ରାଉରକେଲା, ୨୯/୧୧/୨୦ (ସନ୍ଧାନ ନିଉଜ) : ଆଜି ପବିତ୍ର କାର୍ତିକ ପୂର୍ଣ୍ଣିମା । ଏହି ଶ୍ରେଷ୍ଠ ପୂର୍ଣ୍ଣିମାରେ ନଦୀ, ପୋଖରୀରେ ଡଙ୍ଗା ଭସାଣ କରି ପୂଣ୍ୟ ଅର୍ଜନ କରିଥାନ୍ତି ହବିଷ୍ୟାଳି । ମାତ୍ର ଚଳିତ ବର୍ଷ କରୋନା ମହାମାରୀକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଡଙ୍ଗା ନଭସାଇବାକୁ ଗାଇଡ଼ ଲାଇନ ଜାରି ହୋଇଛି । ଏହାକୁ ନେଇ ଅନେକ କାର୍ତିକ ବ୍ରତଧାରୀଙ୍କ ମନ ମଉଳି ଯାଇଛି । ଅପରପକ୍ଷରେ କିଛି କାର୍ତିକ ବ୍ରତଧାରୀ ଲୁଚାଛପାରେ ଡଙ୍ଗା ଭସାଣ କରିବାକୁ ଏକ ପ୍ରକାର ପ୍ରାକ ପ୍ରସ୍ତୁତି ଆରମ୍ଭ କରିଦେଲେଣି! ଅତୀତରେ ସାଧବ ପୁଅ ମାନେ ନୌବାଣିଜ୍ୟ କରିବାକୁ କାର୍ତିକ ପୁର୍ଣ୍ଣିମାରେ ବିଦେଶଯାତ୍ରା କରୁଥିବାରୁ ଏହାକୁ ଏକ ଐତିହାସିକ ଦିନ ଭାବେ ପରିଗଣିତ କରାଯାଏ । ପ୍ରତିବର୍ଷ ଏହି ଦିନରେ ନଦୀ, ଜଳାଶୟ କୂଳରେ ଡଙ୍ଗା ଭସାଣ ଲାଗି ଲୋକେ ସପରିବାର ଏକାଠି ରହିବା ଦେଖିବାକୁ ମିଳିଥାଏ । ତେବେ ହବିଷ୍ୟାଳି ମାନେ ଏହା ସହ ଏକ ଆଧ୍ୟାତ୍ମିକ ଭାବଧାରାରେ ଜଡ଼ିତ । ବିଭିନ୍ନ ଜାଗା ତୀର୍ଥ କରି ସେଠାରେ ଥିବା ନଦୀ ଅବା ପୁଷ୍ପରଣୀରେ ଡଙ୍ଗା ଭସାଇ ପୂଣ୍ୟ ଅର୍ଜନ କରିଥାନ୍ତି ହବିଷ୍ୟାଳି । ମାତ୍ର ଏଥର ଡଙ୍ଗା ଭସାଣରେ ପ୍ରଶାସନ ପକ୍ଷରୁ ରୋକ ଲାଗିଛି । କଟକଣା କଥା ଜାଣିବା ପରେ ବହୁ ହବିଷ୍ୟାଳି ଏକ ପ୍ରକାର ନିରାଶ ହୋଇଛନ୍ତି । ହବିଷ୍ୟାଳି ମାନଙ୍କ କହିବା ମୁତାବକ, ମାସକ ଯାକ ପୂଜାର୍ଚ୍ଚନା, ପୁରାଣ, ପୋଥିରେ ସମୟ ବିତିବା ପରେ କାର୍ତିକ ପୂର୍ଣ୍ଣିମାରେ ବୁଡ଼ ପକାଇ ଡଙ୍ଗା ଭସାଇ ଦେଲେ ମାନସିକ ତୃପ୍ତି ମିଳିଥାଏ । ଡଙ୍ଗା ଭସାଣ ଉପରେ କଟକଣା ଲାଗି ଥିବାରୁ ଅନେକ ଗାଁ ମୁହାଁ ହୋଇଛନ୍ତି! ସହରରେ ସିନା କଡ଼ା କଟକଣା, କିନ୍ତୁ ଗାାଁ ବାଡ଼ି ପଛ ପୋଖରୀରେ ଡଙ୍ଗା ଭସାଇ ଦେଲେ ଶାନ୍ତି ମିଳିବ ବୋଲି ହବିଷ୍ୟାଳି ମାନେ ପ୍ରକାଶ କରିଛନ୍ତି । କିଛି ବ୍ୟକ୍ତି ଏଥର ଡଙ୍ଗା ଭସାଣ ପାଇଁ ବିକଳ୍ପ ଚିନ୍ତା କରିଛନ୍ତି । କେହି କେହି ଅଗଣାରେ ଓ ଛାତ ଉପରେ ପାଣି କୁଣ୍ଡରେ ନିଜ ପରିବାର ସହ ଡଙ୍ଗା ଭସାଇବାକୁ ଏକ ପ୍ରକାର ସଜବାଜ ହେଲେଣି । ଅନେକ ଲୋକ ସହରତଳିରେ ଥିବା ଛୋଟ ଜଳାଶୟ ଉପରେ ଡଙ୍ଗା ଭସାଇବାକୁ ପାଗ ଭିଡ଼ିଲେଣି! ଡଙ୍ଗା ଭସାଇବା ଉପରେ କଟକଣା ଲାଗିଥିବା ସତ୍ୱେ ସୋଲ, କଦଳୀ ପଟୁଆ ଡଙ୍ଗା କିଛିଟା ବଜାରରେ ଉପଲବ୍ଧ ହେଉଥିବାରୁ ଲୋକେ ଏବେଠୁ ସେଗୁଡ଼ିକ କ୍ରୟ କରିବାକୁ ପ୍ରାୟତଃ ଆରମ୍ଭ କରିଦେଲେଣି ।
ଡଙ୍ଗା ଭସାଣରେ କଂଟା ସାଜିଲା କରୋନା
|
November 29, 2020 |
