ଯାଜପୁର, : ୧୨/୧୧/୨୬ (ସନ୍ଧାନ ନ୍ୟୁଜ) ବଡ଼ଚଣା: ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତଗର୍ତ ଚଣ୍ଡିଖୋଲ ନିକଟସ୍ଥ ନୂଆସୁଙ୍ଗୁଡ଼ା ଗୋଲେଇ ଛକ ନିକଟରେ ଥିବା ଷଣ୍ଢ ମନ୍ଦିର ପରିସରରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଘଟଣା ଅଞ୍ଚଳରେ ଚାଂଚଲ୍ୟ ସୃଷ୍ଟି କରିଛି । ମୃତ ଯୁବକ ଜଣକ ପେଶାରେ ଜଣେ ଡ୍ରାଇଭର ଏବଂ ତାଙ୍କ ନାମ କାହ୍ନୁ ଚରଣ ବିଶ୍ୱାସ (ମନ) ବୋଲି ସ୍ଥାନୀୟ ଲୋକଙ୍କଠାରୁ ଜଣାପଡ଼ିଛି । ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ନୂଆସୁଙ୍ଗୁଡ଼ା ଗୋଲେଇ ଛକ ନିକଟ ଷଣ୍ଢ ମନ୍ଦିର ପରିସରରେ ଯୁବକଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବା ପରେ ଘଟଣାଟି ଅଞ୍ଚଳରେ ଖବର ପ୍ରସାରିତ ହୋଇଥିଲା । ଏହାପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭିଡ଼ ଜମିଥିଲା । ଖବର ପାଇ ବଡ଼ଚଣା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଯୁବକଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ଘଟିଛି, ଏହା ଆତ୍ମହତ୍ୟା ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି, ସେନେଇ ବର୍ତମାନ ସୁଦ୍ଧା ସ୍ପଷ୍ଟ ସୂଚନା ମିଳିନାହିଁ । ପୋଲିସର ତଦନ୍ତ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିବ । ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକ ଓ ଆଲୋଚନାର ବାତାବରଣ ସୃଷ୍ଟି ହୋଇଛି । ଏହି ଘଟଣାରେ ପୋଲିସ ତଦନ୍ତ ଜାରି ରହିଛି । ଅଧିକ ତଥ୍ୟ ମିଳିଲେ ପରର୍ବତୀ ଖବର ପ୍ରକାଶ କରାଯିବ ।
ଚଣ୍ଡିଖୋଲ ନିକଟ ଷଣ୍ଢ ମନ୍ଦିର ପରିସରରୁ ଡ୍ରାଇଭରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
|
November 12, 2026 |



