ଆସନ୍ତୁ, ହାତରେ ହାତ ମିଶାଇ ନିଶାରୂପୀ ରାକ୍ଷସ କବଳରୁ ସମାଜକୁ ମୁକ୍ତ କରିବା: ଆଇଜି ଡଃ ସତ୍ୟଜିତ ନାୟକଙ୍କ ଆହ୍ୱାନ

Spread the love
କଟକ:  ୧୧/୧୧/୨୬ (ସନ୍ଧାନ ନ୍ୟୁଜ)  ନିଶାମୁକ୍ତ ସମାଜ ଗଠନ କେବଳ ପୁଲିସ ପ୍ରଶାସନର ଦାୟିତ୍ୱ ନୁହେଁ, ଏହା ପ୍ରତ୍ୟେକ ନାଗରିକ, ପରିବାର ଓ ସମାଜର ସାମୂହିକ ଦାୟିତ୍ୱ। ଆସନ୍ତୁ, ଆମେ ସମସ୍ତେ ହାତରେ ହାତ ମିଶାଇ ନିଶାରୂପୀ ରାକ୍ଷସ କବଳରୁ ଆମ ସମାଜକୁ ମୁକ୍ତ କରିବା ବୋଲି ଆହ୍ୱାନ ଦେଇଛନ୍ତି ସେଣ୍ଟ୍ରାଲ ରେଞ୍ଜ ଆଇଜି ଡଃ ସତ୍ୟଜିତ ନାୟକ, ଆଇପିଏସ୍। ସେ କହିଛନ୍ତି, ନିଶା କେବଳ ଜଣେ ବ୍ୟକ୍ତିର ଜୀବନକୁ ନଷ୍ଟ କରେ ନାହିଁ, ବରଂ ଏହା ପରିବାରର ଶାନ୍ତି, ଆର୍ଥିକ ସ୍ଥିତି, ସାମାଜିକ ସମ୍ପର୍କ ଓ ଯୁବପିଢ଼ିର ଭବିଷ୍ୟତକୁ ମଧ୍ୟ ଗଭୀର ଭାବେ ପ୍ରଭାବିତ କରେ। ନିଶାସକ୍ତି ଯୋଗୁଁ ଅନେକ ପରିବାରରେ ଅଶାନ୍ତି, ହିଂସା, ଅପରାଧ ଓ ଆର୍ଥିକ ସମସ୍ୟା ଦେଖାଦେଉଛି। ବିଶେଷକରି ଯୁବସମାଜ ନିଶାର ଜାଲରେ ପଡ଼ି ନିଜର ମୂଲ୍ୟବାନ ଜୀବନ ଓ ସୁନ୍ଦର ଭବିଷ୍ୟତକୁ ଅନ୍ଧକାର ଆଡ଼କୁ ଠେଲି ଦେଉଛନ୍ତି। ତେଣୁ ନିଶା ବିରୋଧୀ ଲଢ଼େଇକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିବା ଆବଶ୍ୟକ। ଡଃ ନାୟକ କହିଛନ୍ତି, ନିଶା କାରବାରକୁ ରୋକିବା, ନିଶା ବେପାରୀଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନେବା ସହ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପୁଲିସର ପ୍ରମୁଖ ଦାୟିତ୍ୱ। ଏଥିସହିତ ଅଭିଭାବକ, ଶିକ୍ଷକ, ଶିକ୍ଷାନୁଷ୍ଠାନ, ସ୍ୱେଚ୍ଛାସେବୀ ସଂଗଠନ, ଯୁବକ ସଂଘ ଓ ସାମାଜିକ କର୍ମୀମାନେ ଏହି ଅଭିଯାନରେ ସକ୍ରିୟ ସହଯୋଗ କରିବା ଉଚିତ। ପିଲାମାନଙ୍କ ସହ ନିୟମିତ ଆଲୋଚନା, ନିଶାର କୁପରିଣାମ ସମ୍ପର୍କରେ ସଚେତନତା, କ୍ରୀଡ଼ା, ସଂସ୍କୃତି ଓ ସୃଜନଶୀଳ କାର୍ଯ୍ୟକଳାପରେ ଯୁବପିଢ଼ିଙ୍କୁ ସାମିଲ କରିବା ଦ୍ୱାରା ସେମାନଙ୍କୁ ନିଶାଠାରୁ ଦୂରେଇ ରଖାଯାଇପାରିବ। ନିଶାସକ୍ତ ବ୍ୟକ୍ତିଙ୍କୁ ଘୃଣା ନକରି ସେମାନଙ୍କୁ ସହାନୁଭୂତି, ପରାମର୍ଶ ଓ ଚିକିତ୍ସା ମାଧ୍ୟମରେ ସାଧାରଣ ଜୀବନକୁ ଫେରାଇ ଆଣିବା ମଧ୍ୟ ସମାଜର ଦାୟିତ୍ୱ। ସେ ଜନସାଧାରଣଙ୍କୁ ନିଶା କାରବାର ସମ୍ପର୍କିତ ସୂଚନା ପୁଲିସକୁ ଦେବା ସହ ନିଶା ବିରୋଧୀ ଅଭିଯାନରେ ସହଯୋଗ କରିବାକୁ ନିବେଦନ କରିଛନ୍ତି। ଡଃ ନାୟକଙ୍କ ମତରେ, ନିଶାମୁକ୍ତ ଯୁବପିଢ଼ି ହିଁ ସୁସ୍ଥ, ସୁରକ୍ଷିତ ଓ ସମୃଦ୍ଧ ଓଡ଼ିଶାର ମୂଳଦୁଆ। ଆମର ଲକ୍ଷ୍ୟ କେବଳ ନିଶା ବିରୋଧରେ ଲଢ଼ିବା ନୁହେଁ, ବରଂ ପ୍ରତ୍ୟେକ ଜୀବନକୁ ନିଶାର ଅନ୍ଧକାରରୁ ମୁକ୍ତ କରି ଆଶା, ଆତ୍ମବିଶ୍ୱାସ ଓ ସମ୍ଭାବନାର ଆଲୋକରେ ଆଗେଇ ନେବା।

Related Posts

About The Author

Add Comment