ଗ୍ରାମୀଣ ଭାରତରେ କୋଭିଡ ମହାମାରୀର ମୁକାବିଲା ପାଇଁ ପଞ୍ଚାୟତିରାଜ ମନ୍ତ୍ରଣାଳୟର ତତ୍ପରତା

Spread the love

ପଞ୍ଚାୟତସ୍ତରରେ ମହାମାରୀ ମୁକାବିଲା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶାବଳୀ

• ଗ୍ରାମାଞ୍ଚଳ ଲୋକଙ୍କ ମଧ୍ୟରେ କୋଭିଡ ସଚେତନତା ବୃଦ୍ଧି ପାଇଁ ସଘନ ପ୍ରଚାର ଓ ଯୋଗାଯୋଗ ଅଭିଯାନ ଚାଲିବ

• ପଞ୍ଚାୟତରେ ନିର୍ବାଚିତ ପ୍ରତିନିଧିମାନଙ୍କୁ ଏହି ସଚେତନତା ଅଭିଯାନ ଏବଂ ମହାମାରୀ ନିୟନ୍ତ୍ରଣରେ ନିୟୋଜିତ କରିବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦେଲା ମନ୍ତ୍ରଣାଳୟ

• ପଞ୍ଚାୟତି ରାଜ ମନ୍ତ୍ରଣାଳୟର ସୁପାରିସକ୍ରମେ ଅର୍ଥମନ୍ତ୍ରଣାଳୟ ୨୫ଟି ରାଜ୍ୟ ପାଇଁ ଅନୁଦାନ ଆକାରରେ ଯୋଗାଇଦେଲା ୮୯୨୩.୮କୋଟି ଟଙ୍କା

• ଏହି ଅନୁଦାନ ଗ୍ରାମପଞ୍ଚାୟତ ଓ ଗ୍ରାମୀଣ ଲୋକାଲ ବଡି ଗୁଡିକୁ ମିଳିବ

ନୂଆ ଦିଲ୍ଲୀ ୧୮/୫ (ସନ୍ଧାନ ନିଉଜ) ଦେଶରେ ଏବେ କରୋନା ମହାମାରୀ ଗୁରୁତର ଆକାର ଧାରଣ କରିଛି। ସହରାଞ୍ଚଳ ସମେତ ଦେଶର ଗ୍ରାମାଞ୍ଚଳ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ସଂକ୍ରମଣ ରୋକିବା ସହିତ ଲୋକଙ୍କୁ ସୁରକ୍ଷିତ କରିବା ପାଇଁ ପଞ୍ଚାୟତରାଜ ମନ୍ତ୍ରଣାଳୟ ତତ୍ପରତା ପ୍ରକାଶ କରିଛି। ଗ୍ରାମାଞ୍ଚଳରେ ଲୋକମାନେ ଅଧିକ ସଂକ୍ରମଣ ପ୍ରବଣ ହୋଇଥିବାରୁ ସେମାନଙ୍କୁ ଏହି ମହାମାରୀରୁ ରକ୍ଷା କରିବା ପାଇଁ ପଞ୍ଚାୟସ୍ତରରେ ଏହାର ମୁକାବିଲା କରାଯିବ। ଏଥିପାଇଁ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟମାନଙ୍କ ପାଇଁ ଆବଶ୍ୟକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ତଦନୁସାରେ ରାଜ୍ୟ ସରକାରମାନେ ପଂଚାୟତସ୍ତରରେ ଗ୍ରାମାଞ୍ଚଳରେ ମହାମାରୀ ରୋକିବା ପାଇଁ କାର୍ଯ୍ୟ କରିବେ।

ଗ୍ରାମାଞ୍ଚଳରେ ବ୍ୟାପକ ସଚେତନତା ସୃଷ୍ଟି ସହିତ କୋଭିଡର ମୁକାବିଲା ପାଇଁ ମୌଳିକ ଭିତ୍ତିଭୂମି ଓ ସହାୟକ ବ୍ୟବସ୍ଥା ରାଜ୍ୟ ସରକାରମାନେ କରିବେ। ଏହି କାମରେ ପଞ୍ଚାୟତର ନିର୍ବାଚନ ପ୍ରତିନିଧିଗଣ ଏବଂ ଲୋକାଲବଡିଗୁଡିକର ଲୋକ ପ୍ରତିନିଧି ସମ୍ପୃକ୍ତ ହେବେ। ଏଥିପାଇଁ ଗ୍ରାମ ବା ପଞ୍ଚାୟତ ସ୍ତରରେ ନେତୃତ୍ୱ ନିର୍ମାଣକୁ ଗୁରୁତ୍ୱ ଦିଆଯିବ। ସେମାନେ ବ୍ୟାପକ ସଚେତନତା ସୃଷ୍ଟି କରିବା ସହିତ ସଂକ୍ରମଣ ରୋକିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବେ। ଏହି କାର୍ଯ୍ୟ ପାଇଁ ଅର୍ଥର ଆବଶ୍ୟକତା ରହିଥିବାରୁ ପଞ୍ଚଚାୟତିରାଜ ମନ୍ତ୍ରଣାଳୟର ସୁପାରିସକ୍ରମେ ଅର୍ଥମନ୍ତ୍ରଣାଳୟ ଦେଶର ୨୫ଟି ରାଜ୍ୟ ପାଇଁ ୮୯୨୩ ଦଶମିକ ୮କୋଟି ଟଙ୍କା ପ୍ରଦାନ କରିଛନ୍ତି। ସମ୍ପୃକ୍ତ ରାଜ୍ୟ ସରକାର ଏହି କେନ୍ଦ୍ରୀୟ ଅର୍ଥକୁ ନିଜ ନିଜର ପଞ୍ଚାୟତିରାଜ ଅନୁଷ୍ଠାନକୁ ଅନୁଦାନ ଆକାରରେ ଯୋଗାଇଦେବେ। ସବୁ ପଞ୍ଚାୟତ ଏହି ଅନୁଦାନ ଅର୍ଥକୁ କେବଳ ମହାମାରୀର ମୁକାବିଲା କାର୍ଯ୍ୟରେ ବିନିଯୋଗ କରିବେ।

ମହାମାରୀ ସମ୍ପର୍କରେ ଜନସଚେତନତା ସୃଷ୍ଟି, ଲୋକଙ୍କୁ କୋଭିଡ ନିୟମର ପରିପାଳନ ଓ ଅନ୍ୟାନ୍ୟ ସତର୍କତା ସମ୍ପର୍କରେ ସ୍ଥାନୀୟ ସ୍ୱେଚ୍ଛାସେବୀ, ନିର୍ବାଚିତ ପଞ୍ଚାୟତ ଲୋକପ୍ରତିନିଧି, ଶିକ୍ଷକ ଶିକ୍ଷୟିତ୍ରୀ ଓ ଆଶାକର୍ମୀ ଆଦି ଅବଗତ କରାଇବେ। ଫିଙ୍ଗର ଅକ୍ସିମିଟର, ଏନ-୯୫ମାସ୍କ ଓ ଇନ୍ଫାରେଟେଡ୍ ଥର୍ମାଲ ସ୍କାନିଙ୍ଗ ଯନ୍ତ୍ର ଓ ସାନିଟାଇଜର ଆଦି କିଣିବା ପାଇଁ ପଞ୍ଚାୟତ ଏହି ଅର୍ଥ ଖର୍ଚ୍ଚ କରିପାରିବ।ଆହୁରି ମଧ୍ୟ ଚିକିତ୍ସା ବ୍ୟବସ୍ଥା, ହସ୍ପିଟାଲ ଓ ଶଯ୍ୟାର ଉପଲବ୍ଧତା, ସ୍ୱତନ୍ତ୍ର ଚିକିତ୍ସା ସୁବିଧା ସଂକ୍ରାନ୍ତ ତଥ୍ୟାବଳୀ ପଞ୍ଚାୟତ ପକ୍ଷରୁ ଏକ ଡିସ୍ପ୍ଲେ ବୋର୍ଡରେ ପ୍ରଦର୍ଶନ କରାଯିବ ଏବଂ ଲୋକଙ୍କୁ ସୂଚନା ଦିଆଯିବ। ଆବଶ୍ୟକସ୍ଥଳେ ଆକ୍ରାନ୍ତଙ୍କ ପରୀକ୍ଷା ଓ ଚିକିତ୍ସା ପାଇଁ ବ୍ଲକ, ଜିଲ୍ଲା ଓ ଅନ୍ୟାନ୍ୟ ଚିକିତ୍ସା କେନ୍ଦ୍ରକୁ ପଠାଇବାରେ ବ୍ୟବସ୍ଥା କରାଯିବ। ବିଭିନ୍ନ ୱାର୍ଡରେ ପଞ୍ଚାୟତି ପ୍ରତିନିଧିମାନେ ଆତ୍ମଘୋଷିତ ଲକ୍ଡାଉନ ବା ତାଲାବନ୍ଦ ଘୋଷଣା କରିବା ସହ ଲୋକଙ୍କ ଅଭାବ ଅସୁବିଧା ବୁଝିବେ। ଗ୍ରାମାଞ୍ଚଳ ପରିବହନ ବ୍ୟବସ୍ଥା ରାଜ୍ୟ ସରକାର ନିଶ୍ଚିତ କରିବେ। ପଞ୍ଚାୟତ ସ୍ତରରେ ଏହି ମହାମାରୀ ନିୟନ୍ତ୍ରଣ କାର୍ଯ୍ୟ କିପରି ଚାଲୁଛି ରାଜ୍ୟ ସରକାର ତାହାର ବିଧିବଦ୍ଧ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

 

source- odiapua

Related Posts

About The Author

Add Comment