କୁସ୍ତିରା ଠାରୁ ଜେନାପୁର କେନାଲ ରାସ୍ତା ଖାଲରେ ଭର୍ତ୍ତି, ତୁରନ୍ତ ମରାମତି ଦାବି
କୁସ୍ତିରା ଠାରୁ ଜେନାପୁର କେନାଲ ରାସ୍ତା ଖାଲରେ ଭର୍ତ୍ତି, ତୁରନ୍ତ ମରାମତି ଦାବି
Manas Kumar Rout |
December 7, 2018 |

ଯାଜପୁର,୭/୧୨ (ସନ୍ଧାନ ନିୟୁଜ) ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଅଣ୍ଟିଆ ପଂଚାୟତ କୁସ୍ତିରା ଛକ ଠାରୁ ଜେନାପୁର ପର୍ଯ୍ୟନ୍ତ ଲମ୍ବିଥିବା ହାଇ ଲେଭଲ୍ କେନାଲ୍ ଉପର ପାଶ୍ୱର୍ ରାସ୍ତାଟି ଦୀର୍ଘ ଦିନ ହେବ ମରାମତି ଅଭାବରୁ ଯାତାୟତ କରିବାରେ ବହୁ ଅସୁବିଧା ଉପୁଜୁଛି । ଏଥିନେଇ ବିଭାଗୀୟକ ଅଧିକାରୀଙ୍କୁ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଉ ନାହିଁ । ଫଳରେ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି । ସୂଚନା ଯେ ହାଇ ଲେଭଲ୍ କେନାଲ୍ ଦୁଇ ପାଶ୍ୱର୍କୁ ସମ୍ପ୍ରସାରଣ କରାଯାଇ ଗମନା ଗମନ କ୍ଷେତ୍ରରେ ବ୍ୟବହାର କରାଯାଉଛି । ନାକପୋଲ ଲକ୍ ଛକ ଠାରୁ ଜେନାପୁର ପର୍ଯ୍ୟନ୍ତ କେନାଲର ଦୁଇ ପାଶ୍ୱର୍ରେ ଲୋକମାନେ ଯାତାୟତ କରିଥାନ୍ତି । ବ୍ରାହ୍ମଣୀ ନଦୀ ପାଶ୍ୱର୍ ରାସ୍ତାଟି ବ୍ୟସ୍ତ ବହୁଳ ଅଟେ । ଏହି ରାସ୍ତା ଦେଇ ଧର୍ମଶାଳାରୁ ପଡ଼ୋଶୀ ଜିଲ୍ଲା ଢେଙ୍କାନାଳକୁ ସଂଯୋଗ କରିଛି । ସେହିପରି କେନାଲର ଅପର ପାଶ୍ୱର୍ ରାସ୍ତାଟି କୁସ୍ତିରା ଛକ ଠାରୁ ଜେନାପୁର ପର୍ଯ୍ୟନ୍ତ ଲମ୍ବିଛି । ଏହି ରାସ୍ତାରେ ପାଂଚଗୋଟି ପଂଚାୟତର ଲୋକମାନେ ଯାତାୟତ କରିଥାନ୍ତି । ସେ ପଂଚାୟତଗୁଡ଼ିକ ହେଲା- ଅଣ୍ଟିଆ, କମାଗଡ଼, ପୁରୁଣା ବଉଳମାଳ, ସାହାଣିଡିହ ଓ ଚକ୍ରଧରପୁର । ଏହିସବୁ ପଂଚାୟତର ଶହଶହ ଲୋକ ଦୈନିକ ଜାରକା, ଧର୍ମଶାଳା, ଯାଜପୁର ଜିଲା ମହକୁମା, କଟକ, ଭୁବନେଶ୍ୱର ସମେତ ପନିପରିବା ଧରି ନିକଟସ୍ଥ ବାରବାଟୀ ପରିବା ବଜାରକୁ ଯାଇଥାନ୍ତି । ସେହିପରି ଅନ୍ୟ ଅଂଚଳର ଲୋକମାନେ ମଧ୍ୟ ଏହି ରାସ୍ତା ଦେଇ ୫୩ନଂ ଜାତୀୟ ରାଜପଥ ବାଲିସାହି ଓ କନ୍ତପଡ଼ା ଦେଇ କଳିଙ୍ଗ ନଗର ଯାଇଥାନ୍ତି । ରାତି ସମୟରେ ସ୍ଥାନୀୟ ଲୋକମାନେ ଘରକୁ ଫେରୁଥିଲା ବେଳେ ରାସ୍ତାରେ ସୃଷ୍ଟି ହୋଇଥିବା ଖାଲ ଖମାରେ ପଡ଼ି ଦୁର୍ଘଟଣାର ଶିକାର ହୋଇଥାନ୍ତି । କିଛି ମାସ ବ୍ୟବଧାନରେ ବହୁ ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକମାନେ କହିଛନ୍ତି । ଜାରକା ସ୍ଥିତ ଗ୍ରାମ୍ୟ ନିର୍ମାଣ ବିଭାଜନ ଯାଜପୁର-୨ ପକ୍ଷରୁ ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟ କରାଯାଇଥିଲା । ତାହା ଏବେ ଗମନା ଗମନ ଅନୁପଯୋଗୀ ହୋଇପଡ଼ିଛି । ବିଭାଗ ପକ୍ଷରୁ ମରାମତି କାର୍ଯ୍ୟ କରାଯାଉ ନଥିବାରୁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବା ଦେଖିବାବୁ ମିଳୁଛି । ଉକ୍ତ ରାସ୍ତାକୁ ତୁରନ୍ତ ମରାମତି କରିବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।
Related Posts
About The Author