କନ୍ଧମାଳ:କୋଭିଡ଼୍‌ ସଂକ୍ରମଣ ଉଦ୍‌ବେଗଜନକ ସ୍ଥିତିରେ, ଶନିବାର ଠାରୁ ପୁଣି ରାତ୍ରି କାଳୀନ କର୍ଫ୍ୟୁ ଲାଗୁ 

Spread the love
କନ୍ଧମାଳ, ୧୬/୦୪.(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ):  ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ପ୍ରକାରର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ବର୍ତ୍ତମାନ ସାରା ରାଜ୍ୟର ସହରାଞ୍ଚଳରେ ଶନିବାରଠାରୁ ନାଇଟ୍‌ କର୍ଫ୍ୟୁ ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ   କନ୍ଧମାଳ ଜିଲ୍ଲାରେ ମଧ୍ୟ କୋଭିଡ଼୍‌ ସଂକ୍ରମଣ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଲାଣି। କୋଭିଡ଼୍‌ ସଂକ୍ରମଣକୁ ରୋକିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ସାମାଜିକ ଦୂରତା ରକ୍ଷା କରିବା, ମୁହଁରେ ମାସ୍କ୍‌ ପିନ୍ଧିବା ଓ ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବାକୁ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଯାଉ ଥିଲେ ମଧ୍ୟ ଅମାନିଆମାନଙ୍କ ଉପରେ ଏହାର ପ୍ରଭାବ ପଡ଼ୁନାହିଁ l ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଜାରି କରାଯାଇଛି। ତେବେ ଅତ୍ୟାବଶ୍ୟକ ସେବାକୁ ଏଥିରୁ ବାଦ୍‌ ଦିଆଯାଇଛି। ୧୩ ତାରିଖ ସୁଦ୍ଧା ସମଗ୍ର କନ୍ଧମାଳ ଜିଲ୍ଲାରେ ମୋଟ ୬୦୩୩ ଜଣ ସଂକ୍ରମିତ ହୋଇଥିବା ବେଳେ ଫୁଲବାଣୀ ବ୍ଲକ୍‌ ସର୍ବାଧିକ ପ୍ରଭାବିତ ହୋଇଛି l ଫୁଲବାଣୀ ବ୍ଲକ୍‌ରେ ସର୍ବ‌ାଧିକ ୧୩୦୬ ଜଣ ସଂକ୍ରମିତ ହୋଇଥିବା ବେଳେ କୋଟଗଡ଼ ବ୍ଲକ୍‌ରେ ସର୍ବନିମ୍ନ ୨୬୬ ଜଣ ସଂକ୍ରମିତ ହୋଇଛନ୍ତି। ସେହିଭଳି ବାଲିଗୁଡ଼ା ବ୍ଲକ୍‌ରେ ୭୪୬, ଚକାପାଦ ବ୍ଲକ୍‌ରେ ୪୬୦, ଦାରିଙ୍ଗବାଡ଼ି ବ୍ଲକ୍‌ରେ ୫୨୯, ଘୁ.ଉଦୟଗିରି ବ୍ଲକ୍‌ରେ ୫୪୨, ଖଜୁରୀପଡ଼ା ବ୍ଲକ୍‌ରେ ୨୬୭, କ.ନୂଆଗାଁ ବ୍ଲକ୍‌ରେ ୩୩୧, ଫିରିଙ୍ଗିଆ ୩୫୨, ରାଇକିଆ ବ୍ଲକ୍‌ରେ ୪୧୯, ଟିକାବାଲି ବ୍ଲକ୍‌ରେ ୩୨୦, ତୁମୁଡ଼ିବନ୍ଧ ବ୍ଲକ୍‌ରେ ୩୩୮ ଏବଂ କନ୍ଧମାଳ ଜିଲ୍ଲା ବାହାରର ୧୨୭ ଜଣ ସଂକ୍ରମିତ ହୋଇଛନ୍ତି। ସେହିଭଳି ଏ ପର୍ଯ୍ୟନ୍ତ ୫୯୨୯ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ୩୩ ଜଣଙ୍କର ମୃତ୍ୟୁ ହୋଇଛି। ଅପରପକ୍ଷେ, କନ୍ଧମାଳରେ ପୁଣି ୮ ଜଣ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫିରିଙ୍ଗିଆରେ ୨ ଜଣ କରୋନା ପଜିଟିଭ୍‌ ଚିହ୍ନିତ ହୋଇଥିବା ବେଳେ ଚକାପାଦ ରେ ଜଣେ, ଖଜୁରୀପଡ଼ାରେ ଜଣେ, ଦାରିଙ୍ଗବାଡ଼ିରେ ଜଣେ, ଫୁଲବାଣୀ ପୌରପାଳିକାରେ ୨ ଜଣ, ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଜଣେ କରୋନା ପଜିଟିଭ୍‌ ଚିହ୍ନିତ ହୋଇଛନ୍ତି। ଅପରପକ୍ଷେ, ଆଜି ଯେନତେନ ପ୍ରକାରେ ଜିଲ୍ଲାରେ ଟିକାକରଣ କାର୍ଯ୍ୟକ୍ରମ ହୋଇପାରିଛି। ଜିଲ୍ଲାରେ ୯୨ ପ୍ରତିଶତ ଟିକାକରଣ ସମ୍ଭବ ହୋଇପାରିଛି। ମାତ୍ର ଆସନ୍ତା କାଲିଠାରୁ ପୁଣି ଟିକା ଅଭାବ ଦେଖା ଦେବାର ସମ୍ଭାବନା ସୃଷ୍ଟି ହୋଇଛି।  ବାଲିଗୁଡ଼ା ବ୍ଲକ୍‌ରେ ୮୪ ପ୍ରତିଶତ ଟିକାକରଣ ହୋଇଥିବା ବେଳେ ଚକାପାଦ ବ୍ଲକ୍‌ରେ ୭୮ ପ୍ରତିଶତ, ଦାରିଙ୍ଗବାଡ଼ି ବ୍ଲକ୍‌ରେ ୪୯ ପ୍ରତିଶତ, ଘୁ.ଉଦୟଗିରି ବ୍ଲକ୍‌ରେ ୯୨ ପ୍ରତିଶତ, ଖଜୁରୀପଡ଼ା ବ୍ଲକ୍‌ରେ ୧୧୦ ପ୍ରତିଶତ, କୋଟଗଡ଼ ବ୍ଲକ୍‌ରେ ୭୧ ପ୍ରତିଶତ, କ.ନୂଆଗାଁ ବ୍ଲକ୍‌ରେ ୪୪ ପ୍ରତିଶତ, ଫିରିଙ୍ଗିଆ ବ୍ଲକ୍‌ରେ ୬୬ ପ୍ରତିଶତ, ଫୁଲବାଣୀ ବ୍ଲକ୍‌ରେ ୮୫ ପ୍ରତିଶତ, ରାଇକିଆ ବ୍ଲକ୍‌ରେ ୧୬୫ ପ୍ରତିଶତ, ଟିକାବାଲି ବ୍ଲକ୍‌ରେ ୧୬୦ ପ୍ରତିଶତ, ତୁମୁଡ଼ିବନ୍ଧ ବ୍ଲକ୍‌ରେ ୧୦୦ ପ୍ରତିଶତ, ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଇଲାକାରେ ୮୬ ପ୍ରତିଶତ ଓ ଫୁଲବାଣୀ ପୌରପାଳିକା ଟିକାଦାନ କେନ୍ଦ୍ରରେ ସମୁଦାୟ୧୪୮ ପ୍ରତିଶତ ଟିକାକରଣ ହୋଇପାରିଛି।

Related Posts

About The Author

Add Comment