ଆଇଜି ଡଃ ସତ୍ୟଜିତ ନାୟକଙ୍କ ସୂଚନା: ପର୍ବପର୍ବାଣୀ ଓ ନୂଆବର୍ଷ ପାଇଁ କେନ୍ଦ୍ରାଞ୍ଚଳର ୭ ଜିଲ୍ଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା

Spread the love
ଭୁବନେଶ୍ୱର, : ୯/୧୧/୨୬ (ସନ୍ଧାନ ନ୍ୟୁଜ) କାର୍ତ୍ତିକ ମାସ, ଆଗାମୀ ଧାର୍ମିକ ପର୍ବପର୍ବାଣୀ ଓ ନୂତନ ବର୍ଷ ପାଳନକୁ ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ ଓ ଅପରାଧମୁକ୍ତ କରିବା ପାଇଁ କେନ୍ଦ୍ରାଞ୍ଚଳ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ରୋଡମ୍ୟାପ୍ ପ୍ରସ୍ତୁତ ହୋଇଛି। ରବିବାର ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାଞ୍ଚଳ ପୋଲିସ ଆଇଜି ଡଃ ସତ୍ୟଜିତ ନାୟକ, ଆଇପିଏସ୍ ଏହି ସୂଚନା ଦେଇଛନ୍ତି। ଏହି ଯୋଜନାରେ କଟକ, ପୁରୀ, ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁର ସମେତ ୭ଟି ଜିଲ୍ଲାକୁ ସାମିଲ କରାଯାଇଛି। ଯାଜପୁରରେ କାଳୀପୂଜା ଓ ଭସାଣି ପାଇଁ ୨୨ ପ୍ଲାଟୁନ୍ ଫୋର୍ସ, ୧୦ ଜଣ ଡିଏସ୍‌ପି ଓ ୬୫ ଜଣ ଏସ୍‌ଆଇ ମୁତୟନ ହେବେ। ପୁରୀରେ ହବିଷ୍ୟାଳିଙ୍କ ସୁରକ୍ଷା ପାଇଁ ୨୬ ପ୍ଲାଟୁନ୍, ପଞ୍ଚୁକ ଓ କାର୍ତ୍ତିକ ପୂର୍ଣ୍ଣିମାରେ ୬୫ ପ୍ଲାଟୁନ୍ ଏବଂ କଟକର ଧବଳେଶ୍ୱର ମନ୍ଦିରରେ ୧୬ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ। ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା, ସମ୍ବେଦନଶୀଳ ସ୍ଥାନରେ ନଜରଦାରି ଓ ଆଇନଶୃଙ୍ଖଳା ରକ୍ଷା ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଛି। ଅପରାଧ ନିୟନ୍ତ୍ରଣ ପାଇଁ ସମଗ୍ର କେନ୍ଦ୍ରାଞ୍ଚଳରେ ପ୍ରତିଷେଧମୂଳକ ପୋଲିସିଂ, ନିୟମିତ ପାଟ୍ରୋଲିଂ ଓ ଅଭ୍ୟାସଗତ ଅପରାଧୀଙ୍କ ବିରୋଧରେ ଆଇନାନୁଯାୟୀ ପଦକ୍ଷେପକୁ ଜୋରଦାର କରାଯିବ। ନୂଆବର୍ଷ ଅବସରରେ ପର୍ଯ୍ୟଟନସ୍ଥଳୀ, ହୋଟେଲ, ରେଷ୍ଟୁରାଣ୍ଟ ଓ ମନୋରଞ୍ଜନ କେନ୍ଦ୍ରଗୁଡ଼ିକରେ ସ୍ୱତନ୍ତ୍ର ନଜର ରଖାଯିବ। ମଦ୍ୟପାନ କରି ଗାଡ଼ି ଚାଳନା, ବେପରୁଆ ଗାଡ଼ି ଚାଳନା ଓ ଟ୍ରାଫିକ୍ ନିୟମ ଉଲ୍ଲଂଘନ ବିରୋଧରେ କଡ଼ା ଯାଞ୍ଚ କରାଯିବ। ଏଥିସହ ସମସ୍ତ ଜିଲ୍ଲାର ଏସ୍‌ପିଙ୍କୁ ସୁରକ୍ଷା ବ୍ୟବସ୍ଥାର ନିୟମିତ ସମୀକ୍ଷା ଓ ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଇଜି ଡଃ ସତ୍ୟଜିତ ନାୟକ ଜନସାଧାରଣଙ୍କୁ ପୋଲିସକୁ ସହଯୋଗ କରିବା, ଟ୍ରାଫିକ୍ ନିୟମ ମାନିବା ଏବଂ କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ନଜରକୁ ଆସିଲେ ତୁରନ୍ତ ପୋଲିସକୁ ଜଣାଇବାକୁ ନିବେଦନ କରିଛନ୍ତି। ସକ୍ରିୟ ପୋଲିସିଂ, ଦୃଢ଼ ସୁରକ୍ଷା ବ୍ୟବସ୍ଥା ଓ ଜନସାଧାରଣଙ୍କ ସହଯୋଗରେ କେନ୍ଦ୍ରାଞ୍ଚଳରେ ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ ପର୍ବପର୍ବାଣୀ ସୁନିଶ୍ଚିତ କରିବା ପୋଲିସର ଲକ୍ଷ୍ୟ ବୋଲି ସେ କହିଛନ୍ତି

Related Posts

About The Author

Add Comment