ସ୍ୱତନ୍ତ୍ର ଅସ୍ତ୍ରୋପଚାର ଜରିଆରେ ସାତ ବର୍ଷିଅ ପିଲା ପାଟିରୁ ୫୨୬ଟି ଦାନ୍ତ ଓପାଡ଼ିବାରେ ଡାକ୍ତର ସଫଳ

Spread the love

ଚେନ୍ନାଇ,୩୧/୭ (ସନ୍ଧାନ ନିଉଜ: ଚେନ୍ନାଇର ଜଣେ ୭ ବର୍ଷିଅ ବାଳକ ପାଟିରେ ଥିବା ୫୨୬ଟି ଦାନ୍ତକୁ କାଢ଼ିବା ପାଇଁ ସହରର ‘ସବିତା ଡେଣ୍ଟାଲ୍‌ କଲେଜ୍‌ ଆଣ୍ଡ୍‌ ହସ୍ପିଟାଲ୍‌’ର ଡାକ୍ତରମାନେ ଏକ ସ୍ୱତନ୍ତ୍ର ଅସ୍ତ୍ରୋପଚାର କରି ସେଥିରେ ସଫଳ ହୋଇଛନ୍ତି। ‘କମ୍ପାଉଣ୍ଡ୍‌ କମ୍ପୋଜିଟ୍‌ ଅନ୍‌ଡୋନ୍‌ଟୋମ’ ନାମକ ରୋଗର ଶିକାର ହୋଇଥିବା ଏହି ବାଳକଙ୍କ ପାଟିର ତଳ କଳ ଫୁଲିବାରୁ ତାଙ୍କୁ ହସ୍ପିଟାଲ୍‌କୁ ନିଆଯାଇଥିଲା।

ପିଲାଟିର କଳ ଫୁଲିବା କଥା ତା’ର ବାପାମାଆ ପ୍ରଥମେ ତାକୁ ୩ ବର୍ଷ ବୟସ ହୋଇଥିବା ବେଳେ ଜାଣିବାକୁ ପାଇଥିଲେ। ମାତ୍ର ସେ ସମୟରେ ସେମାନେ ଏହାକୁ ବିଶେଷ ଗୁରୁତ୍ୱ ଦେଇନଥିଲେ। ପରେ ବୟସ ବଢ଼ିବା ସଙ୍ଗେ ସଙ୍ଗେ କଳ ଫୁଲିବା ବଢ଼ିବାରୁ ବାପାମାଆ ପିଲାଟିକୁ ନେଇ ହସ୍ପିଟାଲ୍‌ ଯାଇଥିଲେ। ହସ୍ପିଟାଲ୍‌ର ‘ଓରାଲ୍‌ ଆଣ୍ଡ୍‌ ମାକ୍ସିଲୋଫେସିଆଲ୍‌ ବିଭାଗ’ର ପ୍ରଫେସର ପି ସେନ୍ଥିଲନାଥାନ ବୁଧବାର ପିଲାଟିର ସଫଳ ଅସ୍ତ୍ରୋପଚାର କରିଛନ୍ତି।

ଏକ୍ସ-ରେ ଓ ସିଟି ସ୍କାନ ରିପୋର୍ଟ ଦେଖିବା ପରେ ପ୍ରଫେସର୍‌ ସେନ୍ଥିଲନାଥାନ କହିଛନ୍ତି ଯେ ପିଲାଟିର ପାଟିରେ ଗୁଡ଼ାଏ ସ୍ୱଳ୍ପବିକଶିତ ଦାନ୍ତ ଉଠିଥିବା ହେତୁ ଏପରି ସମସ୍ୟା ଉପୁଜିଛି। ଅସ୍ତ୍ରୋପଚାର ଏହାର ଏକମାତ୍ର ବିକଳ୍ପ ଥିଲା।

ପାଟି ଭିତରେ ଅନେକ ଗୁଡ଼ାଏ କ୍ଷୁଦ୍ର କ୍ଷୁଦ୍ର ଦାନ୍ତ ରହିଥିଲା। ସେହି ସମସ୍ତ ଦାନ୍ତକୁ ଓପାଡ଼ିବା ପାଇଁ ଡାକ୍ତରଙ୍କୁ ପୂରା ପାଞ୍ଚ ଘଣ୍ଟା ସମୟ ଲାଗିଥିଲା। ଜଣେ ମଣିଷ ପାଟିରେ ଏତେଗୁଡ଼ିଏ ଦାନ୍ତ ପୂର୍ବରୁ କାହା ଭିତରେ ଦେଖିବାକୁ ମିଳିନଥିଲା। ଏହା ଏକ ବିରଳ ଓ ବିଶ୍ୱରେ ପ୍ରଥମ ବୋଲି ଡାକ୍ତରମାନେ ମତ କହିଛନ୍ତି।

Related Posts

About The Author

Add Comment