ନୀଳଗିରି, ୦୭.୦୨.୨୦୨୧(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା):- ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅଧିନ ବଣସୀମାରେ ଦିବ୍ୟାଙ୍ଗ ଓ ମାନସିକ ଅଗ୍ରସର ସମେତ ଆଦିବାସୀମାନଙ୍କ ଲୋନ ଋଣ ଟଙ୍କା ହଡପ ଘଟଣାର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ହସ୍ତକ୍ଷେପ କରି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶରେ ଗ୍ରାମ୍ୟବ୍ୟାଙ୍କର ଉଚ୍ଚପଦସ୍ଥ ଅଧିକାରୀ ଘଟଣାର ଖୋଳତାଡ଼ ଆରମ୍ଭ କରିଛନ୍ତି। ସେପଟେ ଅଭିଯୋଗ ଆସିଥିବା ବ୍ୟକ୍ତି ନିଜକୁ ନିର୍ଦ୍ଦୋଷ କହୁଥିବା ବେଳେ ଘଟଣାର ସତ୍ୟାସତ୍ୟ ଉପରେ ଅଞ୍ଚଳବାସୀ ତୀକ୍ଷ୍ଣ ନଜର ରଖିଥିବା ଜଣାପଡିଛି। ସୂଚନାଯୋଗ୍ୟ ନୀଳଗିରି ବ୍ଲକ ଅଧିନ ବଣସୀମା ଅଂଚଳରେ ନିରୀହ ଆଦିବାସୀ ମାନଙ୍କୁ ଭୁଆଁ ବୁଲାଇ ଋଣ ଟଙ୍କା ହଡପ କରିଥିବା ଜଣାଯାଇଛି। ଖାଲି ସେତକ ନୁହଁ ଭିନ୍ନକ୍ଷମ ,ମାନସିକ ଅଗ୍ରସର ମାନଙ୍କୁ ବି ଛାଡି ନାହାନ୍ତି। ପିଠାଅତା ପଞ୍ଚାୟତର ଚାପଲସାହି ଗ୍ରାମର ସୀତାମଣୀ କିସ୍କୁ ଦିବ୍ୟାଙ୍ଗ ହୋଇଥିବା ବେଳେ ତାଙ୍କ ନାମରେ ମୂଳଟଙ୍କା ବାବଦକୁ ୧୯ ହଜାର ୩୮୯ଟଙ୍କା ଓ ସୁଧବାବଦକୁ ୧୫ ହଜାର ୪୦୨ ଟଙ୍କା ସୁଝିବାକୁ ନୋଟିସ ଆସିଥିଲା। ସେହିଭଳି ଝରଣାଘାଟି ଗାଁର ମାନସିକ ଅଗ୍ରସର ଇନ୍ଦ୍ରମଣିଙ୍କ ନାଁରେ ମୂଳ ବାବଦକୁ ୧୬ ହଜାର ୭୨୨ ଟଙ୍କା ଓ ସୁଧ ବାବଦକୁ ୧୩ ହଜାର ୩୨୩ ଟଙ୍କା ସୁଝିବାକୁ ନୋଟିସ ଆସିଛି। ରତ୍ନାକର ସିଂ ନାମକ ଯୁବକ ଙ୍କୁ ମଧ୍ୟ ୫୯ ହଜାର ରୁ ଉର୍ଦ୍ଧ୍ବ ଟଙ୍କା ଶୁଖିବାକୁ ମଧ୍ୟ ନୋଟିସ ଆସିଛି। ଏହିଭଳି ପିଠାହତା ପଂଚାୟତର ବିଭିନ୍ନ ଗାଁରେ ମଧ୍ୟ ବହୁ ଲୋକଙ୍କ ନାମରେ ଏଭଳି ହୋଇଥିବା ଜଣାପଡିଛି। ଏହି ମାନେ କେବେ ବ୍ୟାଙ୍କ ସହିତ କୌଣସି କାରବାର କରିନଥିବା କୁହାଯାଇଛି। ଗ୍ରାମବାସୀ ମାନେ ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସେ ଜିଲ୍ଲାପାଳଙ୍କୁ ସମସ୍ତ ଘଟଣାର ତଦନ୍ତ କରି କାର୍ଯ୍ୟନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଗ୍ରାମବ୍ୟାଙ୍କର ଆଞ୍ଚଳିକ ମ୍ୟାନେଜରଙ୍କୁ ୭ ଦିନ ଭିତରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ରିଜିଓନାଲ ଅଫିସରୁ ଉଚ୍ଚପଦସ୍ଥ ଅଧିକାରୀ ଛତ୍ରପୁର ଗ୍ରାମ୍ୟବ୍ୟାଙ୍କୁ ଯାଇ କାଗଜପତ୍ର ଖୋଳତାଡ଼ କରିଛନ୍ତି। ଦିବ୍ୟାଙ୍ଗ ଯୁବତୀଙ୍କ ସହିତ ଅନ୍ୟ ହିତାଧିକାରୀଙ୍କୁ ବ୍ୟାଙ୍କ ଡକାଇ ତଦନ୍ତ ମଧ୍ୟ କରାଯାଇଛି। ଅନିୟମିତତା ହୋଇଛି କି ନାହିଁ ତଦନ୍ତ କରୁଥିବା ବ୍ୟାଙ୍କ ଅଧିକାରୀ ଗମମାଧ୍ୟମକୁ ସ୍ପଷ୍ଟ ସୂଚନା ଦେଇନଥିବା ବେଳେ ରିପୋର୍ଟ ପାଇବା ପରେ ଜିଲ୍ଲାପାଳ କିଭଳି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ଉପରେ ସମସ୍ତଙ୍କ ନଜର ଥିବା ଜଣାଯାଇଛି।
ଦିବ୍ୟାଙ୍ଗ ଓ ମାନସିକ ଅଗ୍ରସର ସମେତ ଆଦିବାସୀମାନଙ୍କ ଲୋନ ଋଣ ଟଙ୍କା ହଡପ ଘଟଣା
|
February 7, 2021 |