ସମଙ୍ଗରାଠାରେ ନିର୍ମାଣଧୀନ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଓ ଚିକିତ୍ସାଳୟର ସମୀକ୍ଷା କଲେ ଦୁଇ ମନ୍ତ୍ରୀ

Spread the love

ପୁରୀ, ୩୧/୧୦ (ସନ୍ଧାନ ନିୟୁଜ) ଶଙ୍ଖକ୍ଷେତ୍ର ପୁରୀ ଜିଲ୍ଲା ସମଙ୍ଗରାଠାରେ ନିର୍ମାଣଧୀନ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଓ ଚିକିତ୍ସାଳୟର ସମୀକ୍ଷା କରିଛନ୍ତି ଦୁଇ ମନ୍ତ୍ରୀ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଏବଂ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ଏହାକୁ ନେଇ ଆଜି ମଧ୍ୟାହ୍ନରେ ପୁରୀର ସ୍ୱତନ୍ତ୍ର ପ୍ରଦକ୍ଷଣ ଗୃହରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ସମଙ୍ଗରାଠାରେ ୨୫ଏକର ପରିମିତ ଜାଗାରେ ୨ଶହ ୫୦କୋଟି ଟଙ୍କା ବ୍ୟୟରେ ନିର୍ମାଣଧୀନ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଓ ୮ଏକର ପରିମିତ ଜାଗାରେ ୧୧୫କୋଟି ବ୍ୟୟରେ ନିର୍ମିତ ହେବାକୁ ଥିବା ଚିକିତ୍ସାଳୟ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ କୋଠା ନିର୍ମାଣ କାର୍ଯ୍ୟ ପ୍ରାୟତଃ ସମ୍ପୂର୍ଣ୍ଣ ହୋଇଥିବା ବିଷୟରେ ଉଭୟ ମନ୍ତ୍ରୀଙ୍କୁ ଜିଲ୍ଲାପାଳ ବଲୱନ୍ତ ସିଂହ ସୂଚନା ଦେଇଥିଲେ । ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦା, ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର, ପୁରୀ ଜିଲ୍ଲାପାଳ ଶ୍ରୀ ସିଂହ , ଖୋର୍ଦ୍ଧା ସର୍କଲର ଅଧିକ୍ଷଣ ଯନ୍ତ୍ରୀ ପି.କେ. ପାତ୍ର, ଏଲ ଆଣ୍ଡ ଟି କମ୍ପାନୀର ଅରବିନ୍ଦ ମଜୁମଦାର, ନବୀନ କୁମାର, ଉପଜିଲ୍ଲାପାଳ ଭବତାରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସେସୁ ତରଫରୁ ୧୩୨ କେଭି ଲାଇନ ଯୋଗେ ବିଦ୍ୟୁତ୍ ସଂଯୋଗୀକରଣ ବ୍ୟବସ୍ଥା ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ଚିକିତ୍ସାଳୟର ନିର୍ମାଣର ଟେଣ୍ଡର ପ୍ରକ୍ରିୟା ଆସନ୍ତା ୨ମାସ ମଧ୍ୟରେ ଶେଷ କରିବା ସହ ସମସ୍ତ କାର୍ଯ୍ୟ ୨ବର୍ଷ ମଧ୍ୟରେ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ନିର୍ଦ୍ଦେଶ ଦେଇଥିଲେ । ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ଚିକିତ୍ସାଳୟର ନିର୍ମାଣ ପାଇଁ ରାଜସ୍ୱ ବିଭାଗ ଜମିପଟ୍ଟା ହସ୍ତାନ୍ତର କରିସାରିଛନ୍ତି । ପରେ ଦୁଇ ମନ୍ତ୍ରୀ ନିର୍ମାଣଧୀନ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଓ ଚିକିତ୍ସାଳୟ ପ୍ରକଳ୍ପ ସ୍ଥଳକୁ ବୁଲି ଦେଖିଥିଲେ ।

ପୁରୀ ଜିଲ୍ଲା ପ୍ରତିନିଧି ଲାଲା ଅନନ୍ତ କୁମାର ସିଂହ ରିପୋର୍ଟ

Related Posts

About The Author

Add Comment