ଜେନାପୁର/୦୫/୧୧/,(ସନ୍ଧାନ ନ୍ୟୁଜ୍) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଳକ୍ ଅନ୍ତର୍ଗତ ଓଡିଶା ଗ୍ରାମ୍ୟ ବ୍ୟାଙ୍କ୍ ଚଣ୍ତିଖୋଲ ଆଞ୍ଚଳିକ କାର୍ଯ୍ୟାଳୟ ଅଧିନରେ ଥିବା ବ୍ୟାଙ୍କ୍ ବିହୀନ ବିଭିନ୍ନ ଅଣପଞ୍ଚାୟତ ଗୁଡିକରେ ନିଯୁକ୍ତି ପାଇଥିବା ବ୍ୟବସାୟିକ ପ୍ରତିନିଧି (ବିସି)ଙ୍କ ୨ ବର୍ଷରୁ ଉର୍ଦ୍ଧ୍ବ ହେବ କାର୍ଯ୍ୟ ବନ୍ଦ ଯୋଗୁଁ ଦୁର୍ଦ୍ଦିନ ଅବସ୍ତାରେ ପରିବାରର ଜୀବନ ବିତାଉଛନ୍ତି । ଏହି ବ୍ୟାଙ୍କ୍ ମେ ୦୧ ୨୦୨୫ ରେ ଆର ଆର୍ ବି ପଲିସ୍ ଅନୁସାରେ ଗୋଟିଏ ରାଜ୍ୟ ଗୋଟିଏ ଗ୍ରାମୀଣ ବ୍ୟାଙ୍କ୍ ନାମରେ ଓଡିଶା ଗ୍ରାମ୍ୟ ବ୍ୟାଙ୍କ୍ ଓ ଉତ୍କଳ ଗ୍ରାମୀଣ ବ୍ୟାଙ୍କ୍ ମିଶ୍ରଣ କରାଯାଇ ଓଡିଶା ଗ୍ରାମୀଣ ବ୍ୟାଙ୍କ୍ ନାମକରଣ କରାଯାଇଥିଲା । ବର୍ତ୍ତମାନ ଉତ୍କଳ ଗ୍ରାମୀଣ ବ୍ୟାଙ୍କ୍ ର ବିସିମାନେ ଗ୍ରାହକମାନଙ୍କୁ ସେବା ଜାରୀ ରଖୁଥିଲା ବେଳେ ଓଡିଶା ଗ୍ରାମ୍ୟ ବ୍ୟାଙ୍କ୍ ବିସିଙ୍କର ବିଭିନ୍ନ ସମସ୍ୟା ଦେଖାଇ ବ୍ୟାଙ୍କ୍ କାର୍ଯ୍ୟରୁ ନିବୃତ ରଖିଛନ୍ତି । ସେହିପରି ପୂର୍ବ ନାମ ଅନୁସାରେ ଓଡିଶା ଗ୍ରାମ୍ୟ ବ୍ୟାଙ୍କ୍ ଅଧିନରେ ଥିବା ଯାଜପୁର ଜିଲ୍ଲା ସମେତ ଓଡିଶାରେ ଥିବା ୧୩ ଜିଲ୍ଲାର ୯ଟି ଆଞ୍ଚଳିକ କାର୍ଯ୍ୟାଳୟରେ ଅଧିନରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କ୍ ର ୭୩୨ ବ୍ୟାବସାୟିକ ପ୍ରତିନିଧି (ବିସି) ଉଚ୍ଚ ନ୍ୟାୟଳୟ ନିର୍ଦ୍ଦେଶ ଓ ବ୍ୟାଙ୍କ୍ ସର୍ଭର ଅସୁବିଧା ଦେଖେଇ ଦୀର୍ଘ ୨ ରୁ ୩ ବର୍ଷ ଧରି କାର୍ଯ୍ୟରୁ ନିବୃତ ରଖିଛନ୍ତି । ୧୩ଟି ଜିଲ୍ଲାର ୫୫୦ ଶାଖା ଅଧିନରେ ପ୍ରାୟ ୭୩୨ ବ୍ୟବସାୟିକ ପ୍ରତିନିଧିମାନେ ଖାତାଧାରୀ ଓ ଗ୍ରାହକମାନଙ୍କୁ ସେମାନଙ୍କର ଦୁଆର ମୁହଁରେ ମୌଳିକ ବ୍ୟାଙ୍କ୍ ସେବା ଦୀର୍ଘ ୧୦ ବର୍ଷ ଧରି ଯୋଗାଇ ଦେଇ ଆସୁଥିଲେ। ସେଥି ମଧ୍ୟରୁ କାଳିଆ ଯୋଜନା ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ମନରେଗା ଯୋଜନା, ବିଧବା ଭତ୍ତା,ବାର୍ଦ୍ଧକ୍ୟ ଭତ୍ତା,ଦିବ୍ୟାଙ୍ଗ ଭତ୍ତା ଆଦି ଅନେକ ଯୋଜନାର ହିତାଧିକାରୀଙ୍କ ଖାତାକୁ ଆସୁଥିବା ନଗଦ ଅର୍ଥ ରାଶିକୁ ସେମାନଙ୍କ ଦୁଆରେ ପହଞ୍ଚିବା କାର୍ଯ୍ୟ ଏହି ବିସିମାନେ ସୂଚାରୁ ରୁପେ ନିଶୁଳ୍କ ଓ ନିରନ୍ତର ଭାବେ ବ୍ୟାଙ୍କିଙ୍ଗ୍ ସେବା ଯୋଗାଇ ଦେଇଆସୁଥିଲେ । ଏହି କାର୍ଯ୍ୟ ପାଇଁ ବ୍ୟାଙ୍କ୍ ତରଫରୁ କିଛି କମିଶନ ସେମାନଙ୍କୁ ଦିଆଯାଉଥିଲା। ସେଥିରେ ସେମାନେ ଜେନତେନ ପ୍ରକାରେ ସେମାନଙ୍କର ପରିବାର ପ୍ରତିପୋଷଣ କରୁଥିଲେ। କିନ୍ତୁ ଗତ ଡିସେମ୍ବର ୨୦୨୧ ମସିହାରେ ଏହି ପାରିଶ୍ରମିକର ପ୍ରାୟ ୭୦ ପ୍ରତିଶତ ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କ ଦ୍ଵାରା କମିସନ୍ କାଟି ଦିଆଯାଇଥିଲା । ଯାହା ଫଳରେ ଅଳ୍ପ ପାରିଶ୍ରମିକ ତଥା ଏକ ଦିନ ମଜୁରୀଆ ଠାରୁ କମ୍ ପାରିଶ୍ରିକରେ ପରିବାର ପ୍ରତିପୋଷଣ କରିବା ଅସମ୍ଭବର କାରଣ ଦର୍ଶାଇ ଓଡିଶା ଗ୍ରାମ୍ୟ ବ୍ୟାଙ୍କ୍ ବିସି ସଂଘ ତରଫରୁ ପ୍ରତିବାଦ କରିବା ସଙ୍ଗେ ସଙ୍ଗେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ପାଇଁ ଅନୁରୋଧ କରାଯାଇଥିଲା । କିନ୍ତୁ ସଂଘ ସହ ଆଲୋଚନା ତ ଦୂରର କଥା, ବରଂ ଚଞ୍ଚକତା କରି ଏହି ବିସି ବ୍ୟବସ୍ଥାକୁ ବ୍ୟାଙ୍କ୍ ଅଧିନରୁ ନେଇ ବେସରକାରୀ ସଂସ୍ଥା ହାତକୁ ଟେକି ଦେବାର ଅପଚେଷ୍ଟା କରାଯାଇଥିଲା । ଏହି ଚଞ୍ଚକତା ପୂର୍ଣ୍ଣ ଯୋଜନାକୁ କାର୍ଯ୍ୟକାରୀ ନ କରିବା ପାଇଁ ସଂଘ ପକ୍ଷରୁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେଇଥିଲା । ସଂଘର ପ୍ରାର୍ଥନାକୁ ଶୁଣି ମାନ୍ୟବର ଉଚ୍ଚ ନ୍ୟାୟାଳୟ ୨ ଡିସେମ୍ବର ୨୦୨୨ ତାରିଖରେ ଏକ ଅନ୍ତରୀଣ ଆଦେଶ ପ୍ରଦାନ କଲେ । ସେଥିରେ ସ୍ପଷ୍ଟ ଉଲ୍ଲେଖ କଲେ ଯେ ବ୍ୟାଙ୍କ୍ ତା’ର ବିସି ବ୍ୟବସ୍ଥାର ଘରୋଇକରଣର ପ୍ରକ୍ରିୟା ଜାରିରଖି ପାରିବ। କିନ୍ତୁ କୋର୍ଟର ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କୌଣସି ଅନ୍ତିମ ନିଷ୍ପତ୍ତି ନେଇ ପାରିବ ନାହିଁ ଏବଂ ବିସି ମାନଙ୍କର ସ୍ଥିତାବସ୍ଥା ବଜାୟ ରହିବ। କିନ୍ତୁ ୧ ଏପ୍ରିଲ ୨୦୨୩ ତାରିଖରେ ବ୍ୟାଙ୍କ୍ କର୍ତ୍ତୃପକ୍ଷ ବିସିମାନଙ୍କୁ ଦିଆଯାଇଥିବା ମେସିନ୍ ଟିକୁ ବନ୍ଦ କରିଦିଅଗଲା। ଯାହାଦ୍ୱାରା କି ବିସିମାନେ ଆଉ କୌଣସି କାମ କରିପାରିଲେ ନାହିଁ। ଅପର ପକ୍ଷରେ ସବୁ ବିସିମାନଙ୍କୁ ସେମାନଙ୍କର ମେସିନ କୁ ଫେରାଇଦେବା,ଏବଂ ସେମାନେ ଆଉ ବ୍ୟାଙ୍କ୍ ପାଇଁ କାମ କରୁନାହାନ୍ତି ତେଣୁ ଯଦିକେହି ସେମାନଙ୍କ ସହ କୌଣସି ବ୍ୟାବସାୟିକ ସମ୍ପର୍କ ରଖନ୍ତି ସେଥିପାଇଁ ବ୍ୟାଙ୍କ୍ ଦାୟୀ ରହିବ ନାହିଁ ଭଳି ନିର୍ଦ୍ଦେଶ ନାମା ବ୍ୟାଙ୍କ୍ ତଥା ପଞ୍ଚାୟତର ବିଭିନ୍ନ ସ୍ଥାନରେ ନୋଟିସ୍ ଆକାରରେ ମାରିବା ପାଇଁ ଶାଖା ପରିଚାଳକମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଭଳି ନିର୍ଦ୍ଦେଶ ଅଦାଲତର ଅବମାନନା ଦର୍ଶାଇ ସଂଘ ତରଫରୁ ଏକ ଅଦାଲତ ଅବମାନନା କେସ୍ କରାଯାଇଛି ଯାହାକି କୋର୍ଟର ବିଚାରାଧୀନ ଏ ପର୍ଯ୍ୟନ୍ତ ରହିଛି। ଇତି ମଧ୍ୟରେ ସରକାର ପ୍ରତି ପଞ୍ଚାୟତରେ ବ୍ୟାଙ୍କ୍ ସେବା ଯୋଗାଇବା ପାଇଁ ୬ ଟି ବାଣିଜ୍ୟକ ବ୍ୟାଙ୍କ୍ ସହ ଚୁକ୍ତିନାମା ସ୍ଵାକ୍ଷର କରିଛନ୍ତି। ସେଥିରେ ଓଡିଶା ଗ୍ରାମ୍ୟ ବ୍ୟାଙ୍କ୍ ର ନାମ ନାହିଁ କାରଣ ବ୍ୟାଙ୍କ୍ ତରଫରୁ ସରକାରଙ୍କ ନିକଟରେ ,ଆମର କୌଣସି ବିସି ନାହାନ୍ତି ବୋଲି ଏକ ମିଥ୍ୟା ତଥ୍ୟ ଉପସ୍ଥାପନ କରାଯାଇଛି । ଏହାର ପ୍ରତିବାଦ ସ୍ବରୂପ ୪ ସେପ୍ଟେମ୍ବର ୨୦୨୩ ତାରିଖରେ ଲୋୟର୍ ପିଏମ୍ ଜି ଭୁବନେଶ୍ୱର ଠାରେ ସଂଘ ତରଫରୁ ଏକ ଦିନିକିଆ ପ୍ରତିବାଦସଭା ଓ ଧାରଣାର ଆୟୋଜନ କରାଯାଇଥିଲା। ଘଟଣାର ସମାଧାନ ୭ ଦିନ ମଧ୍ୟରେ କରିବା ପାଇଁ ସରକାରଙ୍କ ତରଫରୁ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ସରକାର ବା ବ୍ୟାଙ୍କ୍ କର୍ତ୍ତୃପକ୍ଷ କୌଣସି ସମାଧାନର ବାଟ ବାହାର କରିନାହାନ୍ତି। ବିସିମାନେ ନିଜର ମାନସମ୍ମାନ ତଥା ରୋଜଗାର ହରାଇ ଆର୍ଥିକ ଏବଂ ମାନସିକ ଦୁଃଶଚିନ୍ତାରେ ଥିବା ସହ ଜନସାଧାରଣ ମଧ୍ୟ ବ୍ୟାଙ୍କ୍ ସେବାରୁ ବଞ୍ଚିତ ହେଉଛନ୍ତି। ଏହି ସମସ୍ୟାର ଅଭିଯୋଗ ନେଇ ବାରମ୍ବାର ପ୍ରଧାନମନ୍ତ୍ରୀ,ଓଡିଶାର ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ,ଭାରତର ବିତ୍ତମନ୍ତ୍ରଳାୟ ମନ୍ତ୍ରୀ ନିର୍ମଳ ସିତାରମଣ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରୁ ନାହିଁ ପ୍ରତିଶ୍ରୁତି ଖାଲି ଧୂଆଁ ବାଣ ସଦୃଶ ହୋଇଯାଇଛି । ଲୋକଙ୍କର ପ୍ରିୟ ସରକାର ଲୋକଙ୍କ ସମସ୍ୟା ସମାଧାନ ଦୂର କରିବା ପରିବର୍ତ୍ତେ ମନ୍ଥର ଗତିରେ କାର୍ଯ୍ୟ ଚାଲୁଛି । ତେଣୁ ସରକାର ତଥା ବ୍ୟାଙ୍କ୍ କର୍ତ୍ତୃପକ୍ଷ ସମନ୍ୱୟରେ ତୁରନ୍ତ ସଫଳ ଆଲୋଚନା ମାଧ୍ୟମରେ ଏ ସମସ୍ୟାର ସମାଧାନ ବାଟ ବାହାର କରାଯାଇ ବିସିମାନଙ୍କୁ ପୁନଃ ନିଯୁକ୍ତି ଦେବା ସହିତ କାର୍ଯ୍ୟରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଜାରୀ କରନ୍ତୁ ବୋଲି ସଙ୍ଘ ତରଫରୁ ଦାବୀ ହେଉଛି
ଗ୍ରାମୀଣ ବ୍ୟାଙ୍କରେ ୨ ବର୍ଷ ହେଲା କାର୍ଯ୍ୟ ବନ୍ଦ’ଦୁର୍ଦ୍ଦିନ ଅବସ୍ଥାରେ ବିସି ପରିବାର’
|
November 5, 2025 |



