ହାଡଭଙ୍ଗା ଶୀତ ରେ ଥରୁଛି ବାଲିଗୁଡା ସହର: କୃଷି, ଶ୍ରମିକ, ବ୍ୟବସାୟୀକ କାର୍ଯ୍ୟକ୍ଷେତ୍ର ହେଉଛି ବାଧାପ୍ରାପ୍ତ

Spread the love
ବାଲିଗୁଡା,  ୧୮/୧/୨୬  (ସନ୍ଧାନ ନ୍ୟୁଜ) : ସମଗ୍ର ବାଲିଗୁଡା ଉପଖଣ୍ଡ ରେ ଦିନକୁ ଦିନ ଥଣ୍ଡା ବୃଦ୍ଧି ପାଇବାରେ ଲାଗିଛି, କମିବାର ନାଁ ଧରୁନି, ଦିନ ହେଉ କି ରାତି ଜାଡ଼ରେ ଥରୁଛି ସମଗ୍ର ଅଞ୍ଚଳ l ଦିନ ରାତି ପିଲାଠୁ ବୁଢା ଯାଏଁ ନିଆଁ ଲଗାଇ ପାଖରେ ବସି ରହୁଥିବା ଦେଖିବାକୁ ମିଳୁଛି l ଗତ କିଛି ଦିନ ଧରି ପାରଦ ତଳମୁହାଁ ହୋଇଥିବା ବେଳେ ରାତିରେ ପ୍ରବଳ ମାତ୍ରା ରେ ଥଣ୍ଡା ପଡୁଥିବା ଏବଂ ସକାଳ ସମୟରେ କେତେକ ସ୍ଥାନ ରେ ଘନ କୁହୁଡ଼ି ଲାଗି ରହୁଛି l ଏପରିକି ସକାଳ ଦିନ ୧୦ ଟା ପର୍ଯ୍ୟନ୍ତ କୁହୁଡ଼ି ଥଣ୍ଡା ଲାଗି ରହୁଥିବାରୁ ସାଧାରଣ ଜନଜୀବନ ଉପରେ ପ୍ରଭାବ ପଡ଼ୁଛି। ଥଣ୍ଡା ପବନ ସହ ଶୀତର ପ୍ରକୋପ ଯୋଗୁଁ ଲୋକେ ଘରୁ ବାହାରିବାକୁ ଅସୁବିଧା ଅନୁଭବ କରୁଛନ୍ତି। ଶୀତ ବଢ଼ିବା ସହିତ ଗାଁ ଗଣ୍ଡା ଓ ସହର ଅଞ୍ଚଳରେ ସନ୍ଧ୍ୟା ହୋଇଗଲେ ଶୂନସାନ ଦେଖାଯାଉଛି। ଏପଟେ ଶ୍ରମିକ, ଚାଷୀ, ଛାତ୍ରଛାତ୍ରୀ ଓ ବ୍ୟବସାୟୀମାନେ ଶୀତ ପାଇଁ କାର୍ଯ୍ୟ କ୍ଷେତ୍ରରେ ବାଧାପ୍ରାପ୍ତ ହେଉଥିବା ବେଳେ ଦିନ ତମାମ ବିଭିନ୍ନ ଶୀତ ବସ୍ତ୍ର ପରିଧାନ କରୁଥିବା ପରିଲକ୍ଷିତ ହେଉଛି l ବିଶେଷ କରି ଗ୍ରାମାଞ୍ଚଳ ହେଉ କି ସହର ଓ ବଜାର ର କେତେକ ସ୍ଥାନରେ ଲୋକେ ନିଆଁ ଲଗାଇ ଶୀତକୁ ମୁକାବିଲା କରୁଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି l ଶୀତ ପାଇଁ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପଡ଼ୁଛି। ବୃଦ୍ଧ, ଶିଶୁ ଓ ରୋଗୀଣା ବ୍ୟକ୍ତିମାନେ ସର୍ଦି-ଖାସ, ଜ୍ୱର ରେ ପୀଡିତ ମଧ୍ୟ ହେଉଥିବା ଅନୁମାନ କରାଯାଉଛି । ସମଗ୍ର ବାଲିଗୁଡା ଟାଉନ ସମେତ ତୁମୁଡିବନ୍ଧ, କୋଟଗଡ, କ. ନୂଆଗାଁ, ଦାରିଙ୍ଗବାଡି, ରାଇକିଆ, ଘୁ.ଉଦୟଗିରି, ଟିକାବାଲି, ଚକାପାଦ ବ୍ଲକ ଅଞ୍ଚଳ ର ପ୍ରଭୃତି ଅଭ୍ୟାନ୍ତରଣ ଅଞ୍ଚଳରେ ଘନ କୁହୁଡି ସହ ପ୍ରବଳ ଶୀତ ଅନୁଭବ ହେଉଛି । କାଠ, କୋଇଲା, ପନିପରିବା, ଖଲି ପତ୍ର ବିକ୍ରି କରି ଦୈନଦିନ ଗୁଜୁରାଣ ମେଣ୍ଟାଉଥିବା ଲୋକଙ୍କ କଥା କହିଲେ ନ ସରେ, ପାଣିପାଗ ବିଭାଗ ସୂଚନା ଅନୁସାରେ, ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ଶୀତର ପ୍ରଭାବ ଜାରି ରହିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଗରିବ ଓ ଅସହାୟ ଲୋକଙ୍କ ପାଇଁ କମ୍ବଳ ବଣ୍ଟନ କରିବାକୁ ସାଧାରଣ ରେ ଦାବି ହେଉଛି l ଏହି ଘନ କୁହୁଡି ଓ ପ୍ରବଳ ଶୀତ କୁ ଉପଭୋଗ କରିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ସୁଅ ଛୁଟିଛି । ବାଲିଗୁଡା ର ଝୁଲାପୋଲ, ତୁମୁଡ଼ିବନ୍ଧର ଜାଲେଶପଟ୍ଟା, ବେଲଘର କାଠବଙ୍ଗଳା, କୋଟଗଡର ଲୁଦୁ, ଦାରିଙ୍ଗବାଡ଼ିର କଫି ବଗିଚା, ପାଇନ ବଣ,ରାଇକିଆ ର ମଣ୍ଡାସୁର ଝରଣା, ଘୁ.ଉଦୟଗିରିର ମୁକୁଲୁଙ୍ଗିଆ ଆଦି ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି। ପର୍ଯ୍ୟଟକ ମାନେ ଏଠାକୁ ପିକ୍‌ନିକ୍‌ କରିବାକୁ ଆସୁଥିବାରୁ ପ୍ରବଳ ଭିଡ ଜମୁଛି। ପର୍ଯ୍ୟଟନ ବିଭାଗ ତରଫରୁ ସମସ୍ତ ପର୍ଯ୍ୟଟନସ୍ଥଳ ରହିବା ପାଇଁ ସୁବିଧା କିଛି କରାଯାଇନାହିଁ । ନିକଟସ୍ଥ ସହରରେ ଥିବା ଲଜ୍‌ ଓ ହୋଟେଲରେ ପର୍ଯ୍ୟଟକ ମାନେ ଅଧିକା ଖର୍ଚ୍ଚ ରେ ରହୁଛନ୍ତି। କନ୍ଧମାଳ ଜିଲ୍ଲାରେ ଥିବା ସମସ୍ତ ପର୍ଯ୍ୟଟନ ସ୍ଥଳୀର ବିକାଶ କରିବା ପାଇଁ ଅଞ୍ଚଳ ବାସୀଙ୍କ ତରଫରୁ ଦାବି ହେଉଛି।

Related Posts

About The Author

Add Comment