ଜରିମାନାରୁ ୫୦୦୦ କୋଟି ଆୟ

Spread the love

ମୁମ୍ବାଇ 6/8(ସନ୍ଧାନ ନିୟୁଜ): ଜମାକାରୀଙ୍କଠାରୁ ବ୍ୟାଙ୍କ ଗୁଡ଼ିକ ଗତ ଆର୍ଥିକ ବର୍ଷରେ ପ୍ରାୟ ୫ ହଜାର କୋଟି ଟଙ୍କାର ଜରିମାନା ଗଣି ନେଇଛନ୍ତି। ଜମାଖାତାରେ ସର୍ବନିମ୍ନ ଜମାରାଶି ନ ରଖି ପାରିବା କାରଣରୁ ଗ୍ରାହକଙ୍କୁ ଏହି ତଣ୍ଡ ଗଣିବାକୁ ପଡ଼ିଛି। ସର୍ବାଧିକ ଜରିମାନା ଭାରତୀୟ ଷ୍ଟେଟ ବ୍ୟାଙ୍କର ଜମାକାରୀମାନେ ପ୍ରଦାନ କରିଛନ୍ତି। ବ୍ୟାଙ୍କ ଗୁଡ଼ିକ ଆଦାୟ କରିଥିବା ମୋଟ ଜରିମାନା ମଧ୍ୟରୁ ଷ୍ଟେଟ ବ୍ୟାଙ୍କ ପ୍ରାୟ ଅଧାଅଧି ବା ୨୪୩୩ କୋଟି ଟଙ୍କାର ଜରିମାନା ଆଦାୟ କରିଛି। ଏହାବ୍ୟତୀତ ୩୦ ପ୍ରତିଶତ ଜରିମାନା କେବଳ ୩ଟି ବଡ଼ ଘରୋଇ ବ୍ୟାଙ୍କ ଆଦାୟ କରିଛନ୍ତି। ସେହି ଘରୋଇ ବ୍ୟାଙ୍କ ଗୁଡ଼ିକ ହେଲେ ଏକ୍ସିସ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଏବଂ ଆଇସିଆଇସିଆଇ ବ୍ୟାଙ୍କ। ଲୋକସଭାରେ ଗତ ଶୁକ୍ରବାର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶିବ ପ୍ରତାପ ଶୁକ୍ଳାଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବ୍ୟାଙ୍କ ଗୁଡ଼ିକ କରୁଥିବା କ୍ଷତି ଭରଣା କରିବା ପାଇଁ ଏଭଳି ଜରିମାନା ଆଦାୟ କରୁଛନ୍ତି ବୋଲି କୁହାଯାଉଛି। ୨୦୧୭-୧୮ ଆର୍ଥିକ ବର୍ଷରେ ସରକାରୀ ବ୍ୟାଙ୍କ ଗୁଡ଼ିକର ଅନାଦାୟ ଋଣ ବା ଏନ୍‌ପିଏ ୮୫,୩୬୧ କୋଟି ଟଙ୍କାକୁ ବୃଦ୍ଧି ପାଇଛି।

ଉଲ୍ଲେଖଯୋଗ୍ୟ, ଭାରତୀୟ ଷ୍ଟେଟ ବ୍ୟାଙ୍କ ଖାତାରେ ସର୍ବନିମ୍ନ ଜମାରାଶି ରଖିବା ନିୟମ ୨୦୧୨ ପର୍ଯ୍ୟନ୍ତ ଲାଗୁ କରିଥିଲାବେଳେ ପରେ ଏହାକୁ ଉଠାଇ ଦେଇଥିଲା । କିନ୍ତୁ ୨୦୧୭ ଏପ୍ରିଲ ପହିଲାରୁ ପୁଣି ଏହାକୁ ଲାଗୁ କରିଛି। ତେବେ ପ୍ରବଳ ସମାଲୋଚନାର ଶିକାର ହେବା ଯୋଗୁଁ ୨୦୧୭ ଅକ୍ଟୋବର ୧ରୁ ଷ୍ଟେଟ ବ୍ୟାଙ୍କ ଏହି ରାଶିକୁ ହ୍ରାସ କରିଛି। ରିଜର୍ଭ ବ୍ୟାଙ୍କର ନିୟମ ଅନୁଯାୟୀ ବ୍ୟାଙ୍କ ଗୁଡ଼ିକ ସର୍ଭିସ/ଅନ୍ୟାନ୍ୟ ଚାର୍ଜ ଆଦାୟ କରିବା କ୍ଷମତା ପାଇଛନ୍ତି। ତାହାକୁ ଉପଯୋଗ କରି ଏହି ଜରିମାନା ଆଦାୟ କରୁଛନ୍ତି। ତେବେ ମୌଳିକ ସଞ୍ଚୟ ବ୍ୟାଙ୍କ ଖାତା ବା ବେସିକ୍‌ ସେଭିଙ୍ଗ୍ସ ବ୍ୟାଙ୍କ ଡିପୋଜିଟ୍‌ ଖାତା ଏବଂ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଖୋଲାଯାଉଥିବା ଖାତା ଗୁଡ଼ିକ ପାଇଁ ସର୍ବନିମ୍ନ ଜମାରାଶି ରଖାଯିବା ନିୟମ ନାହିଁ।

Related Posts

About The Author

Add Comment