ଜାତୀୟ #ସଙ୍ଗୀତ

Spread the love

ଛଳ ପଶାପାଲି ମେଲାଇଛି ଏବେ
ଶତ୍ରୁ ପର୍ବତ-ମାଳେ
ପୂର୍ବେ ହୋଇଥିବା ଚୁକ୍ତିନାମା ସବୁ
ଏକତରଫା ସେ ଟାଳେ ,
ହେମାଳ ବତାସ ବହିବା ଆଗରୁ
ସତର୍କ ହେବା ଏ’ କାଳେ
ନୂଆ ଭାଗ୍ୟରେଖା ଆଙ୍କିବାକୁ ହେବ
ପ୍ରତାପୀ ଭାରତ-ଭାଲେ ।

ଆମ ବଗିଚାର ବାଡ଼ବତା ଡେଇଁ
ଶତ୍ରୁ ପକାଇଛି ପାଦ
ସୁଖ ସମୃଦ୍ଧିର ବାତାବରଣରେ
ଘୋଟିଲାଣି ପରମାଦ ,
ସମସ୍ତ ଦିଗରୁ ଘେରି ଅହଂକାରେ
ଦେଖାଏ ବିସ୍ତାରବାଦ
ଜାଗିଉଠ ଭାଇ ଛାଡିବାକୁ ହେବ
ସମର ହୁଙ୍କାର ନାଦ ।

ପାରଙ୍ଗମ ଆମ ଆରକ୍ଷୀ ବାହିନୀ
ରଣ କଉଶଳେ ଜାଣ
ପ୍ରସ୍ତୁତ ଅଛନ୍ତି ଜଳ-ସ୍ଥଳ-ନଭେ
ଭାଙ୍ଗିଦେବେ ତାଙ୍କ ଟାଣ ,
ଭାରତ ମାତାଙ୍କ ଜୟକାର ଶବ୍ଦେ
ଥରି ଉଠୁ ଶତ୍ରୁ ପ୍ରାଣ
ଏକତାର ସୂତ୍ରେ ଦୃଢ଼ ରହିବାର
ସଂକଳ୍ପ ମନକୁ ଆଣ ।

ଏହି ସ୍ବାଧୀନତା ଦିବସରେ ଆମେ
ଜାତିଧର୍ମ ନିର୍ବିଶେଷେ
ଭେଦଭାବ ଭୁଲି ସମରସତାର
ଭାବନା ରଖିଲେ ଦେଶେ ,
ଆଖି ମିଶାଇବା ନିମନ୍ତେ କାହାର
ସାହସ ନଥିବ ଲେଶେ
ମୁହଁ କଳା କରି ଫେରିବେ ନିଶ୍ଚୟ
ଭୀରୁ ପଳାତକ ବେଶେ ।

ସ୍ବପ୍ନ ଦେଖିଥିଲୁ ଭାରତ ଆମର
ଥିଲା ଯାହା ଅବିଭକ୍ତ
ଫେରି ପାଇବାକୁ ପୂର୍ବର ଗରିମା
ନୋହିଛୁ କି ଏବେ ଶକ୍ତ ,
ବାପୁଙ୍କ ସମେତ ଏ’ ଦେଶ ସଂଗ୍ରାମୀ
ସିଞ୍ଚିଛନ୍ତି ଯହିଁ ରକ୍ତ
ଶୌର୍ଯ୍ୟ ବି ଆମର ଅଟଳ ଅଛି ତ
ସ୍ବାର୍ଥ ହେଉ ପରିତ୍ୟକ୍ତ ।

ଲହରାଇ ଦିଅ ତ୍ରିରଙ୍ଗା କେତନ
ଉଚ୍ଚ ହିମାଚଳେ ଯାଇ
ବୀରଗତି ଯହିଁ ଲଭିଛନ୍ତି ଆମ
ଲଢୁଆ ସେନାନୀ ଭାଇ ,
ବୃଥା ବି ନହେଉ ତ୍ୟାଗ କଲେ ଯାହା
ସୀମାନ୍ତେ ସଜାଗ ଥାଇ
ତାଙ୍କରି ସମ୍ମାନେ ଏକତ୍ରିତ ହୁଅ
ଜାତୀୟ ସଙ୍ଗୀତ ଗାଇ ।

ପ୍ରସନ୍ନ କୁମାର ମାଦଳା

Related Posts

About The Author

Add Comment