‘ଆହାର’ରୁ ଦକ୍ଷିଣ ରାଉରକେଲା ବାହାର!

Spread the love

ରାଉରକେଲା ୨୨/୧୦/୨୦୨୦ (ସନ୍ଧାନ ନିଉଜ/ସୁବୋଧ ନାୟକ): ସୁନ୍ଦରଗଡ଼ ଜିଲା ଦକ୍ଷିଣ ରାଉରକେଲାରେ ଆହାର କେନ୍ଦ୍ର ଏଯାଏ ସ୍ଥାପନ ହୋଇ ପାରିନାହିଁ । ଗରିବ, ଖଟିଖିଆ, ଦିନ ମଜୁରିଆ ମାନଙ୍କ ପାଇଁ ରାଜ୍ୟ ସରକାର ୫ ଟଙ୍କାରେ ସୁଲଭ ରନ୍ଧା ଖାଦ୍ୟ ଭାତ,ଡାଲମା, ଆଚାର ଆଦିର ବ୍ୟବସ୍ଥା କରିଛନ୍ତି । ରାଉରକେଲାରେ ୬ଟି ଆହାର କେନ୍ଦ୍ର ବେଦବ୍ୟାସ ଛକ, ରାଉରକେଲା ସରକାରୀ ହସ୍ପିଟାଲ, ପାୱାର ହାଉସରୋଡ଼, ରାଉରକେଲା ନୂଆ ବସଷ୍ଟାଣ୍ଡ, ସେକ୍ଟର-୨ ବସଷ୍ଟାଣ୍ଡ ଓ ରାଉରକେଲା ଇସ୍ପାତ ଜେନେରାଳ ହସ୍ପିଟାଲ କେନ୍ଦ୍ର ନିକଟରେ ଆହାର କେନ୍ଦ୍ର ଖୋଲା ହୋଇଛି । କିନ୍ତୁ ଦକ୍ଷିଣ ରାଉରକେଲାରେ ଏଯାଏ ଆହାର କେନ୍ଦ୍ର ନାହିଁ, ଯାହା କ୍ଷୋଭର ବିଷୟ! ବର୍ତମାନ ମହାମାରୀ କରୋନା ଯୋଗୁ କେବଳ ରାଉରକେଲା ସରକାରୀ ହସ୍ପିଟାଲ ଓ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଆହାର କେନ୍ଦ୍ର ଖୋଲା ଯାଇଥିବା ବେଳେ, ଲୋକଙ୍କ ଗହଳିକୁ ଦୃଷ୍ଟିରେ ରଖି ଅନ୍ୟ କେନ୍ଦ୍ର ଗୁଡ଼ିକୁ ସାମୟିକ ଭାବେ ବନ୍ଦ ରଖାଯାଇଛି । ମାତ୍ର ଭାଗ୍ୟର ବିଡମ୍ବନା ହେଉକି, ଲୋକପ୍ରତିନିଧିଙ୍କ ଆନ୍ତରିକତାର ଅଭାବ ଆଗାମୀ ଭବିଷ୍ୟତରେ ଦକ୍ଷିଣ ରାଉରକେଲାରେ ଆହାର କେନ୍ଦ୍ର ନଖୋଲିବା ଗରିବ ଜନସାଧାରଣଙ୍କ ପାଇଁ ସତେ ଯେପରି କୁଠାରଘାତ ସଦୃଶ ହେବ କହିଲେ ଅତ୍ୟୁକ୍ତି ହେବନାହିଁ ।

ଏଠାରେ ସୂଚନାଯୋଗ୍ୟ, ଦକ୍ଷିଣ ରାଉରକେଲାର ଅନେକ ଜାଗାରେ ଆହାର କେନ୍ଦ୍ର ସ୍ଥାପନ ପାଇଁ ଭିତିଭୂମି ଥିଲେ ମଧ୍ୟ ପ୍ରଶାସନିକ ଆଗ୍ରହ ପ୍ରକାଶ ପାଇ ପାରୁନାହିଁ । ଫଳରେ ଏଠାରେ ବସବାସ କରୁଥିବା ଗରିବ ଶ୍ରେଣୀୟ ବ୍ୟକ୍ତି, ଶ୍ରମିକ ମାନେ ଏହି ଯୋଜନାରୁ ବାଦ ପଡ଼ିଥିବା ଜଣାପଡ଼ିଛି । ରାଉରକେଲା ଦକ୍ଷିଣ ରାଉରକେଲାର ବାଲିଯୋଡ଼ି, ଗୋପବନ୍ଧୁନଗର, ଭଂଜ କଲୋନୀ ଓ ନବକୃଷ୍ଣନଗର ସ୍ମାର୍ଟ ତାଲିକା ସାମିଲ ହୋଇଥିବା ବେଳେ ନବକୃଷ୍ଣନଗର ରାଉରକେଲା ମହାନଗର ନିଗମ ଅଧିନରେ ଆସୁଛି । ତଥାପି  ଏଠାରେ ଅଦ୍ୟାବଧି ଆହାର କେନ୍ଦ୍ର ଖୋଲିପାରି ନାହିଁ । ଦକ୍ଷିଣ ରାଉରକେଲାରେ ପ୍ରତିଦିନ ୫୦୦ରୁ ଉର୍ଦ୍ଧ ନିର୍ମାଣ ଶ୍ରମିକ ବିଭିନ୍ନ  ସରକାରୀ ଓ ବେସରକାରୀ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି । ମାତ୍ର ଏହି ଶ୍ରମିକ ମାନେ  ସୁଲଭ ମୂଲ୍ୟରେ ଆହାର ଟିକିଏ ଏଯାଏ ନପାଇବା କେତେଦୂର ଗ୍ରହଣୀୟ ବୋଲି ବୁଦ୍ଧିଜିବୀ ମହଲରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଏବେ ଦେଖିବାକୁ ବାକି ରହିଲା ଦକ୍ଷିଣ ରାଉରକେଲାର ଗରିବ ଜନସାଧାରଣ ଆହାରର ସ୍ୱାଦ ଚାଖିବେ କେବେ?

Related Posts

About The Author

Add Comment