ପୁନେ,(ସନ୍ଧାନ ନିଉଜ) ବାପାଙ୍କ ସମ୍ପତ୍ତିରେ ଉଭୟ ପୁଅ ଏବଂ ଝିଅର ସମାନ ଅଧିକାର ରହିଛି । ବାପାଙ୍କ ଦେହାନ୍ତ ପରେ ଏହା ସେମାନଙ୍କର ସମସ୍ତ ପିଲାଙ୍କ ମଧ୍ୟରେ ଭାଗ ବଣ୍ଟା ହୋଇଥାଏ । ହେଲେ ଅଧିକାଂଶ ସମୟରେ ଭାଇ ଓ ଭଉଣୀଙ୍କ ମଧ୍ୟରେ ଏହାକୁ ନେଇ ବିବାଦ ଦେଖା ଦେଇଥାଏ । ଆଉ ଏହି ବିବାଦ ବେଳେବେଳେ ଉଗ୍ର ରୂପ ଧାରଣ କରିଥାଏ । ଯାହା ଦ୍ୱାରା ହତ୍ୟା କାଣ୍ଡ ଭଳି ଜଘନ୍ୟ କାଣ୍ଡ ଘଟିଥାଏ । ଆଉ ସେତେବେଳେ ରକ୍ତ ସମ୍ପର୍କକୁ ଭୁଲି ଯାଇଥାନ୍ତି ।
ତେବେ ଏଭଳି ଏକ ଘଟଣା ଘଟିଛି ମହାରାଷ୍ଟ୍ର ପୁନେ ସହରର ଥାନା ଅଞ୍ଚଳରେ । ରାଜଶ୍ରୀ ପଟାଙ୍ଗେ ନାମକ ଜଣେ ୪୮ ବର୍ଷୀୟ ମହିଳାଙ୍କୁ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ଶରୀରର ୫୦ ପ୍ରତିଶତ ପୋଡ଼ି ଯାଇଛି । ତାଙ୍କ ମୁହଁ, ବେକ ଏବଂ ଗୋଡ଼ର କିଛି ଅଂଶ ପୋଡ଼ିଯାଇଛି । ହସ୍ପିଟାଲ୍ରେ ତାଙ୍କର ବୟାନ ରେକର୍ଡ କରିଛି ପୋଲିସ୍ ।
ଚତୁସ୍ରୁଙ୍ଗି ଥାନାର ସହକାରୀ ଇନ୍ସ୍ପେକ୍ଟର ଏନେଇ କହିଛନ୍ତି ଯେ, ଉକ୍ତ ମହିଳାଙ୍କ ଭାଇ ଶ୍ୟାମ ପଟାଙ୍ଗେ ତାଙ୍କର ପରିବାରକୁ ନେଇ ବିଭେୱାଡ଼ିରେ ଏକ ଘର ଭଡ଼ା ନେଇ ରହୁଛନ୍ତି । ପୀଡ଼ିତା ରାଜଶ୍ରୀ ଅବିବାହିତ ଏବଂ ବେରୋଜଗାରୀ । ସେ ତାଙ୍କର ଅନ୍ୟ ଜଣେ ଭାଇଙ୍କ ସହ ଅନୁଧର ଏକ ଫ୍ଲାଟ୍ରେ ରହୁଥିଲେ । ଯାହାକି ତାଙ୍କ ବାପା କିଣିଥିଲେ । କିନ୍ତୁ କିଛି ବର୍ଷ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।
ପରେ ଶ୍ୟାମ ଏହି ଫ୍ଲାଟ୍କୁ ବିକ୍ରି କରିବାକୁ ବାହାରି ଥିବା ବେଳେ ଏହାକୁ ରାଜଶ୍ରୀ ବିରୋଧ କରିଥିଲେ । ସେ ତାଙ୍କର ୫୦ ପ୍ରତିଶତ ଅଂଶ ଦାବି କରିଥିଲେ । ଯାହାକୁ ନେଇ ଶ୍ୟାମ ଦିଆସିଲି ମାରି ତାଙ୍କ ଭଉଣୀ ଉପରକୁ ଫିଙ୍ଗି ଦେଇଥିଲେ । ଫଳରେ ସେ ଜଳିଯାଇଥିବା ଜଣାପଡ଼ିଛି ।



