୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ସମ୍ଭାବ୍ୟ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ବନ୍ଦ କର : ସମାଜବାଦୀ ପାର୍ଟି

Spread the love

ଭୁବନେଶ୍ୱର,୨୦/୧୨(ସନ୍ଧାନ ନିୟୁଜ) : ବିଦ୍ୟୁତ୍ ସଂସ୍କାର କ୍ଷେତ୍ରରେ ଓଡ଼ିଶା ଥିଲା ସମଗ୍ର ଦେଶରେ ପ୍ରଥମ ରାଜ୍ୟ। ୩୦୦କୋଟି ଟଙ୍କାର ଆର୍ଥିକ କ୍ଷତିରେ ଚାଲୁଥିବା ରାଜ୍ୟ ବିଦ୍ୟୁତ୍ ବୋର୍ଡକୁ ଭାଙ୍ଗି ୧୯୯୪-୯୫ ମସିହାରେ ଓଡ଼ିଶା ସରକାର ରାଜ୍ୟରେ ବିଦ୍ୟୁତ୍ ଉତ୍ପାଦନ ଓ ଆବଣ୍ଟନ ପାଇଁ ସ୍ୱତନ୍ତ୍ର କମ୍ପାନୀ ତିଆରି କରିବା ସହିତ ବିଜୁଳି ବିତରଣର ଘରୋଇକରଣ କରିଥିଲେ। ଲକ୍ଷ୍ୟ ଥିଲା ଶସ୍ତା ଓ ସୁଲଭ ମୂଲ୍ୟରେ ନିରବଚ୍ଛିନ୍ନ ଗୁଣାତ୍ମକ ବିଜୁଳି ସେବା ଉପଭୋକ୍ତାମାନଙ୍କୁ ଯୋଗାଇଦେବା। ପରିବହନ ଜନିତ କ୍ଷତି ଓ ବିଦ୍ୟୁତ୍ ଚୋରିକୁ ରୋକିବା। କିନ୍ତୁ ଦୁଃଖ ଓ କ୍ଷୋଭର ବିଷୟ ଦୀର୍ଘ ୨୫ ବର୍ଷର ବିଦ୍ୟୁତ୍ ସଂସ୍କାର ସତ୍ତ୍ୱେ ବି ରାଜ୍ୟ ସରକାରଙ୍କର ଏହି ଧାର୍ଯ୍ୟ ଲକ୍ଷ୍ୟ ଆଜି ପଦ୍ମ ଘୁଞ୍ଚିଘୁଞ୍ଚି ଯିବାଭଳି ଅବସ୍ଥାରେ ପହଞ୍ଚିଛି। ପରିଚାଳନାଗତ ଅବ୍ୟବସ୍ଥା, ଅପାରଗତା, ଦୁର୍ନୀତି ଓ ଭ୍ରଷ୍ଟାଚାର ଯୋଗୁଁ ବିଦ୍ୟୁତ୍ ବିତରଣ ବ୍ୟବସ୍ଥା ଆଜି ଏକ ବିପର୍ଯ୍ୟସ୍ତ ବ୍ୟବସ୍ଥାରେ ପହଞ୍ଚିଛି, ଯାହାର ଫଳ ରାଜ୍ୟର ୭୭ଲକ୍ଷ ଉପଭୋକ୍ତାଙ୍କୁ ଭୋଗିବାକୁ ପଡୁଛି। ବିଦ୍ୟୁତ୍ କମ୍ପାନୀମାନଙ୍କର ଆର୍ଥିକ କ୍ଷୟକ୍ଷତିକୁ ଶୁଳ୍କ ବୃଦ୍ଧି କରି ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି) ଓ ବିଜୁଳି କମ୍ପାନୀମାନେ ଉପଭୋକ୍ତାମାନଙ୍କ ଉପରେ ଲଦି ଦେଉଛନ୍ତି। ଯାହାଫଳରେ ବର୍ଷକୁ ବର୍ଷ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ହେଉଛି। ଉପଭୋକ୍ତାମାନେ ନିରବଚ୍ଛିନ୍ନ ଗୁଣାତ୍ମକ ବିଜୁଳି ସେବା ପାଇବା ତ ଦୂରର କଥା ଏଭଳିକି ବର୍ଷା ଓ ଶୀତଦିନେ ମଧ୍ୟ ବିଦ୍ୟୁତ୍ କାଟର ସମ୍ମୁଖୀନ ହେଉଛନ୍ତି। ଏଥିପ୍ରତି ରାଜ୍ୟ ସରକାର ଏବଂ ଓଇଆରସି ଆଖି ବୁଜିଦେଇଛି। ଆଜି ମଧ୍ୟ ବିଜୁଳି ଚୋରି ଓ ପରିବହନ ଜନିତ କ୍ଷତି ଶତକଡ଼ା ୪୦ ଶତାଂଶରେ ପହଞ୍ଚିଛି। ଏକ ପ୍ରତିଶତ ପରିବହନଜନିତ କ୍ଷତିକୁ ଯଦି ରୋକାଯାଇପାରନ୍ତା ତାହେଲେ ବର୍ଷକୁ ହାରାହାରି ୭୫ କୋଟି ଟଙ୍କାର ବୋଝ ହାଲୁକା ହୋଇପାରନ୍ତା। ୪୦ ଶତାଂଶ କ୍ଷତି ଯୋଗୁଁ ଉପଭୋକ୍ତାମାନଙ୍କୁ ବାର୍ଷିକ ହାରାହାରି ୩ ହଜାର କୋଟି ଟଙ୍କାର ଆର୍ଥିକ ବୋଝ ବୋହିବାକୁ ପଡ଼ୁଛି। ଏହା ଗରାଖଙ୍କ ପ୍ରତି ବିଜୁଳି କମ୍ପାନୀମାନଙ୍କର ଆର୍ଥିକ ଶୋଷଣର ଏକ ଚରମ ନମୂନା ବୋଲି ସମାଜବାଦୀ ପାର୍ଟି ଅଭିଯୋଗ କରିଛି। ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଜି ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେର ପ୍ରକାଶ କରିଛନ୍ତି ଯେ, ବିଜୁଳି କମ୍ପାନୀମାନେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ସେମାନଙ୍କର ବାର୍ଷିକ ଆର୍ଥିକ ଆବଶ୍ୟକତା ପାଇଁ ବିଦ୍ୟୁତ୍ ନିୟାମକ ଆୟୋଗଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଗ୍ରୀଡ୍ କୋ ବିଜୁଳି କିଣିବା ପାଇଁ ଆଗାମୀ ଆର୍ଥିକ ବର୍ଷ ପାଇଁ ୯୧୩୪ କୋଟି ୨୧ ଲକ୍ଷ ଟଙ୍କା ଦରକାର ବୋଲି ହିସାବ ରଖିଛି। ଆବଣ୍ଟନ କମ୍ପାନୀମାନେ ବାକିଆ ବିଦ୍ୟୁତ୍ ଦେୟ ଠିକ୍ ସମୟରେ ପୈଠକ ନ କରିବା ଯୋଗୁଁ ଗ୍ରୀଡ୍ କୋକୁ ପ୍ରାୟ ୪୯୮୪ କୋଟି ୯୨ ଲକ୍ଷ ଟଙ୍କାର ଆର୍ଥିକ ବୋଝ ବୋହିବାକୁ ପଡ଼ୁଛି। ଏହାବ୍ୟତୀତ ୧୧ହଜାର କୋଟି ଟଙ୍କାର ଋଣ ଭାର୍ ରେ ଗ୍ରୀଡ୍ କୋ ଆଉଟ୍ ପାଉଟୁ ହେଉଛି ବୋଲି ଏହାର ଆବେଦନରେ ଦର୍ଶାଇଛି। ବିଦ୍ୟୁତ୍ ନିୟାମକ ଆୟୋଗ ଗ୍ରୀଡ୍ କୋ ସମେତ ବିଭିନ୍ନ ଉତ୍ପାଦନ ଓ ଆବଣ୍ଟନ କମ୍ପାନୀମାନଙ୍କ ଆର୍ଥିକ ଆବଶ୍ୟକତାକୁ ଆଖି ଆଗରେ ରଖି ଆସନ୍ତା ଆର୍ଥିକବର୍ଷ ପାଇଁ ଏହି ଦରଖାସ୍ତ ଉପରେ ବିଚାର କରିବେ। କମ୍ପାନୀମାନଙ୍କ ଚାପରେ ଆୟୋଗ ଯଦି ସମ୍ମତି ପ୍ରକାଶ କରନ୍ତି ତା’ହେଲେ ୟୁନିଟ୍ ପିଛା ଗ୍ରାହକମାନଙ୍କୁ ୩ଟଙ୍କା ୨୬ ପଇସାର ବିଜୁଳି ବୋଝ ବୋହିବାକୁ ପଡ଼ିବ। କିନ୍ତୁ ଗ୍ରାହକମାନେ ଏହି ଆର୍ଥିକ ବୋଝକୁ ବୋହିବେ କାହିଁକି ବୋଲି ଶ୍ରୀ ବେହେରା ପ୍ରଶ୍ନ କରିଛନ୍ତି। ଓଡ଼ିଶା ଭଳି ଏକ ବିଦ୍ୟୁତ୍ ଉତ୍ପାଦନକାରୀ ରାଜ୍ୟରେ ବାରମ୍ବାର ଅଘୋଷିତ ବିଜୁଳିକାଟର ସମ୍ମୁଖୀନ ହେଉଥିବା ଗ୍ରାହକମାନେ ଆଜି ଅତିଷ୍ଠ ହୋଇପଡ଼ିଲେଣି। ଗରାଖଙ୍କ ଉଚିତ୍ ମୂଲ୍ୟରେ ଗୁଣାତ୍ମକ ବିଜୁଳି ସେବା ଯୋଗାଇବାରେ ବିଫଳ ଏହି କମ୍ପାନୀମାନଙ୍କର ପରିଚାଳନାଗତ ଦକ୍ଷତାର ଅଭାବ ଯୋଗୁଁ ଓଡ଼ିଶାବାସୀ ବିପର୍ଯ୍ୟସ୍ତ ବିଦ୍ୟୁତ୍ ସେବାର ସମ୍ମୁଖୀନ ହେଉଛନ୍ତି। ତେଣୁ ଗୁଣାତ୍ମକ ସେବା ନ ଯୋଗାଇ ବିଜୁଳି କମ୍ପାନୀମାନେ ଶୁଳ୍କ ବୃଦ୍ଧିର ଯେଉଁ ଚକ୍ରାନ୍ତ କରିଛନ୍ତି, ଏହାକୁ ବନ୍ଦ କରାନଗଲେ ସମାଜବାଦୀ ପାର୍ଟି ରାଜରାସ୍ତାକୁ ଓହ୍ଲାଇ ଏହା ବିରୁଦ୍ଧରେ ଜନଆନ୍ଦୋଳନ କରିବ ବୋଲି ଶ୍ରୀ ବେହେରା ସତର୍କ କରାଇଛନ୍ତି।

ଓଡ଼ିଆ ପୁଅ

Related Posts

About The Author

Add Comment