କରୋନା ଦେବନି ଦଗା

Spread the love
ଜନ୍ମସ୍ଥଳ ଚୀନ
ଦେଶକୁ ଛାଡି ।
କରୋନା ଭାଇରସ
ଆସିଲା ମାଡି ।।
ସାରା ବିଶ୍ୱ ଗଲା ଚରି ।
ପ୍ରଭାବେ ତାହାର
କବଳିତ ହୋଇ
କେତେଯେ ଗଲେଣି ମରି ।।
ଯିଏ ଥିଲେ ଦୂର
ବିଦେଶେ ଯାଇଁ ।
କରୋନା ଭୟରେ
ଆସିଲେ ଧାଇଁ ।।
ତାଙ୍କ ସାଥେ ଭାଇରସ ।
ଆସିବାରୁ ଭାଇ
ଆମ ଦେଶ ରାଜ୍ୟ
ଜିଲ୍ଲାକୁ କଲାଣି ଗ୍ରାସ ।।
ଆତଙ୍କ ଖେଳାଇ
କରୋନା ରୋଗ ।
ବିଶ୍ୱକୁ ମାଡୁଛି
ବଢ଼ାଇ ବେଗ ।।
ଭୟାତୁର ସବୁ ଲୋକେ ।
ଏ ବିପଦୁ ରକ୍ଷା
ପାଇବା ପାଇଁକି
ଠାକୁରେ ଡାକନ୍ତି ଥୋକେ ।।
ଆଉ କିଛି କଥା
ନେଉନି ମଥା ।
ସବୁ ଦେଶ କରେ
ଏନେଇ ଚିନ୍ତା ।।
ଏ ସମସ୍ୟା ଦୂର ପାଇଁ ।
ବୈଜ୍ଞାନିକ ମାନେ
ବିଜ୍ଞାନାଗାରରେ
ପରୀକ୍ଷା କଲେଣି ଯାଇଁ ।।
ଘୋର କଳିକାଳ
ଚାଲିଛି ଜାଣ ।
କଳି କି’ ମାରିଲା
କରୋନା ବାଣ ।।
ଧ୍ୱଂସ ହୋଇଯିବ ପୃଥୀ ?
ଏଇ ଆଲୋଚନା
ଚାଲିଛି ଭାଇରେ
କି’ ଦିନ କି’ ରାତି ।।
ବେଳ ଥାଉ ଯଦି
ଯିବା ସୁଧୁରୀ ।
ତେବେ ଏ ରୋଗରୁ
ଯିବା ଉଦ୍ଧୁରୀ ।।
ଜଗତର ନାଥ ଜଗା ।
ତାଙ୍କ ପାଦତଳେ
ନେଲେରେ ଶରଣ
‘କରୋନା’ ଦେବନି ଦଗା ।।
ପରିଷ୍କାର ପରି-
ଛନ୍ନ ରହିବା ।
ଦୂରେ ରହି ଆମେ
କଥା କହିବା ।।
ମୁହେଁ ଲଗାଇବା ମାକ୍ସ ।
ଡାକ୍ତର ଙ୍କୁ ଯାଇଁ
ସ୍ୱାସ୍ଥ୍ୟ ଦେଖାଇବା
ହେଲା ଯଦି ଛିଙ୍କ କାଶ ।।
ମିଶାଇବାନି କା’
ହାତରେ ହାତ ।
ନମସ୍କାର ହେବା
ଦୂରୁ ରହିତ ।।
ସାବୁନ ରେ ହାତ ଧୋଇ ।
ଖାଦ୍ୟ ଯଦି ନେବା
ପ୍ରତିଦିନ ଆମେ
ସୁସ୍ଥ ରହିବାରେ ଭାଇ ।।
ଗହଳି କେଉଁଠି
କରିବା ନାହିଁ ।
ଗହଳି ଜାଗା କୁ
ଯିବା ବା’ କାହିଁ ।।
ମାନି ସବୁ ଏଇ କଥା  ।
ଚଳିଲେ, କରୋନା
ଚାଲିଯିବ ଦୂରେ
ତଳକୁ କରିକି ମଥା ।।
ଜାଣିଥା ଏକଥା
ଆସିବ କାମେ ।
ସଚେତନ ବାର୍ତ୍ତା
ବାଣ୍ଟିଲେ ଆମେ ।।
ସଚେତନ ସବୁ ହେବେ ।
ବିପଦ ସମୟେ ।
ଅଧର୍ଯ୍ୟ ନ ହୋଇ
ବିପଦକୁ ଟାଳି ଦେବେ ।।
          ଭକ୍ତ ଚରଣ ସାହୁ

Related Posts

About The Author

Add Comment