ତାଳଚେର,୯/ ୭ (ସନ୍ଧାନ ନିୟୁଜ): ତାଳଚେର ବ୍ଲକ ତେଂଟୁଲେଇ ପଂଚାୟତ ଅନ୍ତର୍ଗତ ଦେଓଝରଣ ମୈାଜାର ନୂଆ ସାହିର ଭୂମିହୀନମାନେ ଜମିପଟ୍ଟା ପ୍ରଦାନ ଦାବିରେ ଆଜି ପୂର୍ବାହ୍ନରେ ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବାସହ ସ୍ଥାନୀୟ ଉପଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ବିଗତ ୧ବର୍ଷ ହେବ ଉକ୍ତ ଭୂମିହୀନମାନେ ତାଳଚେର ବ୍ଲକର ଘଂଟପଡ଼ା ଆର.ଆଇ.ଙ୍କୁ ଦରଖାସ୍ତ ଜରିଆରେ ଆବେଦନ କରିଥିଲେ। ଏହାପରେ ଆର.ଆଇ କର୍ମଚାରୀ ମୈାଜାକୁ ଆସି ତଦନ୍ତ କରିଥିଲେ। ତେବେ ବର୍ତମାନ ସୁଦ୍ଧା ଜମିପଟ୍ଟା ପ୍ରଦାନ ପାଇଁ କୈାଣସି ପଦକ୍ଷେପ ନିଆଯାଇ ନାହିଁ ବୋଲି ଧାରଣା ଦେଇଥିବା ଲୋକେ ଅଭିଯୋଗ କରିଥିଲେ। ବିଗତ ୪୦ ବର୍ଷରୁ ଉର୍ଦ୍ଧ୍ୱ ହେବ ସେମାନେ ଦେଓଝରଣ ମୈାଜାର ନୂଆ ସାହିର ସ୍ଥାୟୀଭାବେ ବାସ କରୁଛନ୍ତି। କିନ୍ତୁ ଜମିପଟ୍ଟା ନଥିବାରୁ ସେମାନେ କୈାଣସି ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ପାରୁନାହାନ୍ତି। ସ୍କୁଲ ପିଲାଙ୍କ ପାଇଁ ଜାତି ସାର୍ଟିଫିକେଟ୍, ଷ୍ଟାଇପେଣ୍ଡ ଏବଂ ବିଭିନ୍ନ ପ୍ରକାର ଋଣ ପାଇଁ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଅଭିଯୋଗ ପରେ ପଦକ୍ଷେପ ନିଆ ନଯିବାରୁ ସେମାନେ ବାଧ୍ୟ ହୋଇ ଏପରି ଧାରଣା ଦେଉଥିବାର ପ୍ରକାଶ କରିଥିଲେ। ଏହି ଗଣଧାରଣାରେ ତେଂଟୁଲେଇ ପଂଚାୟତର ସମିତି ସଭ୍ୟା ନୀଲମ ଲାଲ, ବିନୋଦ ଲାଲ, କୁନି ଭୋଇ, ଧର୍ମାନନ୍ଦ ମହାନ୍ତି, ହେମନ୍ତ ବାରିକଙ୍କ ସମେତ ନୂଆ ସାହିର ବହୁ ଭୂମିହୀନ ସାମିଲ ହୋଇଥିଲେ। ପରେପରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଧାରଣାସ୍ଥଳକୁ ଯାଇ ଆଲୋଚନା କରିଥିଲେ। ଏହାପରେ ଧାରଣାକାରୀମାନେ ଉପଜିଲ୍ଲାପାଳ ପରେଶ ଚନ୍ଦ୍ର ନାୟକଙ୍କୁ ଭେଟି ଏ ସଙ୍କ୍ରାନ୍ତରେ ଅବଗତ କରାଇ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଆଗାାମୀ ୧ ମାସ ମଧ୍ୟରେ ଏ ସମ୍ପର୍କରେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ନାୟକ ପ୍ରତିଶ୍ରୁତି ଦେବାପରେ ଗଣଧାରଣା ପ୍ରତ୍ୟାହୃତ ହୋଇଥିଲା।
Report By Muna Barik