ଅନୁଗୁଳରେ ନାଲ୍‌କୋର ଡିଫ୍ଲୋରିଡେସନ୍‌ ପ୍ରକଳ୍ପ

Spread the love

ଭୁବନେଶ୍ୱର, ୫/୮(ସନ୍ଧାନ ନିୟୁଜ): ନବରତ୍ନ କମ୍ପାନି ନାଲ୍‌କୋ ଏହାର ଉତ୍ପାଦନ ବୃଦ୍ଧି ସହିତ ନୂଆ ପ୍ରଯୁକ୍ତିର ଉପଯୋଗ କରି ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ ଆସୁଛି। ଏହି କ୍ରମରେ ନାଲ୍‌କୋ ଏହାର ଅନୁଗୁଳସ୍ଥିତ ସ୍ମେଲ୍ଟର ପ୍ରକଳ୍ପ ପରିସରରେ ୧୬.୬୯ କୋଟି ଟଙ୍କା ବ୍ୟୟରେ ନାନୋ-ଭିତ୍ତିକ ଏମ୍ରିଅନ୍‌ ଟେକ୍ନୋଲୋଜି ଉପଯୋଗରେ ଏକ ଅତ୍ୟାଧୁନିକ ଡିଫ୍ଲୋରିଡେସନ୍‌ ପ୍ରକଳ୍ପ ପ୍ରତିଷ୍ଠା କରିଛି। ଯାହା ଦ୍ୱାରା କି ପ୍ରକଳ୍ପରୁ ନିର୍ଗତ ଜଳରୁ ଫ୍ଲୋରାଇଡ ପ୍ରଦୂଷଣ ଦୂରୀଭୂତ ହୋଇପାରିବ। ନାଲ୍‌କୋର ଏହି ପଦକ୍ଷେପ ବିଶ୍ୱରେ ପ୍ରଥମ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ଏହି ପ୍ରକଳ୍ପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ବିଶେଷତଃ ଅନୁଗୁଳ ଭଳି ଏକ ଶିଳ୍ପବହୁଳ ଅଞ୍ଚଳରେ ଏହି ପ୍ରକଳ୍ପ ପରିବେଶ ସୁରକ୍ଷା ଦିଗରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି। ନାଲ୍‌କୋ ଏହାର ଅନୁଗୁଳ ସ୍ଥିତ ସମସ୍ତ ପ୍ରକଳ୍ପରେ ଶୂନ୍ୟ ନିର୍ଗମନ ବା ଜିରୋ ଡିସ୍‌ଚାର୍ଜ ବ୍ୟବସ୍ଥା ସୁନିଶ୍ଚିତ କରିଛି। ଏଥିସହିତ ପରିବେଶ ପ୍ରଦୂଷଣ ହ୍ରାସ ପାଇଁ କମ୍ପାନି ଅନେକ ଗୁଡ଼ିଏ ନୂତନ ପଦକ୍ଷେପ ମଧ୍ୟ ଗ୍ରହଣ କରିଛି। ନାଲକୋର ସ୍ମେଲ୍ଟର ଆଲୁମିନିୟମ ଡ୍ରସ୍‌କୁ ଶତ ପ୍ରତିଶତ ପୁନଃଚକ୍ରଣ କରୁଥିବା ବିଶ୍ୱର ଏକମାତ୍ର ସ୍ମେଲ୍ଟର। ଅନୁଗୁଳରେ ନାଲ୍‌କୋର ୪.୬ ଲକ୍ଷ ମେଟ୍ରିକ୍‌ ଟନ୍‌ କ୍ଷମତା ବିଶିଷ୍ଟ ଆଲୁମିନିୟମ ସ୍ମେଲ୍ଟର ଏବଂ ୧୨ ଶହ ମେଗାଓ୍ଵାଟ କ୍ଷମତା ବିଶିଷ୍ଟ ନିଜସ୍ୱ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର ରହିଛି। କମ୍ପାନି ୮ ହଜାର କୋଟି ଟଙ୍କାରୁ ଊର୍ଧ୍ୱ ବ୍ୟୟରେ ସ୍ମେଲ୍ଟରରେ ଏକ ନୂଆ ପଟ୍‌ଲାଇନ୍‌ର ସ୍ଥାପନ ଏବଂ ସ୍ମେଲଟରର ଆଧୁନିକୀକରଣ ଓ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ରର କ୍ଷମତା ବୃଦ୍ଧି କରିବାକୁ ଯାଉଛି।

ଏହି ପରିପ୍ରେକ୍ଷୀରେ ନାଲ୍‌କୋ ଅଧ୍ୟକ୍ଷ ଡ ତପନ କୁମାର ଚାନ୍ଦ କହିଛନ୍ତି, ନାଲ୍‌କୋ ସର୍ବଦା ପ୍ରକଳ୍ପ ଅଞ୍ଚଳର ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିଆସିଛି। କେବଳ ଉତ୍ପାଦନ ଏବଂ ଉତ୍ପାଦକତାରେ ଅଭିବୃଦ୍ଧି ନୁହେଁ, ସାମାଜିକ ବିକାଶ ପାଇଁ ଅଙ୍ଗୀକାରବଦ୍ଧତା କମ୍ପାନିର ଏକ ଅଂଶ ପାଲଟି ଯାଇଛି। ଫଳରେ ଅନୁଗୁଳକୁ ଜାତୀୟ ଶିଳ୍ପ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଦେବା ସହ ଆମେ ପାରିପାର୍ଶ୍ୱିକ ଅଞ୍ଚଳରେ ବାସ କରୁଥିବା ଜନସାଧାରଣଙ୍କ ସାମଗ୍ରିକ ଉନ୍ନତି ଓ ପରିବେଷର ସୁରକ୍ଷା ପାଇଁ ବିହିତ ପଦକ୍ଷେପ ନେଉଛୁ।

Related Posts

About The Author

Add Comment