ଭୁବନେଶ୍ଵର, ୨୦ /୦୧/୨୦୨୦ (ସନ୍ଧାନ ନିଉଜ) : ସ୍ମାର୍ଟ ଯୁଗରେ ସାମ୍ନାକୁ ଆସିଲେ ହାଇଟେକ୍ ପଣ୍ଡିତ । ପୋଥୀ ଛାଡି ଲାପଟପ୍ ଦେଖି ବେଦ ଉଚ୍ଚାରଣ କରୁଛନ୍ତି ପଣ୍ଡିତ । ପୁରୀ ରାମେଶ୍ୱର ଶୈବପୀଠରେ ଅନୁଷ୍ଠିତ ବିଶ୍ୱଶାନ୍ତି ଯଜ୍ଞରୁ ସାମ୍ନାକୁ ଆସିଛି ସ୍ମାର୍ଟ ପଣ୍ଡିତଙ୍କ ନିଆରା ବେଦ ଉଚ୍ଚାରଣର ଦୃଶ୍ୟ । କହିଲେ ଯୁଗ ସହ ବଦଳୁଛି ମନ୍ତ୍ର ଉଚ୍ଚାତରଣର ପଦ୍ଧତି । କଥାଟା ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । ପଣ୍ଡିତ ବେଦପାଠ କରୁଛନ୍ତି, ହେଲେ ଏଠି ଲ୍ୟାପଟପ୍ ଏବଂ ଟ୍ୟାବର କାମ କ’ଣ? ଭଲ କରି ଦେଖିଲେ ଜାଣିବେ ଏଠି ପଣ୍ଡିତ ଜଣକ, ବେଦପାଠ ଓ ଶାସ୍ତ୍ରପାଠ ବଦଳରେ ଲ୍ୟାପଟପ୍ ପାଠ କରୁଛନ୍ତି । ସରଳ ଭାଷାରେ କହିଲେ, ପୂଜାପାଠ ପାଇଁ ଆବଶ୍ୟକ ମନ୍ତ୍ର ଓ ବିଧି ଲ୍ୟାପ୍ଟପ୍ରୁ ଦେଖି ଅନୁସରଣ କରୁଛନ୍ତି । ପୁରୀ ଜିଲ୍ଲା ରାମେଶ୍ୱର ଶୈବପୀଠରେ ଅନୁଷ୍ଠିତ ବିଶ୍ୱଶାନ୍ତି ଯଜ୍ଞରୁ ଆସିଛି ଏଭଳି ଏକ ଚିତ୍ର ।
ବେଦ ତଥା ଶାସ୍ତ୍ର ପୁସ୍ତକ ଧରି ବିଭିନ୍ନ ପୂଜାସ୍ତଳକୁ ଯିବା ଯେମିତି କଷ୍ଟସାଧ୍ୟ ସେହି ପୁସ୍ତକରୁ ନିର୍ଦ୍ଦିଷ୍ଟ ମନ୍ତ୍ର ଖୋଜି ପାଠ କରିବା ସେତିକି ସମୟ ସାପେକ୍ଷ । ଆଉ ଏହି ସବୁ ଝିନଝଟରୁ ମୁକ୍ତି ପାଇବା ପାଇଁ ଏକ ନିଆରା ବାଟ ଖୋଜି ବାହାର କରିଛନ୍ତି ଏହି ସ୍ମାର୍ଟ ପଣ୍ଡିତ । ଆଧୁନିକ ଯୁଗର ବୈଷୟିକ ଜ୍ଞାନ କୌଶଳକୁ ପାରମ୍ପରିକ ପୂଜାପାଠରେ ଉପଯୋଗ କରି ଏବେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ।