ରାଉରକେଲା,୧୮/୧୨/୨୦୨୦ (ସନ୍ଧାନ ନିଉଜ): ୨୦୨୦ ବର୍ଷ ସରିବାକୁ ବସିଲାଣି, ହେଲେ ଏଯାଏ ସାରନଗରୀର ଏହି କଲୋନୀରେ ସୁଧୁରି ପାରୁନି ପରିମଳ ବ୍ୟବସ୍ଥା! ଏପରି ଦେଖିବାକୁ ମିଳିଛି ଦକ୍ଷିଣ ରାଉରକେଲା ଅନ୍ତର୍ଗତ ସାରନଗରୀର ଆର.ଏଚ କଲୋନୀରେ । ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାରେ ସୁଧାର ପାଇଁ ଅଂଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି । ଏହି କଲୋନୀ ରାସ୍ତା କଡ଼ରେ ଅଳିଆ, ଆବର୍ଜନା ଜମି ରହିବା କାରଣରୁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି, ଯାହାଫଳରେ ବୟସ୍କ ଓ ଶିଶୁ ମାନେ ରାସ୍ତାରେ ଯିବା ସମୟରେ ଏହାର ପ୍ରଭାବ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ପଡ଼ିବା ସ୍ୱାଭାବିକ । ସେହିପରି ଗୃହପାଳିତ ପଶୁ ମାନେ ଅଳିଆରେ ପଡ଼ିଥିବା କାଗଜ, ପଲିଥିନ ଆଦି ସେବନ କରୁଥିବାରୁ ଏହା ଚିନ୍ତାର କାରଣ ପାଲଟିଛି । ଉକ୍ତ କଲୋନୀର ଏକ ଟ୍ରାନସ୍ଫରମର ପାଖରେ ଅଳିଆ ଫୋପାଡ଼ିବାକୁ ଏକ ବଡ଼ କୁଣ୍ଡ କରାଯାଇଛି, ସେଠାରେ ଲୋକେ ଅଳିଆ ଫୋପାଡ଼ିବା ଲକ୍ଷ୍ୟ କରାଯାଉଛି । ମାତ୍ର ଅନେକ ସମୟରେ ସେହି ଅଳିଆ ଆବର୍ଜନା ଗୁଡ଼ିକ ପବନରେ ଉଡ଼ିଆସି ଲୋକଙ୍କ ଘର ଦୁଆର ଓ ରାସ୍ତାରେ ପଡୁଥିବା ଅଭିଯୋଗ ହୋଇଛି । ଏହି କଲୋନୀ ରାଉରକେଲା ମହାନଗର ନିଗମ ଅଧିନରେ ଆସୁନଥିବାରୁ ଏଠାରେ ସ୍ୱଚ୍ଛ ପରିମଳ ପ୍ରତି ଏତେଟା ଦୃଷ୍ଟି ଦିଆଯାଉ ନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି । ଏଣୁ ପ୍ରଶାସନ ଏଦିଗରେ ତୁରନ୍ତ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ସ୍ଥାନୀୟ ବାସିନ୍ଦା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ।
କଲୋନୀ ରାସ୍ତାରେ କୁଢକୁଢ ଅଳିଆ, ସୁଧାର ପାଇଁ ଦାବି
|
December 18, 2020 |
