ରବି ପଟ୍ଟନାୟକ (୧ ଅକ୍ଟୋବର ୧୯୩୫ – ୩ ଜୁନ, ୧୯୯୧) ଜଣେ ଓଡ଼ିଆ ସାହିତ୍ୟିକ ଥିଲେ । ଧରାବନ୍ଧା ଘଟଣାବୈଚିତ୍ର ଓ କାହାଣୀସର୍ବସ୍ଵ ବର୍ଣ୍ଣନାରୁ ହଟିଯାଇ, ଓଡ଼ିଆ କ୍ଷୁଦ୍ରଗଳ୍ପକୁ ଅପାରମ୍ପରିକ ବିଷୟବିନ୍ୟାସ ତଥା ନୂତନ ପ୍ରୟୋଗ-ପରୀକ୍ଷାରେ ସମୃଦ୍ଧ କରିବାରେ ତାଙ୍କର ଉଲ୍ଲେଖଯୋଗ୍ୟ ଭୂମିକା ରହିଛି ।
ଜୀବନୀ
ରବି ପଟ୍ଟନାୟକ, ୧୯୩୫ ମସିହା ଅକ୍ଟୋବର ମାସ ୨୧ ତାରିଖରେ ସୁନ୍ଦରଗଡ଼ ଜିଲ୍ଲାର ବଣାଇଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା କୃଷ୍ଣଚନ୍ଦ୍ର ପଟ୍ଟନାୟକ ଥିଲେ, ସତ୍ୟବାଦୀ ବନ ବିଦ୍ୟାଳୟରେ ଜଣେ ଶିକ୍ଷକ । ମାତଙ୍କ ନାମ ଥିଲା ସୁନ୍ଦରମଣି ଦେବୀ । ରବି ପଟ୍ଟନାୟକଙ୍କର ପାଞ୍ଚ ଭାଇ ଥିଲେ । ରବି ପଟ୍ଟନାୟକ ରାଇରଙ୍ଗପୁର, ବାରିପଦା ଆଦି ସ୍ଥାନରୁ ଶିକ୍ଷାଗ୍ରହଣ କରିଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟରୁ ଭୂତତ୍ତ୍ଵରେ ସ୍ନାତକୋତ୍ତର ହାସଲ କରିଛନ୍ତି । ସେ ୧୯୬୦ ମସିହାରେ, ଭାରତ ସରକାରଙ୍କ ଭୂତତ୍ତ ସର୍ବେକ୍ଷଣ ସଂସ୍ଥାରେ ଭୂତତ୍ତ୍ଵବିଦ ଭାବରେ ଚାକିରି ଆରମ୍ଭ କରିଥିଲେ । ୧୯୯୧ ମସିହା ଜୁନ ୩ ତାରିଖରେ ମାତ୍ର ୫୬ ବର୍ଷ ବୟସରେ ତାଙ୍କର ପରଲୋକ ଗମନ ଘଟିଥିଲା । ଏହି ସମୟ ବେଳକୁ, ସେ ଭୂତତ୍ତ ସର୍ବେକ୍ଷଣ ସଂସ୍ଥାର ଭୁବନେଶ୍ଵର ଶାଖାର ନିର୍ଦ୍ଦେଶକ ଭାବରେ କାର୍ଯ୍ୟରତ ଥିଲେ ।
ରଚନାବଳୀ
- ଅସମାଜିକର ଡାଏରୀ (୧୯୬୪)
- ଅନ୍ଧଗଳିର ଅନ୍ଧକାର (୧୯୭୨)
- ରାଗତୋଡି (୧୯୭୯)
- ବହୁରୂପୀ (୧୯୭୯)
- ହିରଣ୍ୟଗର୍ଭ (୧୯୮୨)
- ଗଳ୍ପ (୧୯୮୨)
- ବିଷୁବରେଖା (୧୯୮୩)
- ରାଜାରାଣୀ (୧୯୮୭)
- ବନ୍ଧ୍ୟାଗାନ୍ଧାରୀ (୧୯୮୮)
- ଅମରିଲତା (୧୯୯୦)
- ବିଚିତ୍ରବର୍ଣ୍ଣା (୧୯୯୧)
- ଛାୟା ପୁତ୍ରର କାଳ (୧୯୯୧)
- ରବି ପଟ୍ଟନାୟକଙ୍କ ଶ୍ରେଷ୍ଠ ଗଳ୍ପ (୧୯୯୨)
- ପ୍ରେମ ଓ ପ୍ରତିମା (୧୯୯୩)
- ମେଘମହ୍ଲାର (୧୯୯୫)
- ଅବିନଶ୍ଵର (୧୯୯୫)
- ପ୍ରଜାପତିର ଘର (୧୯୯୬)
- ଗଳ୍ପ ସମଗ୍ର ୧ମ ଭାଗ (୨୦୦୮)
- ଗଳ୍ପ ସମଗ୍ର ୨ୟ ଭାଗ (୨୦୧୦)
ପୁରସ୍କାର ଓ ସମ୍ମାନ
- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର – ୧୯୯୨
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ହିରଣ୍ୟଗର୍ଭ ପାଇଁ) – ୧୯୮୪
- ଶାରଳା ପୁରସ୍କାର, ୧୯୯୧
- ବିଷୁବ ପୁରସ୍କାର
- ଧରିତ୍ରୀ ସମ୍ମାନ
ଭୁବନେଶ୍ଵରରେ ପୁସ୍ତକ ମେଳା ଆରମ୍ଭ କରିବାରେ ରବି ପଟ୍ଟନାୟକଙ୍କର ଅବଦାନ ରହିଥିଲା । ତାଙ୍କରି ସ୍ମୃତିରେ “ଭୁବନେଶ୍ଵର ପୁସ୍ତକ ମେଳା କମିଟି” ପକ୍ଷରୁ ପ୍ରତିବର୍ଷ, “ରବି ପଟ୍ଟନାୟକ ସ୍ମୃତି ପୁରସ୍କାର” ପ୍ରଦାନ କରାଯାଇଥାଏ ।