ଦୁବାଇ, ୯/୧ (ସନ୍ଧାନ ନିୟୁଜ) : ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳାରେ ଦମ୍ଦାର ପ୍ରଦର୍ଶନ କରିଥିବା ଚେତେଶ୍ବର ପୂଜାରା, ଋଷଭ ପନ୍ତ୍ ଓ କୁଲ୍ଦୀପ୍ ଯାଦବ ଆଇସିସି (ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ)ର ଟେଷ୍ଟ୍ ମାନ୍ୟତାରେ ବଡ଼ ଲମ୍ଫ ମାରିଛନ୍ତି। ୪ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ମୋଟ ୫୨୧ ରନ୍ କରି କୌଣସି ବିଦେଶ ଗସ୍ତରେ ଶ୍ରେଷ୍ଠ ସଫଳତା ହାତେଇଥିବା ପୂଜାରା ଗୋଟିଏ ସ୍ଥାନ ଉଠି ବ୍ୟାଟ୍ସମ୍ୟାନ୍ଙ୍କ ତାଲିକାର ତୃତୀୟରେ ପହଞ୍ଚିଛନ୍ତି। ଭାରତ ୨-୧ରେ ଜିତିଥିବା ଶୃଙ୍ଖଳାର ଅମୀମାଂସିତ ଚତୁର୍ଥ ଟେଷ୍ଟ୍ ପ୍ରଥମ ପାଳିରେ କରିଥିବା ୧୯୩ ରନ୍ ପୂଜାରାଙ୍କର ବିଦେଶ ମାଟିରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍ ଥିଲା। ସେ ମଧ୍ୟ ଏହି ଶୃଙ୍ଖଳାରେ ଆଡିଲେଡ୍ ଓ ମେଲ୍ବର୍ନ ଟେଷ୍ଟ୍ରେ ଶତକ ଜମାଇଥିଲେ। ଶୃଙ୍ଖଳାରେ ସର୍ବାଧିକ ସ୍କୋର୍ କରିଥିବା ପୂଜାରା ମଧ୍ୟ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ତେବେ ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳାରେ ସବୁଠୁ ଅଧିକ ଫାଇଦା ଉଠାଇଛନ୍ତି ଯୁବ ୱିକେଟ୍ରକ୍ଷକ ଋଷଭ ପନ୍ତ୍। ସିଡ୍ନିରେ ଅମୀମାଂସିତ ଚତୁର୍ଥ ଟେଷ୍ଟ୍ର ପ୍ରଥମ ପାଳିରେ ଅପରାଜିତ ୧୫୯ ରନ୍ କରିଥିବା ପନ୍ତ୍ ବ୍ୟାଟ୍ସମ୍ୟାନ୍ଙ୍କ ମାନ୍ୟତା ତାଲିକାରେ ଏକାବେଳକେ ୨୧ ସ୍ଥାନ ଲମ୍ଫ ମାରି ଶୀର୍ଷ-୨୦ ମଧ୍ୟକୁ ପ୍ରବେଶ କରିଛନ୍ତି। ଆଇସିସି ଦ୍ବାରା ମଙ୍ଗଳବାର ସାନି ପ୍ରକାଶିତ ମାନ୍ୟତା ତାଲିକାରେ ପନ୍ତ୍ ୬୭୩ ପଏଣ୍ଟ୍ ପାଇ ୧୭ତମ ସ୍ଥାନରେ ରହିଛନ୍ତି। କୌଣସି ଭାରତୀୟ ୱିକେଟ୍ରକ୍ଷକ ଏହା ପୂର୍ବରୁ ପନ୍ତ୍ଙ୍କଠାରୁ ଉଚ୍ଚ ମାନ୍ୟତା ପାଇନଥିଲେ। ଏକ୍ଷେତ୍ରରେ ପନ୍ତ୍ ପୂର୍ବତନ ୱିକେଟ୍ରକ୍ଷକ ମହେନ୍ଦ୍ର ସିଂହ ଧୋନିଙ୍କୁ କାଟି ଦେଇଛନ୍ତି। ଭାରତର ସର୍ବଶ୍ରେଷ୍ଠ ମାନ୍ୟତାପ୍ରାପ୍ତ ୱିକେଟ୍ରକ୍ଷକ ଭାବେ ଧୋନି ୬୬୨ ପଏଣ୍ଟ୍ ପାଇଥିଲା ବେଳେ ତାଙ୍କ ସର୍ବୋଚ୍ଚ ମାନ୍ୟତା ୧୯ ଥିଲା। ପନ୍ତ ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳାରେ ଦ୍ବିତୀୟ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍ (୩୫୦ ରନ୍) କରିଥିଲା ବେଳେ ୱିକେଟ୍ ପଛରେ ୨୦ ସଫଳତା ସାଉଁଟିଥିଲେ। ପନ୍ତ୍ ମଧ୍ୟ ଜଣେ ବିଶେଷଜ୍ଞ ୱିକେଟ୍ରକ୍ଷକ ଭାବେ ଆଇସିସି ମାନ୍ୟତାରେ ଭାରତ ପାଇଁ ଫାରୁକ୍ ଇଞ୍ଜିନିୟରଙ୍କ ସହ ଯୁଗ୍ମ ଦ୍ବିତୀୟ ହୋଇଛନ୍ତି। ଅନ୍ୟ ଭାରତୀୟ ବ୍ୟାଟ୍ସମ୍ୟାନ୍ଙ୍କ ମଧ୍ୟରେ ଅଧିନାୟକ ବିରାଟ କୋହଲି ଶୀର୍ଷ ସ୍ଥାନରେ ଅପରିବର୍ତିତ ରହିଥିଲା ବେଳେ ଅଲ୍ରାଉଣ୍ଡର ରବୀନ୍ଦ୍ର ଜାଦେଜା ୬ ସ୍ଥାନ ଉଠି ୫୭ ଏବଂ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରୱାଲ ୫ ସ୍ଥାନ ଉଠି ୬୨ରେ ପହଞ୍ଚି ଯାଇଛନ୍ତି।
ବୋଲରଙ୍କ ମାନ୍ୟତାରେ ସିଡ୍ନି ଟେଷ୍ଟ୍ରେ ୫/୯୯ର ବୋଲିଂ ଚିତ୍ର ପାଇଥିବା ଚାଇନା ମ୍ୟାନ୍ ସ୍ପିନର କୁଲ୍ଦୀପ୍ ଯାଦବ ୭ ସ୍ଥାନ ଲମ୍ଫ ଦେଇ ଜୀବନର ଶ୍ରେଷ୍ଠ ୪୫ ମାନ୍ୟତା ପାଇଛନ୍ତି। ଅନ୍ୟ ବୋଲରଙ୍କ ମଧ୍ୟରେ ଦ୍ରୁତ ବୋଲର ଯଶ୍ପ୍ରୀତ୍ ବୁମ୍ରା ୧୬ତମ ସ୍ଥାନରେ ସ୍ଥିର ରହିଥିଲା ବେଳେ ମହମ୍ମଦ ସାମି ଗୋଟିଏ ସ୍ଥାନ ଉଠି ୨୨ରେ ପହଞ୍ଚିଛନ୍ତି। ରବୀନ୍ଦ୍ର ଜାଦେଜା ମଧ୍ୟ ଗୋଟିଏ ସ୍ଥାନ ଲମ୍ଫ ମାରି ପଞ୍ଚମରେ ପହଞ୍ଚିଥିଲା ବେଳେ ରବିଚନ୍ଦ୍ରନ୍ ଅଶ୍ବିନ୍ ନବମ ସ୍ଥାନରେ ସ୍ଥିର ରହିଛନ୍ତି। ଅଲ୍ରାଉଣ୍ଡର ମାନ୍ୟତା ତାଲିକାରେ ଜାଦେଜା ଦ୍ବିତୀୟ ସ୍ଥାନକୁ ଲମ୍ପ ଦେଇଥିଲା ବେଳେ ଅଶ୍ବିନ୍ ଷଷ୍ଠ ସ୍ଥାନରେ ରହିଛନ୍ତି।
ନୂଆଦିଲ୍ଲୀ,: ବହୁ ପ୍ରତୀକ୍ଷିତ ଅଭେଦ୍ୟ ଦୁର୍ଗ ‘ଅଷ୍ଟ୍ରେଲିଆ’କୁ ଦଖଲ ପରେ ଭାରତୀୟ କ୍ରିକେଟ୍ ଦଳର ପରବର୍ତୀ ଲକ୍ଷ୍ୟ ନିଶ୍ଚିତ ରହିବ ଦକ୍ଷିଣ ଆଫ୍ରିକା। ପ୍ରମୁଖ କ୍ରିକେଟ୍ ରାଷ୍ଟ୍ରଗୁଡ଼ିକ ମଧ୍ୟରୁ ଏହି ଆଫ୍ରିକୀୟ ଦେଶରେ ଭାରତ କେବେ ଶୃଙ୍ଖଳା ଜିତିପାରିନାହିଁ। କଙ୍ଗାରୁ ଶିକାର ପରେ କୋହଲି ସେନା ଆଗରେ ନିଶ୍ଚିତ ରହିବ ଏହି ଏକମାତ୍ର ଆହ୍ବାନ। କିନ୍ତୁ ଏହି ସୁଯୋଗ ନିକଟ ଭବିଷ୍ୟତରେ ଆସିବାର ନାହିଁ। ଠିକ୍ ଦୁଇ ଋତୁ ପରେ ହିଁ ଭାରତୀୟ କ୍ରିକେଟ୍ ଦଳ ଦକ୍ଷିଣ ଆଫ୍ରିକା ଗସ୍ତ କରିବ। ୨୦୨୦-୨୧ ଋତୁରେ ଭାରତୀୟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ ସୂଚୀ ରହିଛି। ଏହା ପୂର୍ବରୁ ଅବଶ୍ୟ ଦକ୍ଷିଣ ଆଫ୍ରିକା ୨୦୧୯ ଅକ୍ଟୋବରରେ ଭାରତ ଗସ୍ତରେ ଆସି ଟେଷ୍ଟ୍ ଶୃଙ୍ଖଳା ଏବଂ ୨୦୨୦ ମାର୍ଚରେ ସୀମିତ ଓଭର ଶୃଙ୍ଖଳା ଖେଳିବା କାର୍ଯ୍ୟକ୍ରମ ରହିଛି। ଆସନ୍ତୁ ବିଦେଶରେ ଭାରତର ପ୍ରଥମ ଟେଷ୍ଟ୍ ଶୃଙ୍ଖଳା ବିଜୟର ତାଲିକା ଉପରେ ନଜର ପକାଇନେବା।