଛି। ବିଜେପି ନେତା ବିଶ୍ୱରଞ୍ଜନ ମଲ୍ଲିକ ବସ୍ତୁତ କଂଗ୍ରେସରୁ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ଜନୈକ କଂଗ୍ରେସ ନେତାଙ୍କ ଶେଷ ମୁହୁର୍ତ ଚକ୍ରାନ୍ତ ବଳରେ ଟିକେଟରୁ ବଂଚିତ ହୋଇ ଶେଷ ମୁହୁର୍ତରେ ସ୍ୱାଧିନ ଭାବେ ନିର୍ବାଚନ ଲଢିଥିଲେ। ଖୁବ ଅଳ୍ପ ବ୍ୟବଧାନରେ ଦେବାଶିଷଙ୍କ ନିକଟରୁ ପରାଜୟ ସ୍ୱିକାର କରିଥିଲେ ବିଶ୍ୱରଞ୍ଜନ। ହେଲେ ସେ ସମୟରେ ବହୁ କଂଗ୍ରେସ କର୍ମୀ ଓ ନେତା ତାଙ୍କୁ ସମର୍ଥନ କରିଥିଲେବି କଂଗ୍ରେସ ପ୍ରାର୍ଥି ଗଗନ ଜେନାଙ୍କୁ ସମର୍ଥନ କରିନଥିଲେ। ଏହା ସହିତ ବିଜେଡିର ବହୁ ଅସନ୍ତୁଷ୍ଟ କର୍ମୀ ଓ ନେତା ବିଶ୍ୱରଞ୍ଜନଙ୍କୁ ମଧ୍ୟ ସମର୍ଥନ କରିଥିଲେ। ଯାହା ତାଙ୍କ ଭୋଟ ହାରକୁ ବହୁ ଭାବରେ ବଢାଇ ଦେଇଥିଲା। ଏବେ ବିଜେପିରେ ସାମିଲ ହୋଇ ବିଜେପି ଭୋଟ ବ୍ୟାଙ୍କର କିଛି ଅଂଶକୁ ନିଜ ଅକ୍ତିଆରକୁ ନେଇଥିଲାବେଳେ ଦେବାଶିଷଙ୍କ ଗୋଟି ଚାଳନାା ତାଙ୍କ ଭୋଟ ହାରକୁ କମାଇ ଦେଇଛି। ଏହା ସହିତ ଉମେଶଙ୍କ ଉତ୍ଥାନ ମଧ୍ୟ ତାଙ୍କ ନିକଟରେ ଥିବା କଂଗ୍ରେସ ସମର୍ଥନର ଭୋଟ ବ୍ୟାଙ୍କ ମଧ୍ୟ ହ୍ରାସ କରିବାର ସମ୍ଭାବନା ସୃଷ୍ଟି କରିଛି। ଯାହା ତାଙ୍କ ଚିନ୍ତାକୁ ବହୁ ମାତ୍ରାରେ ବଢାଇ ଦେଇଛି। ଏହିଭଳି ଏକ ସ୍ଥିତିରେ ନିକଟରେ ବିଶ୍ୱରଞ୍ଜନ ପରିବର୍ତ୍ତନ ସମାବେଶ ଆୟୋଜନ କରି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ଏହି ପରିବର୍ତ୍ତନ ସମାବେଶ କରି ଆଜିବି ତାଙ୍କ ସପକ୍ଷରେ ଜନମତ ରହିଥିବାର ସଂକେତ ଦେବାକୁ ଚେଷ୍ଟା କରିଛନ୍ତି ବିଶ୍ୱରଞ୍ଜନ। ଗୋଟିଏ ପଟେ ଦଳ ଛାଡୁଥିବା ବିଜେପି ନେତା ଓ କର୍ମୀ, ଗୋଟିଏ ପଟେ ଦଳରେ ଦେଖାଦେଇଥିବା ବିବାଦ ଓ ଅନ୍ୟପଟରେ ତାଙ୍କ ସପକ୍ଷରେ ଥିବା କଂଗ୍ରେସ ଭୋଟକୁ ଉମେଶ ଛଡାଇନେବାର ଉଦ୍ୟମକୁ ଆଗାମି ଦିନରେ ପ୍ରତିରୋଧ କରି କେତେ ଆଗକୁ ବଢିବେ ତାହା ବିଜେପି ନେତା ବିଶ୍ୱରଞ୍ଜନଙ୍କ ପାଇଁ ଆହ୍ୱାନ ସୃଷ୍ଟି କରିଛି। ଏହି ଆହ୍ୱାନକୁ ସମ୍ମୁଖିନ ହେବାକୁ ବିଶ୍ୱରଞ୍ଜନ ଓ ବିଜେପି ଦଳ କିଭଳି ରାଜନୈତିକ ଗୋଟି ଚାଳନା କରୁଛନ୍ତି ତାା ଉପରେ ରାଜନୈତିକ ବିଶେଷଜ୍ଞ ବିଶେଷ ନଜରରେ ରଖିଛନ୍ତି। ଅନ୍ୟ ପକ୍ଷରେ ଦୁଇ ଜଣଙ୍କ ବିବାଦରେ ତୃତୀୟର ଲାଭ ନ୍ୟାୟରେ ବିଜେପି କଂଗ୍ରେସ ବିବାଦରେ ବିଜେପିର ସ୍ଥିତି ବିଗିଡି କଂଗ୍ରେସର ସ୍ଥିତି ସୁଧୁରିଲେ ବିଜେଡିକୁ ଏହା ବହୁ ମାତ୍ରାରେ ସହାୟକ ହେବ ଏହା ନିଶ୍ଚିତ।
ତାଜା ଖବର
- ଅଘରିଆ ସମାଜର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ
- ଭର୍ଚୁଆଲ ମାଧ୍ୟମରେ ବିକଶିତ ଗାଁ ବିକଶିତ ଓଡ଼ିଶାର ଶୁଭାରମ୍ଭ
- ଗ୍ରୁପ ଡ଼ି ଆସୋସିଏସନ ସଭାପତି ଙ୍କ ଧର୍ମଶାଳା ଗସ୍ତ।
- ମୁକୁନ୍ଦ ପାତ୍ର ଡ଼ିଗ୍ରୀ ମହାବିଦ୍ୟାଳୟ, ବଳରାମପୁର ବାର୍ଷିକ କ୍ରୀଡ଼ା ଉତ୍ସବ ଉଯାପିତ
- ଜମନକିରା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ବାର୍ଷିକୋତ୍ସବ; ଜୀବନରେ ଅସଫଳତା ହିଁ ସଫଳତାର ଚାବିକାଠି…..ବିଡ଼ିଓ ରବୀନ୍ଦ୍ର ସେଠୀ
- ଉଠିଲା ସ୍ୱାଭିମାନର ସ୍ୱର:ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ବାସିନ୍ଦା କାହିଁକି ନହେବେ, ବିଧାୟକ ପ୍ରାର୍ଥୀ !
- ଫେବୃଆରୀ ୧୫ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଇ-କେଓ୍ବାଇସି ସମୟ ସୀମା
- ଧନୁଯାତ୍ରାରେ କମ୍ପୁଛି ପରମାଣପୁର, ଆଜି ଆସୁଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ
- ନବ ଦାସ ହତ୍ୟାକାଣ୍ଡ: ଦୁଇ ସପ୍ତାହ ମଧ୍ୟରେ ସିବିଆଇ ତଦନ୍ତ ଲାଗି ଚିଠି ଲେଖିବେ ଦୀପାଳି !
- ଅନଲାଇନ ଟ୍ରେଡିଂ ନାଁରେ ୪ କୋଟି ଠକେଇ: ଠକ ଅପହୃତ, ଟଙ୍କା ଭାଗ ବଣ୍ଟାକୁ ନେଇ ଗୋଷ୍ଠୀ ସଂଘର୍ଷ