ଭୁବନେଶ୍ବର,୧୩/୧୧ (ସନ୍ଧାନ ନିୟୁଜ): ଓଡ଼ିଶା ହେବ ଭାରତର କ୍ରୀଡ଼ା ପେଣ୍ଠସ୍ଥଳୀ। ଏଠାରୁ ସୃଷ୍ଟି ହେବେ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା। କେବଳ କଳା ସଂସ୍କୃତି ନୁହେଁ, ଉତ୍କଳ ତା’ କ୍ରୀଡ଼ା ଦକ୍ଷତା ପାଇଁ ସମଗ୍ର ବିଶ୍ବରେ ପରିଚିତ ହେବ।
ଏସୀୟ ଦୌଡ଼କୁଦର ସଫଳ ଆୟୋଜନ ଏବଂ ହକି ବିଶ୍ବକପର ଉତ୍ସାହ ଭିତରେ ରାଜ୍ୟ ସରକାର ଓଡ଼ିଶାକୁ ଏକ ବିଶ୍ବସ୍ତରୀୟ କ୍ରୀଡ଼ାକେନ୍ଦ୍ରରେ ପରିଣତ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଏକ ଐତିହାସିକ ଘଟଣାକ୍ରମେ ରାଜ୍ୟରେ କ୍ରୀଡ଼ା ବିକାଶ ଲାଗି ବିଭିନ୍ନ କଂପାନି ସହ ସୋମବାର ଏକାଥରକେ ୧୦ଟି ବୁଝାମଣା ପତ୍ର ସ୍ବାକ୍ଷର କରିଛନ୍ତି। କେବଳ କ୍ରୀଡ଼ା ବିକାଶ ନୁହେଁ, କ୍ରୀଡ଼ା ପରିଚାଳନା ଏବଂ ଥଇଥାନକୁ ମଧ୍ୟ ଏଥିରେ ଗୁରୁତ୍ବ ଦିଆଯାଇଛି। ଏଥସହ ଭାରତର ଏକମାତ୍ର ବ୍ୟକ୍ତିଗତ ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ଅଭିନବ ବିନ୍ଦ୍ରା, ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଅନୀଲ କୁମ୍ବଲେ, ବ୍ୟାଡମିଣ୍ଟନ ଗୁରୁ ପୁଲେଲା ଗୋପୀଚାନ୍ଦ, ଅଲିମ୍ପିକ୍ସ ପଦକ ବିଜେତା ବନ୍ଧୁକ ଚାଳକ ଗଗନ ନାରଙ୍ଗ, ଅଭିନେତା ତଥା ରଗ୍ବି ଖେଳାଳି ରାହୁଲ ବୋଷଙ୍କ ଭଳି ବଡ଼ ବଡ଼ ତାରକା ରାଜ୍ୟ କ୍ରୀଡ଼ା ସହ ଯୋଡ଼ି ହୋଇଛନ୍ତି। ଡାଲମିଆ ଭାରତ ଲିମିଟେଡ୍ ସହ ମିଶି ଗୋପୀଚାନ୍ଦ ବ୍ୟାଡମିଣ୍ଟନ, ବିର୍ଲା ଇଣ୍ଡଷ୍ଟ୍ରି ସହ ମିଶି ଗଗନ ବନ୍ଧୁକ ଚାଳନା, କେଜେଏସ୍ ଆଲୁୱାଲିଆ ଗ୍ରୁପ୍ ସହ ମିଶି କୁମ୍ବଲେ ଭାରୋତ୍ତୋଳନ ଓଡ଼ିଶାରେ ହାଇପର୍ଫମାନ୍ସ ସେଣ୍ଟର ବା ଉଚ୍ଚସ୍ତରୀୟ ଉତ୍କର୍ଷକେନ୍ଦ୍ର ସ୍ଥାପନ କରିବେ। ରିଲାଏନ୍ସ ପ୍ରତିଷ୍ଠାନ ଦୌଡ଼କୁଦ, ଜେଏସଡବ୍ଳ୍ୟୁ ଫୁଟବଲ୍ ଏବଂ ସନ୍ତରଣ ଉତ୍କର୍ଷକେନ୍ଦ୍ର ଖୋଲିବ। ଅଭିନବ ବିନ୍ଦ୍ରା ରୁଙ୍ଗ୍ଟା ମାଇନ୍ସ ସହ ମିଶି କ୍ରୀଡ଼ା ଥଇଥାନ କେନ୍ଦ୍ର ଏବଂ ଜାଭିୟର-ଏମଲିଅନ୍ ବିଜନେସ୍ ସ୍କୁଲ କ୍ରୀଡ଼ା ପରିଚାଳନା ପାଇଁ କାର୍ଯ୍ୟ କରିବେ। ରାଜ୍ୟ ସରକାରଙ୍କ ବିଭିନ୍ନ କ୍ରୀଡ଼ା ବିକାଶ ପଦକ୍ଷେପକୁ ଓଡ଼ିଶା ଖଣି ନିଗମ ମଧ୍ୟ ସହାୟତାର ହାତ ବଢ଼ାଇବ। ଏଥିଲାଗି ଉଭୟ ପକ୍ଷ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷର ହୋଇଛି। ସେହିଭଳି ଟାଟା କଂପାନି ହକି ଉତ୍କର୍ଷକେନ୍ଦ୍ର ସ୍ଥାପନ ଏବଂ ସର୍ବଭାରତୀୟ ଫୁଟବଲ୍ ମହାସଂଘ ଫୁଟବଲ୍ ବିକାଶ ଳାଗି ବୁଝାମଣା ପତ୍ର ସ୍ବାକ୍ଷର କରିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ହକି ବିଶ୍ବକପର ଟ୍ରଫି ଉାନ୍ମୋଚନ କରିଥିଲେ।
ଭିତ୍ତିଭୂମି ସବୁକିଛି ନୁହେଁ, ପ୍ରଶିକ୍ଷଣ ଓ ମାନସିକ ସହାୟତାର ଢେର ମହତ୍ବ ରହିଛି