ସୁରତ ଫେରନ୍ତାଙ୍କ ଆଇ.ଟି.ଆଇ. ସ୍କୁଲରେ ପଞ୍ଜିକରଣ ଓ ନମୁନା ସଂଗ୍ରହ

Spread the love

ଭଣ୍ଡାରିପୋଖରୀ, (ସନ୍ଧାନ ନିୟୁଜ): ଭଣ୍ଡାରିପୋଖରୀ ବ୍ଲକର ସରକାରୀ ଶିଳ୍ପ ତାଲିମ କେନ୍ଦ୍ରରେ ଗତ ଶୁକ୍ରବାର ରାତ୍ର ୨.୩୮ ମିନିଟରେ ପହଞ୍ଚଥିଲେ ଜଣେ ମହିଳାଙ୍କ ସମେତ ୪୧ଜଣ ଗୁଜୁରାଟ ରାଜ୍ୟ ସୁରତ ଫେରନ୍ତାମାନେ । ଦୀର୍ଘ ଦେଢ଼ ମାସ ଲକଡାଉନ ହୋଇ ରହିବା ପରେ ଘରକୁ ଆସିବାକୁ ଅନଲାଇନ ପଞ୍ଜିକରଣ କରି ଗତ ୨୮ ତାରିଖ ବସ ଯୋଗେ ସଂପୃକ୍ତ ସୂତାକଳ ଶ୍ରମିକମାନେ ଓଡିଶା ଯାତ୍ରା ଆରମ୍ଭ କରିଥିଲେ । ଦୀର୍ଘ ଚାରି ଦିନ ଯାତ୍ରା କରିବା ପରେ ଶୁକ୍ରବାର ୧୬ ନଂ ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ସୀମା ଆଖୁଆପଦା ବୈତରଣୀ ସେତୁ ନିକଟରେ ପହଞ୍ôଚବା ମାତ୍ରେ ସ୍ଥାନୀୟ ପୁଲିସ ଓ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ, ତହସିଲଦାର ମୃତ୍ୟୁଞ୍ଜୟ ଭୂୟାଁ, ବିଡିଓ ଉମେଶ ମଲ୍ଲିକ ପ୍ରମୁଖ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ସେମାନଙ୍କୁ ଶିଳ୍ପ ତାଲିମ କେନ୍ଦ୍ରକୁ ଆଣି ରାତ୍ର ଭୋଜନ ସହ ରାତ୍ରୀ ଯାପନ ବ୍ୟବସ୍ଥା କରିଥିଲେ । ଶନିବାର ସକାଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁର୍ନବାର ସେମାନଙ୍କର ପଞ୍ଜିକରଣ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଭଦ୍ରକ ବ୍ଳକ ଆଠ ପଞ୍ଚାୟତର ୧୫ ଜଣ, ଧାମନଗର ବ୍ଲକ ୭ ପଞ୍ଚାୟତର ୧୧ ଜଣ, ତିହିଡି ବ୍ଳକ ଦୁଇ ପଞ୍ଚାୟତର ୩ ଜଣ, ବାସୁଦେବପୁର ବ୍ଲକ ଦୁଇ ପଞ୍ଚାୟତର ୭ଜଣ, ଧାମନଗର ଓ ଚାନ୍ଦବାଲି ବିଜ୍ଞପିତ ଅଞ୍ଚଳ ପରିଷଦର ଜଣେ ଲେଖାଏଁ ସମେତ ବାଲେଶ୍ୱର ଜିଲ୍ଲା ସୋରୋ ବ୍ଲକର ତିନି ଜଣ ଅନ୍ତର୍ଭୁକ୍ତ । ବ୍ଲକ ପ୍ରଶାସନ ପକ୍ଷରୁ ସୁରତ ଫେରନ୍ତାଙ୍କ ଖାଦ୍ୟ ବ୍ୟବସ୍ଥା କରାଯାଇଥିଲା । ଭଦ୍ରକ ମେଡିକାଲ ପକ୍ଷରୁ ସମସ୍ତ ୪୧ ଜଣଙ୍କର ସ୍ରିନିଂ କରାଯାଇଥିଲା । ଡା. ଦିନେଶ କୁମାର ସାହୁଙ୍କ ନେତୃତ୍ୱରେ ଭୁବନେଶ୍ୱର ଏମ.ସ.ରୁ ଆସିଥିବା କେନ୍ଦ୍ରୀୟ ଡାକ୍ତର ଦଳ ସେମାନଙ୍କ ଅବସ୍ଥା ଅନୁଧ୍ୟାନ କରିଥିଲେ । କେନ୍ଦ୍ରୀୟ ଡାକ୍ତରଙ୍କ ପରାମର୍ଶ କ୍ରମେ ସେମାନଙ୍କ ମଧ୍ୟରୁ ୧୯ଜଣଙ୍କ ସ୍ୱାବ ପରୀକ୍ଷଣ ପାଇଁ ସଂଗ୍ରହ କରାଯାଇଥିଲା । ଦିନ ୧୨.୪୫ ମିନିଟରେ ତିନି ଗୋଟି ଯାନରେ ସେମାନଙ୍କୁ ନିଜ ନିଜ ଗନ୍ତବ୍ୟସ୍ଥଳକୁ କଡା ପୁଲିସ ପହରା ଓ ପ୍ରଶାସନିକ ହେପାଜତରେ ପଠାଯାଇଥିଲା । ସେଠାରେ ନିଜ ନିଜ ଅଞ୍ଚଳରେ ଥିବା ନୋଡାଲ କ୍ୱାରାଣ୍ଟାଇନ କେନ୍ଦ୍ରରେ ସେମାନଙ୍କୁ ଡାକ୍ତରୀ ଚିକିତ୍ସା ସହ ରଖାଯିବାର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲା କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

Related Posts

About The Author

Add Comment