ଜେନାପୁର ଉଚ୍ଚ ବିଦ୍ୟାଳୟ ଛାତରୁ ଗଳୁଛି ପାଣି ; ବିପଦରେ ଶିକ୍ଷକ ଓ ଛାତ୍ରଛାତ୍ରୀ 

Spread the love

ଯାଜପୁର, ୭/୭ (ସନ୍ଧାନ ନିୟୁଜ/ପ୍ରଶାନ୍ତ ସାମଲ) – ଶିକ୍ଷା ହିଁ ସର୍ବାଙ୍ଗୀନ ଉନ୍ନତିର ଭିତ୍ତିଭୂମି । ତେଣୁ ଏ କ୍ଷେତ୍ରରେ ସମୟୋପଯୋଗୀ ସଂସ୍କାର ଆଣିବା ସହିତ ଭିତ୍ତିଭୂମିକୁ ସୁଦୃଢ କରିବା ନିମିତ୍ତ ପ୍ରତିବର୍ଷ ସରକାରଙ୍କ ତରଫରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ପ୍ରତ୍ୟେକ ବିଦ୍ୟାଳୟରେ ନିର୍ମିତ ହେବାରେ  ଲାଗିଛି ସୁଦୃଶ୍ୟ ଶ୍ରେଣୀ କୋଠରୀ ଓ ବିଭିନ୍ନ ବିଭାଗ ପାଇଁ ଉଦ୍ଦିଷ୍ଟ ଘର ।କେତେକ ସ୍ଥାନରେ କିଛି ବର୍ଷ ପୂର୍ବରୁ ମଧ୍ଯ ତିଆରି ସରିଲାଣି । କିନ୍ତୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ, ଅଧିକାରୀ ଓ ଯନ୍ତ୍ରୀମାନଙ୍କ   ତଦାରଖର ଅଭାବ ଓ ଦୁର୍ନୀତିଖୋର ମନୋଭାବ ଯୋଗୁଁ କିଛି ବିଦ୍ୟାଳୟର ଛାତ ଭୁଶୁଡିବାର ଆଶଙ୍କା ଦେଖାଦେଇଥିବା ବେଳେ ଆଉ କେତକ ସ୍ଥାନରେ ବିଦ୍ୟାଳୟ ଛାତରୁ ବର୍ଷା ହେଲେ ପାଣି ଗଲୁଥିବା  ଲକ୍ଷ୍ୟ କରାଯାଉଛି ।ଏହାର ନଗ୍ନ ଛବି ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାର ଧର୍ମଶାଳା ଶିକ୍ଷା ମଣ୍ଡଳ ଅଧୀନ ଜେନାପୁର ଉଚ୍ଚ ବିଦ୍ୟାଳୟରେ ।୧୯୫୯ ମସିହାଠାରୁ  ପ୍ରତିଷ୍ଠିତ   ଏହି ସର୍ଵପୁରାତନ ଶିକ୍ଷାନୁଷ୍ଠାନରେ ୬୦ ବର୍ଷ ଧରି ୮ମ,୯ମ ଓ୧୦ମ    ଶ୍ରେଣୀରେ  ଶିକ୍ଷାଦାନ କରାଯାଇଆସୁଥିଲା  ସରକାରଙ୍କ ନୂତନ ନିୟମ ଅନୁସାରେ ଗୋଟିଏ କ୍ୟାମ୍ପସ ମଧ୍ୟରେ ଥିବା ବିଦ୍ୟାଳୟଗୁଡିକୁ ମିଶ୍ରଣ କରାଯିବାରୁ ଏବେ ଉକ୍ତ ଶିକ୍ଷାନୁଷ୍ଠାନରେ ୧ମରୁ୧୦ମ ଶ୍ରେଣୀ ପର୍ଯ୍ୟନ୍ତ  ମୋଟ ୫୨୧ ଜଣ ଛାତ୍ରଛାତ୍ରୀଙ୍କୁ ୧୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ଵାରା  ଶିକ୍ଷାଦାନ କରାଯାଇ ଆସୁଅଛି । ହେଲେ ଛାତ୍ରଛାତ୍ରୀମାନଙ୍କ ଉତ୍ତମ ପରିବେଶ ପରିବେଶ ପାଇଁ ପ୍ରାୟ ୧୦ ବର୍ଷ ପୂର୍ବରୁ ତିଆରି କରାଯାଇଥିବା ଅଧିକାଂଶ ଶ୍ରେଣୀ କୋଠରୀର ନିର୍ମାଣ ଶୈଳୀ ଅତି ନିମ୍ନମାନର ହୋଇଥିବାରୁ ବର୍ଷା ହେଲେ ସେଥିରୁ ପାଣି ଗଲୁଥିବା ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଛନ୍ତି ।୭ମ ଓ ୮ମ ଶ୍ରେଣୀ ଏବଂ ବିଦ୍ୟାଳୟ କାର୍ଯ୍ୟାଳୟ ଓ ଶିକ୍ଷକ ମାନଙ୍କ ସାଧାରଣ ପ୍ରକୋଷ୍ଠରେ ଏପରି ଅବ୍ୟବସ୍ଥା ଲାଗିରହିଥିବାରୁ ବର୍ଷାଦିନେ ଶାନ୍ତିରେ ପାଠପଢା ଓ ଅନ୍ୟାନ୍ୟ କାର୍ଯ୍ୟ କରାଯିବା ଆଦୋୖ ସମ୍ଭବପର ହେଉନାହିଁ ।ଫଳସ୍ୱରୂପ ଶିକ୍ଷକ ଶିକ୍ଷୟିତ୍ରୀ ଓ  ଛାତ୍ରଛାତ୍ରୀ ମାନେ ବର୍ତ୍ତମାନ ନାନାଦି ସମସ୍ୟାର ସମ୍ମୁଖୀନ ହେବା ସହ ପାଠପଢ଼ାରେ  ଘୋର ବ୍ୟାଘାତ ସୃଷ୍ଟି ହେଉଛି।  ଲଗାଣ ବର୍ଷା ହେଲେ କୋଠରୀଗୁଡ଼ିକର ଅବସ୍ଥା କହିଲେ ନ ସରେ ।ଏପରି ସ୍ଥିତିରେ କେତେବେଳେ ଯେ ଛାତ ଭୁଶୁଡି ପଡିବ ଓ କୋମଳ ଜୀବନ ଅକାରଣେ ଝରିପଡ଼ିବ, ସେଥିନେଇ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସନ୍ଧିହାନ ହୋଇପଡିଛନ୍ତି । ଏ ସମସ୍ୟା ସମ୍ପର୍କରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚନ୍ଦ୍ରଶେଖର ସ୍ବାଇଁ  ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବହୁବାର ଜଣାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି ସୁଫଳ ମିଳି ପାରିନାହିଁ।ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଓ ଶୈକ୍ଷିକ ପରିବେଶକୁ  ଦୃଷ୍ଟିରେ ରଖି ତୁରନ୍ତ ଏହାର ପୁନଃମରାମତି କରାଯିବାକୁ ଅଭିଭାବକମାନଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ସରକାରଙ୍କ ନିକଟରେ ଦୃଢ ଦାବି କରିଛନ୍ତି ।

Related Posts

About The Author

Add Comment