ଆଉ ୧୪ ଦିନ, ‘୧୩୦ କୋଟିଙ୍କ ଆଶା ଭାରତ ବିଶ୍ବକପ୍‌ ଜିତୁ’

Spread the love

ଭୁବନେଶ୍ବର,୧୨/୧୧ (ସନ୍ଧାନ ନିଉଜ) : ହକି ବିଶ୍ବକପ୍‌ର ଚତୁର୍ଦଶ ସଂସ୍କରଣ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଚଳିତ ମାସ ୨୮ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଯେହେତୁ ବିଶ୍ବର ଏହି ବୃହତ୍‌ ପ୍ରତିଯୋଗିତା ଭାରତରେ ହେଉଛି ଏଥିଲାଗି ନିଜ ଦେଶ ‌ବିଶ୍ବକପ୍‌ ଜିତୁ ବୋଲି ୧୩୦ କୋଟି ଭାରତୀୟ ଆଶା ରଖିଛନ୍ତି। ଏହି ଆଶାକୁ ସାକାର କରିବା ପାଇଁ ମଧ୍ୟ ଭାରତୀୟ ଦଳ ପୁରା ପ୍ରସ୍ତୁତ ରହିଛି। ପ୍ରାୟ ଦୁଇ ମାସ ହେଲାଣି ଦଳ କଳିଙ୍ଗ ହକି କମ୍ପ୍ଲେକ୍ସରେ ଅଭ୍ୟାସ ଜାରି ରଖିଛି। ଏଠାରେ ଦୁଇ ଦୁଇଟି ଶିବିର ଆୟୋଜନ କରି ହକି ଇଣ୍ଡିଆ ଖେଳାଳିଙ୍କୁ ପିଚ୍‌ ସହ ଅଭ୍ୟସ୍ତ ହେବାର ସୁଯୋଗ ଦେଇଛି। ଏହି ସୁଯୋଗର ଫାଇଦା ନେଇ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛନ୍ତି ଭାରତୀୟ ପ୍ରଶିକ୍ଷକ ହରେନ୍ଦର ସିଂହ।

ଆମକୁ ଏହା ଭାବିବାକୁ ପଡ଼ିବ ଯେ ଖେଳାଳି ହେଉ କି ପ୍ରଶିକ୍ଷକ ସମସ୍ତେ ଭାରତରୁ ପ୍ରତିନିଧିତ୍ବ କରୁଛନ୍ତି। ଦେଶର ୧୩୦ କୋଟି ଜନତାଙ୍କ ଆଶା ଭାରତ ବିଶ୍ବକପ୍‌ ଜିତୁ। ଏହାକୁ ଆମେ ଚାପ ନୁହେଁ ସୁଯୋଗ ଭାବିଥାଉ। କାରଣ ଏହି ସୁଯୋଗ ସବୁ ‌ଲୋକଙ୍କ ଜୀବନରେ ଆସିନଥାଏ। ସୁ‌ଯୋଗକୁ ମୋ କାମ ଏବଂ କର୍ତବ୍ୟ ଭାବେ ଚିନ୍ତା କରେ ବୋଲି କହିଛନ୍ତି କନିଷ୍ଠ ବିଶ୍ବକପ୍ ବିଜେତା ହରେନ୍ଦର। ଖେଳ ବୟସ କି ଅଭିଜ୍ଞତା ଦେଖିନଥାଏ କେବଳ ପ୍ରଦର୍ଶନ। ଏକବିଂଶ ଶତାବ୍ଦୀରେ ଯୁବକମାନେ ଭବିଷ୍ୟତ। ୧୮ ହେଉକି ୩୪ ବର୍ଷ ଯିଏ ଭଲ କରିବ ସେ ଦଳରେ ସ୍ଥାନ ପାଇବ। ଅଭିଜ୍ଞତା, ବୟସ ପଦକ ଆଣି ନଥାଏ ପ୍ରଦର୍ଶନ ‌ହିଁ ଦେଶକୁ ବିଜେତା କରିଥାଏ। ମଧ୍ୟଭାଗ, ପୂରୋଭାଗ, ରକ୍ଷଣଭାଗ‌କୁ ନେଇ ଦଳ ସନ୍ତୁଳନ ରହିବା ଦରକାର। ଆମ ବିଶ୍ବକପ୍‌ ଦଳ ଏ ଦୃଷ୍ଟିରୁ ବେଶ୍‌ ସନ୍ତୁଳିତ ରହିଛି। ଦଳକୁ ନେଇ ମୁଁ ଖୁସି। ଆହତ ଯୋଗୁଁ ଏସ୍‌ଭି ସୁନିଲଙ୍କୁ ବାଦ୍‌ ଦିଆଯାଇଛି। ବିଶ୍ବକପ୍ ଦଳରେ ଆହତ ଖେଳାଳି‌ ନେବା ସମ୍ଭବ ନୁହେଁ ବୋଲି ‌‌ସେ କହିଛନ୍ତି। ଆମ ପାଇଁ କୌଣସି ଦଳ ଦୁର୍ବଳ ନୁହେଁ। ବିଶ୍ବକପ୍‌କୁ ଯେଉଁ ଦଳ ଆସନ୍ତି ସମସ୍ତେ ଟ୍ରଫି ଲକ୍ଷ୍ୟରେ ହିଁ ରହିଥାନ୍ତି। କେହି କାହାରିକୁ ଆଗକୁ ସହଜରେ ବାଟ ଛାଡ଼ନ୍ତି ନାହିଁ। ଏହି ୧୬ ଦଳରୁ କାହାରିକୁ କମ୍‌ କହି ପାରିବେ ନାହିଁ। ବୀରେନ୍ଦ୍ର ଲାକ୍ରା ପୂର୍ବ ପ୍ରତିଯୋଗିତାଗୁଡ଼ିକ‌ରେ ଭଲ କରି ଆସିଛନ୍ତି। ଆହତ ପାଇଁ ଦଳଠୁ ଦୂରେଇ ରହିଥିଲେ। ଏଥିରୁ ‌ମୁକୁଳିବା ପରେ ଶିବିରରେ ଯୋଗ ଦେଇଥିଲେ ଏବଂ ବିଶ୍ବକପ୍‌ ଦଳରେ ନିଜ ସ୍ଥାନ ପକ୍କା କରିଥିଲେ। ସେହିପରି ଅମିତ ରେହିଦାସ ମଧ୍ୟ ଭଲ ପ୍ରଦର୍ଶନ ଦେଇ ଆସୁଛନ୍ତି ବୋଲି ହରେନ୍ଦର କହିଛନ୍ତି। ଆମ ଦଳ ପାଖରେ ଯେଉଁ କ୍ଷମତା ରହିଛି ବିଶ୍ବକପ୍‌ ଜିତିବା ଅସମ୍ଭବ ‌ନୁହେଁ। କର୍ମ କରିବ‌‌‌ା ଆମ କାମ, ସଫଳତା ପ୍ରଦର୍ଶନ ଉପରେ ରହିଥାଏ। ମୋର ବିଶ୍ବାସ ଆମ ଖେଳାଳି ୧୦୦ ପ୍ରତିଶତ ଦେବାକୁ ପୁରା ସକ୍ଷମ। ଜଣେ ଖେଳାଳିଙ୍କୁ ଆପଣ ଶ୍ରେଷ୍ଠ କହି ପାରିବେ ନାହିଁ। ସ‌ମସ୍ତେ ନିଜ ନିଜ ସ୍ଥାନରେ ବଳୀୟାନ ବୋଲି ‌ଏହି ଭାରତୀୟ ପ୍ରଶିକ୍ଷକ କହିଛନ୍ତି।

କନିଷ୍ଠ ବିଶ୍ବକପ୍‌ ବି‌ଜେତା ଦଳର ପ୍ରଶିକ୍ଷକ ଥିବା ହରେନ୍ଦର ବରିଷ୍ଠ ଦଳକୁ ବିଶ୍ବ ବିଜେତା କରି ଇତିହାସ ରଚିବା ନେଇ ପ୍ରଶ୍ନର ଉତ୍ତର ରଖି କହିଥିଲେ, ଇତିହାସ ରଚିବା ମୋର ଲକ୍ଷ୍ୟ ନୁହେଁ। ଦଳକୁ ମାର୍ଗ ଦେଖାଇବା ମୋ କାମ। ଖେଳାଳିମାନେ ସେମାନଙ୍କ ପ୍ରଦର୍ଶନ ବଳରେ ବିଶ୍ବକପ୍‌ ଜିତିଲେ ହକ୍‌ ସେମାନଙ୍କ ପାଖକୁ ଯିବା ଦରକାର। ମୁଁ ଆଜି ପ୍ରଶିକ୍ଷକ ଅଛି, କାଲି ନଥିବି। ମୋ ସ୍ଥାନରେ ଆଉ କିଏ ପ୍ରଶିକ୍ଷକ ହୋଇ ଯାଇଥିବ। ଟ୍ରଫି ଦେଶର ହିଁ ରହିବ। ମୋ ମନ ତ ବହୁତ କିଛି କହିଥାଏ। ଖେଳରେ ଭାବୁକ ନୁହେଁ ପେସାଦାର ହେବାକୁ ପଡ଼ିବ। ପ୍ରତି ମ୍ୟାଚ୍‌ ଅନୁସାରେ ଆମେ ଯୋଜନା କରିବୁ। ୧୬ ତାରିଖ ଫାଇନାଲ୍‌ କଥା ଏବେ ନୁହେଁ। ୨୮ ତାରିଖ ଉଦ୍‌ଘାଟନୀ ମ୍ୟାଚ୍‌ ହିଁ ପ୍ରଥମ ପରୀକ୍ଷା ବୋଲି ‌ହରେନ୍ଦର କହିଛନ୍ତି।

Related Posts

About The Author

Add Comment