ନୂଆଦିଲ୍ଲୀ 1/8(ସନ୍ଧାନ ନିୟୁଜ): ଅନ୍ଲାଇନ୍ରେ ସାମଗ୍ରୀ କିଣୁଥିବା ଗ୍ରାହକଙ୍କ ପାଇଁ ଖରାପ ଖବର। କାରଣ ଇ-କମର୍ସ କମ୍ପାନିଙ୍କ ରିହାତି ପ୍ରଦାନ ଉପରେ ସରକାର ନଜର ପକାଇଛନ୍ତି। ସରକାରଙ୍କ ପକ୍ଷରୁ ଏନେଇ ଏକ ଚିଠା ପ୍ରସ୍ତାବ ସୋମବାର ପ୍ରକାଶ କରାଯାଇ ଏହି କ୍ଷେତ୍ର ସହ ଜଡ଼ିତ ପକ୍ଷମାନଙ୍କର ମତାମତ ଲୋଡ଼ାଯାଇଛି। ଏକ ନିର୍ଦ୍ଦିଷ୍ଟ ତାରିଖ ପରେ ଏପ୍ରକାର ରିହାତିକୁ ବନ୍ଦ କରିବା ପାଇଁ ଚିଠା ପ୍ରସ୍ତାବରେ କୁହାଯାଇଛି। ଏହାହେଲେ ଇ-କମର୍ସ କ୍ଷେତ୍ରକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି କୁହାଯାଇଛି। କେବଳ ଆମାଜନ କିମ୍ବା ଫ୍ଲିପକାର୍ଟ ନୁହେଁ, ସ୍ୱିଗି ଓ ଜୋମାଟୋ ଭଳି ଅନ୍ଲାଇନ୍ରେ ଖାଦ୍ୟ ପ୍ରଦାନ କରୁଥିବା କମ୍ପାନି, ଅର୍ବାନକ୍ଲାପ୍, ପେଟିଏମ୍ ଏବଂ ପଲିସିବଜାର ଭଳି କମ୍ପାନିକୁ ମଧ୍ୟ ଏହାର ପରିସରକୁ ଅଣାଯିବା ଯୋଜନା ରଖାଯାଇଛି।
କେବଳ ରିହାତିକୁ ହ୍ରାସ କରିବା ନୁହେଁ, ଏହି କ୍ଷେତ୍ର ପାଇଁ ନିୟାମକ ଗଠନ ଏବଂ ଅଭିଯୋଗ ସମାଧାନ ବ୍ୟବସ୍ଥା ସହିତ ଅନେକ କିଛି ପ୍ରସ୍ତାବ ରହିଛି। ଭାରତରେ ବର୍ତ୍ତମାନ ଇ-କମର୍ସ ବଜାରର ଆକାର ପ୍ରାୟ ୨୫ ବିଲିଅନ ଡଲାର ରହିଥିବା ବେଳେ ଏକ ଦଶନ୍ଧି ମଧ୍ୟରେ ଏହା ୨୦୦ ବିଲିଅନ ଡଲାରରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି। ଏହି କ୍ଷେତ୍ର ପାଇଁ ନୂଆ ନିୟମ ପ୍ରସ୍ତୁତ ହେଲେ ଏହା ବ୍ୟବସାୟକୁ ପ୍ରଭାବିତ କରିବା ଆଶଙ୍କା ରହିଛି।
ଗ୍ରାହକଙ୍କ ତଥ୍ୟକୁ ଦେଶ ଭିତରେ ସଂରକ୍ଷିତ ରଖିବା ପାଇଁ ଇ-କମର୍ସ କଂପାନିଗୁଡ଼ିକୁ କୁହାଯିବ। ଜାତୀୟ ନିରାପତ୍ତା, ସରକାରୀ ନୀତି ପାଇଁ ସରକାର ଯେତେବେଳେ ଚାହିଁବେ ସେହି ତଥ୍ୟକୁ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି।