ବାରିପଦା ୨୩/୯ (ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା):- ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ପାଞ୍ଚପୀଢ଼ ଉପଖଣ୍ଡର ସଦରମହକୁମା କରିଆ ଠାରେ ଅବସ୍ଥିତ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ନିକଟରେ ଉନ୍ନୟନ କାର୍ଯ୍ୟରେ ଦୁର୍ନୀତି ହୋଇଥିବାର ଅଭିଯୋଗ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଏବେ ବେଆଇନଭାବେ କର୍ମଚାରୀ ନିଯୁକ୍ତି ହୋଇଥିବା ଅଭିଯୋଗ ହୋଇଛି । ଗତ ୨୦୧୫ ମସିହାରେ ଏହି ମହାବିଦ୍ୟାଳୟ ସ୍ଵୟଂଶାସିତ ମହାବିଦ୍ୟାଳୟ ଭାବେ ଘୋଷଣା ହୋଇସାରିବା ପରେ ଏହି କଲେଜକୁ ପରିଦର୍ଶନରେ କିମ୍ବା ଉନ୍ନୟନ କାର୍ଯ୍ୟର ତଦାରଖ କରିବାକୁ ଉପର ମହଲରୁ କେହି ଆସୁନାହାନ୍ତି । ଫଳରେ କଲେଜରେ ବେଆଇନ କାର୍ଯ୍ୟମାନ ଘଟୁଛି । ଏବେ ହୋଇଥିବା ଅଭିଯୋଗରୁ ପ୍ରକାଶ ଯେ ଏହି କଲେଜରେ ୨୦୧୬ ମସିହା ପତ୍ରସଂଖ୍ୟା ୧୦୫୬୨ ଯୋଗେ ୯ ଜଣଙ୍କୁ ବେଆଇନ ଭାବେ ନିଯୁକ୍ତି ଦିଆଯାଇଥିଲା । ଏକଥା ଜଣାପଡିବା ପରେ ତକାଳୀନ ଉପଜିଲ୍ଲାପାଳ ଏହି ନିଯୁକ୍ତିକୁ ପତ୍ର ସଂଖ୍ୟା- ୧୦୩୫ ୨ତା ୨୬ ୧୧/୨୦୧୬ରିଖ ଯୋଗେ ନିଯୁକ୍ତି ରଦ୍ଦ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ । ନିଯୁକ୍ତି ରଦ୍ଦ ହେବାର କିଛିଦିନ ପରେ ମାମଲା ଥଣ୍ଡା ହୋଇଯାଇଥିଲା ଏବଂ ସେହି ୯ ଜଣଙ୍କୁ ପୁଣି ନିଯୁକ୍ତି ଦିଆଯାଇଥିଲା । ତାପର ଠାରୁ ଏହି କର୍ମଚାରୀମାନେ ଅସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟ କରୁଛନ୍ତି । ପୁରୁଣା ଅସ୍ଥାୟୀ କର୍ମଚାରୀ ଥିବାବେଳେ ଅଧ୍ୟକ୍ଷ କିଛି ନୂଆ କର୍ମଚାରୀଙ୍କ ଚାକିରିକୁ ବ୍ଲକ୍ ଗ୍ରାଣ୍ଟ ପାଇଁ ସୁପାରିଶ କରିଥିବା ମଧ୍ୟ ଅଭିଯୋଗ ହେଉଛି । କଲେଜର ଗଭର୍ଣ ବଡି ନାହିଁ , ତେଣୁ ଯାହା କାମ ହେଉଛି ଅଧ୍ୟକ୍ଷ ନିଜେ ନିଷ୍ପତ୍ତି ନେଉଥିବା କୁହାଯାଉଛି । ଅନ୍ୟପଟେ ଅଧ୍ୟକ୍ଷଙ୍କ ସହିତ ଏବାବଦରେ ଯୋଗାଯୋଗ କରିବାରେ ନିଜର ପ୍ରତିକ୍ରିୟା ଦେଇ ଅଧ୍ୟକ୍ଷ ଗଣମାଧ୍ୟମରେ ଯାହା ଅପପ୍ରଚାର କରାଯାଉଛି ତାହା ଭିତ୍ତିହୀନ ଓ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ଏଭଳି ବିଭ୍ରାନ୍ତିକର ଅପପ୍ରଚାର ପାଇଁ ସେ ଆଇନର ଆଶ୍ରୟ ନେଇଛନ୍ତି ବୋଲି ପ୍ରକାଶ କରିଛନ୍ତି । କୌଣସି ନୂତନ ନିଯୁକ୍ତି ଦିଆଯାଇନାହିଁ କିମ୍ବା ନିଯୁକ୍ତିରେ କୌଣସି ବେଆଇନ କାମ କରାଯାଇନାହିଁ । ପରିଚାଳନା କମିଟିର ପୂର୍ବ ଅନୁମୋଦନକ୍ରମେ କେବଳ ଠିକା କର୍ମଚାରୀମାନଙ୍କୁ ନବୀକରଣ କରାଯାଇଛି ବୋଲି ସେ ପ୍ରକାଶ କରିବା ସହିତ କଲେଜର ଉନ୍ନୟନ କାର୍ଯ୍ୟରେ ମଧ୍ୟ ସେ କୌଣସି ଅନିୟମିତତା କରାଯାଇନାହିଁ, ଯାହାବି ଉନ୍ନୟନ କାର୍ଯ୍ୟ କରାଯାଉଛି ତାହା ପରିଚାଳନା କମିଟିର ଅନୁମୋଦନ କ୍ରମେ, ସରକାରୀ ସଂସ୍ଥା, ଆଇଟିଡିଏ, ପିଡବଲ୍ୟୁଡି, ସଂଜୀକୃତ ଆର୍କିଟେକ ତତ୍ବାବଧାନରେ କରାଯାଉଛି ବୋଲି ଅଧ୍ୟକ୍ଷ ପ୍ରକାଶ କରିଛନ୍ତି । ସେ ଯାହାବି ହେଉ ସମସ୍ତ ଅଭିଯୋଗର ଉଚ୍ଚସ୍ତରୀୟ ବିଭାଗୀୟ ତଦନ୍ତ ହେଲେ ସବୁ ରହସ୍ୟ ଜଣାପଡିବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି ।
କରଞ୍ଜିଆ କଲେଜରେ ବେଆଇନ ଭାବେ କର୍ମଚାରୀ ନିଯୁକ୍ତି ଅଭିଯୋଗ
|
September 23, 2020 |
