ଭୁବନେଶ୍ଵର,୧୪/୦୪ (ସନ୍ଧାନ ନିୟୁଜ) : ମହାମାରୀ କରୋନା ଭାଇରସ ବା କୋବିଡ୍-୧୯ର ମୁକାବିଲା ପାଇଁ ଲକ୍ଡାଉନ ଘୋଷଣା ଠାରୁ ତ୍ଵରିତ ଚିକିତ୍ସା ଅଭିଯାନରେ ସାରା ଦେଶରେ ଓଡ଼ିଶା ଆଗୁଆ। ଏହି କାର୍ଯ୍ୟକ୍ରମରେ ରାଜ୍ୟରେ କୋଭିଡ୍-୧୯ ମୁକାବିଲା ନିମନ୍ତେ ଆଜି ସୁଦ୍ଧା ୧୬ଟି ଜିଲ୍ଲାରେ ୧୭ଟି ସ୍ଵତନ୍ତ୍ର କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟ କରୁଛି।
ଏସବୁ କୋଭିଡ୍ ହସ୍ପିଟାଲ୍ ଗଜପତି, ଗଞ୍ଜାମ, ଯାଜପୁର, କେଉଁଝର, ଖୋର୍ଦ୍ଧା, ପୁରୀ, କଟକ, ସୁନ୍ଦରଗଡ଼, ଭଦ୍ରକ, ରାୟଗଡ଼ା, ମାଲକାନଗିରି,ଢେଙ୍କାନାଳ, କେନ୍ଦ୍ରାପଡ଼ା, ବୌଦ୍ଧ, ବାଲେଶ୍ଵର ଓ କୋରାପୁଟ ଜିଲ୍ଲାରେ କାର୍ଯ୍ୟ କରୁଛି। ମୋଟ ଶଯ୍ୟା ସଂଖ୍ୟା ରହିଛି ୨୭୯୦। ସୋମବାର ରାଜ୍ୟସରକାରଙ୍କ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ନବରଙ୍ଗପୁରଠାରେ ଏକ ସ୍ଵତନ୍ତ୍ର କୋଭିଡ୍ ହସ୍ପିଟାଲ୍ ସ୍ଥାପନ ନିମନ୍ତେ ନବରଙ୍ଗପୁର ଜିଲ୍ଲାପାଳ, ନାଲ୍କୋ ଓ ସ୍ଥାନୀୟ ଖ୍ରୀଷ୍ଟିଆନ୍ ହସ୍ପିଟାଲ୍ ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷର ହୋଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀମତୀ ଯାମିନୀ ଷଡଙ୍ଗୀ ରାଜ୍ୟରେ ଔଷଧ ଓ ଆବଶ୍ୟକ ଚିକିତ୍ସା ଉପକରଣ ଆଦିର ଉପଲବ୍ଧତା ନେଇ ମତ ରଖିଥିଲେ। ସେ କହିଲେ ଆସନ୍ତା ୫ ମାସ ପାଇଁ ରାଜ୍ୟରେ ଯଥେଷ୍ଟ ପରିମାଣର ଅତ୍ୟାବଶ୍ୟକ ଔଷଧ ଯଥା- ଆଣ୍ଟିବାୟୋଟିକ୍ସ, ଆନାଲ୍ଜେସିକ୍ସ ଓ ଆଣ୍ଟିଇନ୍ଫ୍ଲାମେଟାରୀ ଉପଲବ୍ଧ ରହିଛି। ଏହାଛଡା ତିନି ପରସ୍ତ ସର୍ଜିକାଲ୍ ମାସ୍କ, ଏନ୍-୯୫ ମାସ୍କ, ହ୍ୟାଣ୍ଡ ସାନିଟାଇଜର ଓ ବ୍ୟକ୍ତିଗତ ସୁରକ୍ଷା ଉପକରଣ ମଧ୍ୟ ମହଜୁଦ ରହିଛି।