ବାରିପଦା ୦୫/୦୭ (ସନ୍ଧାନ ନିଉଜ) ;- ତିନି ରଥ ଉପରେ ଶୁକ୍ରବାର ଶ୍ରୀବିଗ୍ରହମାନଙ୍କ ଅଧରପଣା ନୀତି ସମ୍ପନ୍ନ ହୋଇଛି । ଶନିବାର ନିଳାଦ୍ରି ବିଜେ । ଚତୁର୍ଦ୍ଧାବିଗ୍ରହ ରଥରୁ ଗୋଟି ପହଣ୍ଡିରେ ଯାଇ ରନସିଂହାସନରେ ବିରାଜମାନ କରିବେ ।ଏହା ସହିତ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରାର ପରିସମାପ୍ତି ଘଟିବ । ରବିବାର ବାହାରିବା ନୀଳାଚଳ ଅବଢ଼ା । ଆଜି ତିନି ରଥର ଠାକୁରଙ୍କ ମଧ୍ୟାନ୍ନ ଧୂପ ବଢିବା ପରେ ଆରମ୍ଭ ହୋଇଥିଲା ଅଧରପଣା ପାଇଁ ପ୍ରସ୍ତୁତି । ସିଂହଦ୍ବାର ନିକଟ ଛାଉଣୀ ମଠ କୁଅରୁ ପାଣିଆ ଆପଟ ସେବକମାନେ ଗ୍ରାମରେ ଜଳ ଆଣି ରଥ ଉପରେ ଥିବା ପିତ୍ତଳ ହଣ୍ଡାରେ ଭର୍ତ୍ତି କରିଥିଲେ । ମଠ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅଧରପଣା ଲାଗି ଛେନା,ସର, କଦଳୀ, ଗୋଲମରିଚ,କପୂର, ଜାଇଫଳ ଅଣାଯାଇ ରଥ ଉପରେ ରଖାଯାଇଥିଲା। ମହାପ୍ରଭୁଙ୍କ ଶ୍ରୀଅଧର ପର୍ୟ୍ୟନ୍ତ ଉଚ୍ଚତାର ତୁମ୍ବ ଭଳି ମାଟିର ତିନୋଟି ଲେଖାଏଁ ହାଣ୍ଡି ପ୍ରତି ରଥ ଉପରେ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ରଖାଯାଇଥିଲା । ଭୋଗ ପୂର୍ବରୁ ମହାସୁଆରଙ୍କ ଉପସ୍ଥିତିରେ ଭିତରଛୁ,ଚଳୁଛି ଏବଂ ପାଳିଆ ପୁଷ୍ପାଳକ ଶ୍ରୀଅଧର ଆଗରେ ଖଣ୍ଡେ ନୂଆ ଗାମୁଛା ଟେରା ବାନ୍ଧିଥିଲେ । ଏହାପରେ ମହାସୁଆରମାନେ ଅଧରପଣା ପ୍ରସ୍ତୁତ କରିଥିଲେ। ପୂଜାପଣ୍ଡା ସାମନ୍ତ ପଞ୍ଚୋପଚାରରେ ପୂଜା ଶେଷ କରିବା ପରେ ଅଧର ହାଣ୍ଡିକୁ ଭଙ୍ଗାଯାଇଥିଲା । ହାଣ୍ଡି ଭାଙ୍ଗିବା ପରେ ପଣା ସବୁ ରଥ ତଳକୁ ବୋହିଯାଇଥିଲା ।
ଲିଙ୍ଗରାଜ ପଣ୍ଡା, ବାରିପଦା
ଶ୍ରୀଜିଉଙ୍କ ଅଧରପଣା
|
July 5, 2020 |



