ଚର୍ଚ୍ଚାରେ ପୁଲିସ ଓ ନିଶା ବେପାରୀ ଲିଙ୍କ୍

Spread the love

ଭୋଗରାଇ, 04.12.2020 (ଲିଙ୍ଗରାଜ ପଣ୍ଡା): ଦିନକୁ ଦିନ ବଢ଼ି ଚାଲିଥିବା ଅବାଧ ନିଶା କାରବାର  ଉପରେ ରୋକ ଲଗାଇବାରେ ବାଲେଶ୍ବର ଜିଲ୍ଲା ପୁଲିସ ଫେଲ୍ ମାରିଛି ଏହାସହିତ ଜଣେ ପରେ ଜଣେ ପୁଲିସ ଅଧିକାରୀ ତଥା କର୍ମଚାରୀଙ୍କ ନିଶା ବେପାରୀ ସହ ଲିଙ୍କୁ ନେଇ ମିଳୁଥିବା ପ୍ରମାଣ ଜିଲ୍ଲାବାସୀଙ୍କୁ ଚକିତ କରିଛି। ଫଳରେ ପୁଲିସ ପ୍ରତି ଜନସାଧାରଣଙ୍କ ବିଶ୍ବାସ ଓ ଭରସା ତୁଟିଗଲାଣି।  ଡ୍ରଗ୍ସ ମାଫିଆଙ୍କ ସହ ଜଳେଶ୍ବର ଥାନାର ପୂର୍ବତନ ଥାନାଧିକାରୀ ଧନେଶ୍ବର ସାହୁଙ୍କ ଡିଲ୍ ସମ୍ପର୍କିତ ଏକ ଅଡିଓ କ୍ଲିପ୍ ଗତ ଅଗଷ୍ଟ ମାସ ୧୩ ତାରିଖରେ ଭାଇରାଲ୍ ହୋଇଥିଲା ପରେ ଆଇଜିଙ୍କ ନିର୍ଦ୍ଦେଶରେ ଘଟଣାର ଯାଞ୍ଚ କରାଯାଇ ତାଙ୍କୁ ପ୍ରଥମେ ବଦଳି ଏବଂ ପରେ ଡିଜିପିଙ୍କ ନିର୍ଦ୍ଦେଶ କ୍ରମେ ସେ ନିଲମ୍ବନ ହୋଇଥିଲେ। ଏହାପରେ ଗତ ସେପ୍ଟେମ୍ବର ମାସ ୭ ତାରିଖରେ ଭିଜିଲାନ୍ସର ୭ ଜଣିଆ ଟିମ୍ ଜଳେଶ୍ବର ଥାନା ଏବଂ ଶ୍ରୀ ସାହୁଙ୍କ ସରକାରୀ ବାସଭବନରେ ପହଞ୍ଚି ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ସହ ସେଗୁଡ଼ିକୁ ଯାଞ୍ଚ କରିଥିଲେ। ଏମିତିକି କାରବାରରେ ସମ୍ପୃକ୍ତ ଥିବା ଜଣେ ଗ୍ରାମରକ୍ଷୀଙ୍କ ଘରେ  ମଧ୍ୟ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା । ତେବେ ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସରକାରୀ ପୁଣିଥରେ ତାଙ୍କ ସରକାରୀ ବାସଭବନର ସିଲ୍ ତାଲା ଭଙ୍ଗାଯାଇ ଉକ୍ତ କାଗଜପତ୍ରଗୁଡ଼ିକ ନେଇ ତଦନ୍ତ କରାଯାଇଛି। ଭିଜିଲାନ୍ସ ଡିଏସ୍‌ପି ସନ୍ତୋଷ କୁମାର ସାମନ୍ତରାୟଙ୍କ ନେତୃତ୍ବରେ ଏକ ୮ ଜଣିଆ ଟିମ୍ ଏହି ମାମଲାର ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି। ସମାନ ଭାବେ ଭୋଗରାଇ ବ୍ଲକ୍ ତାଳସାରୀ  ଥାନାଧିକାରୀଙ୍କ ମଧ୍ୟ ନିଶା ବେପାରୀ ସହ କଥାବାର୍ତ୍ତା ହେଉଥିବାର ଏକ ଅଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍‌ ହେଉଛି। ସ୍ଥାନୀୟ ଉଦୟପୁର ଓ ତାଳସାରୀ  ବେଳାଭୂମି ଅଞ୍ଚଳରେ ବେଆଇନ୍ ନିଶା କାରବାର ବନ୍ଦ କରିବାକୁ ସ୍ଥାନୀୟ ଲୋକ ଦାବି କରିଆସୁଥିବା ବେଳ ଧରାପଡ଼ିଥିବା ଜଣେ ନିଶା ବେପାରୀକୁ ଛାଡ଼ିଦେବା ପାଇଁ ସଂପୃକ୍ତ ଥାନାଧିକାରୀ ଜଣେ ପୁଲିସ କର୍ମଚାରୀଙ୍କୁ କିପରି ନିର୍ଦ୍ଦେଶ ଦେଉଛନ୍ତି; ତାହା ଉକ୍ତ ଅଡିଓରେ ଶୁଣାଯାଉଛି ତେବେ ଏ ସମ୍ପର୍କରେ ଆଜି ଖବର ପ୍ରକାଶ ପାଇବା ପରେ ଜିଲ୍ଲା ପୁଲିସ ସଜାଗ ହୋଇଛି। ଏସ୍‌ପିଙ୍କ ନିର୍ଦ୍ଦେଶକ ଜଣେ ଡିଏସପି ଘଟଣାର ତନାଘନା ଆରମ୍ଭ କରିଥିବା ଜଣାପଡ଼ିଛି। । ଅନ୍ୟପଟେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ; ଜିଲ୍ଲା ପୁଲିସ ପକ୍ଷରୁ ଆଜି ଅପରାଧ ସମ୍ପର୍କିତ ଏକ ସମୀକ୍ଷା ବୈଠକ ଡକାଯାଇଛି। ସମ୍ଭବତଃ ବୈଠକରେ ଉକ୍ତ ଦୁଇଟି ଘଟଣା ଉପରେ ଆଲୋଚନା ହୋଇଥିବ

 

 

Related Posts

About The Author

Add Comment