ନୂଆଦିଲ୍ଲୀ୨୮/୩ (ସନ୍ଧାନ ନିୟୁଜ ): ପାକ୍ ସମର୍ଥିତ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈସ୍-ଇ- ମହମ୍ମଦର ମୁଖିଆ ମୌଲାନା ମାସୁଦ୍ ଆଝାରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା ପ୍ରସଙ୍ଗରେ ଶେଷରେ ଆଜି ମୁଣ୍ଡ ନୁଆଁଇଛି ପାକିସ୍ତାନ। ପୂର୍ବରୁ ନିଜର ବନ୍ଧୁ ଚୀନ୍କୁ ଢ଼ାଲ କରି ପାକିସ୍ତାନ ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ମାସୁଦ୍ ଆଝାରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବାରୁ ସୁରକ୍ଷା ଦେଇ ଆସୁଥିଲା।
ହେଲେ, ଏବେ ଆଉଥରେ ସବୁ ବାଟ ବନ୍ଦ ହୋଇଯାଉ ଥିବା ଜାଣିବା ପରେ ଚୀନ୍ ରାଷ୍ଟ୍ରପତି ଜି ପେଙ୍ଗଙ୍କ ଦ୍ୱାରସ୍ଥ ହୋଇଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ଚୀନ୍ ରାଷ୍ଟ୍ରମୁଖ୍ୟଙ୍କୁ ନେହୁରା ହୋଇ କହିଛନ୍ତି ଯେ ଯଦି ଆପଣ ଅନୋନ୍ୟପାୟ ହୋଇ ମାସୁଦ୍ ଆଝାରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା ପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ଆଗତ ପ୍ରସ୍ତାବକୁ ନିଜର ସମର୍ଥନ ଦେବାକୁ ବାଧ୍ୟ ହେଉଛନ୍ତି, ତେବେ ଦିଅନ୍ତୁ। ଆମର ଆଉ ଆପତ୍ତି ନାହିଁ। କିନ୍ତୁ, ଆମର ଦୁଇଟି ସର୍ତ୍ତ ଆମେରିକା ସମ୍ମୁଖରେ ରଖନ୍ତୁ। ପ୍ରଥମ ସର୍ତ୍ତ, ସୀମାନ୍ତରେ ଉତ୍ତେଜନା ହ୍ରାସ ପାଇଁ ଭାରତ ଉଦ୍ୟମ କରୁ। ଆଉ ଦ୍ୱିତୀୟ ସର୍ତ୍ତ କଶ୍ମୀର ପ୍ରସଙ୍ଗରେ ପୁଣିଥରେ ଦିଲ୍ଲୀ ଓ ଇସ୍ଲାମାବାଦ୍ ମଧ୍ୟରେ ଦ୍ୱିପାକ୍ଷିକ କଥାବାର୍ତ୍ତା ଆରମ୍ଭ ହେଉ।
ଉଲ୍ଲେଖଯୋଗ୍ୟ, ଯଦିଓ ଆମେରିକା ଦ୍ୱାରା ଆଗତ ଏହି ପ୍ରସ୍ତାବକୁ ଅନ୍ୟ ଦୁଇ ସଦସ୍ୟ ରାଷ୍ଟ୍ର ବ୍ରିଟେନ୍ ଓ ଫ୍ରାନ୍ସ ପୂର୍ଣ୍ଣ ସମର୍ଥନ ଦେଇଥିଲେ, ତଥାପି ଚୀନ୍ ବନ୍ଧୁ ପାକିସ୍ତାନକୁ ସୁରକ୍ଷା ଦେବାକୁ ଯାଇ ନିଜର ଭିଟୋ କ୍ଷମତା ପ୍ରୟୋଗ କରି ମାସୁଦ୍ ଆଝାରକୁ ବିଶ୍ୱ ଆତଙ୍କବାଦୀ ରୂପେ ଘୋଷଣା ପ୍ରସ୍ତାବକୁ ଅଟକାଇ ଚାଲିଥିଲା।
ହେଲେ, ଏଥରକ ଆମେରିକା, ବ୍ରଟେନ୍ ଓ ଫ୍ରାନ୍ସ ମିଳିତ ଭାବେ ଏକ ଚେତାବନୀ ଦେଇ ଚୀନ୍କୁ କହିଥିଲେ, ମିଳିତ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ମାସୁଦ୍ ଆଝାରକୁ ବିଶ୍ୱ ଆତଙ୍କବାଦୀ ରୂପେ ଘୋଷଣା କରିବାକୁ ଆଗତ ପ୍ରସ୍ତାବକୁ ତୁମେ କାହିଁକି ଓ କେଉଁ କାରଣ ପାଇଁ ଅଟକାଉଛ, ତାହା ନିର୍ଦ୍ଦିଷ୍ଟ ଭାବେ ଆମକୁ ଦୁଇ ସପ୍ତାହ ମଧ୍ୟରେ ଜଣାଅ। ଚୀନ୍କୁ ଦିଆ ଯାଇଥିବା ସମୟ କଣ୍ଟ ଚଳିତ ସନ୍ତାହରେ ଶେଷ ହେଉଛି। ତେଣୁ, ପରବର୍ତ୍ତୀ ବୈଠକରେ ଚୀନ୍ ଏପ୍ରସ୍ତାବ ଉପରେ ନିଜର ସମର୍ଥନ ଦେବାକୁ ବାଧ୍ୟ ବୋଲି ଜାଣିବା ପରେ ଏହି ସର୍ତ୍ତ ସହ ପୁଣି ଥରେ ଚୀନ୍ର ଦ୍ୱାରସ୍ଥ ହୋଇଛି ପାକ୍।
ବନ୍ଧୁ ପାକ୍ର ଅନୁରୋଧକୁ ରକ୍ଷା କରି ଚୀନ୍ ମଧ୍ୟ ପାକ୍ର ଏହି ଦୁଇ ସର୍ତ୍ତକୁ ଆମେରିକାକୁ ଜଣାଇଛି। ହେଲେ, ଆମେରିକା ବେଶ୍ ସ୍ପଷ୍ଟ ଭାବେ ଚୀନ୍କୁ ଜଣାଇ ଦେଇଛି ଯେ ମାସୁଦ୍ ଆଝାରକୁ ବିଶ୍ୱ ଆତଙ୍କବାଦୀ ରୂପେ ଘୋଷଣା କରିବାକୁ ଆଗତ ପ୍ରସ୍ତାବ ସହ କଶ୍ମୀର ପ୍ରସଙ୍ଗରେ ପୁଣିଥରେ ଦିଲ୍ଲୀ ଓ ଇସ୍ଲାମାବାଦ୍ ମଧ୍ୟରେ ଦ୍ୱିପାକ୍ଷିକ କଥାବାର୍ତ୍ତା ଆରମ୍ଭର କୌଣସି ପ୍ରକାରର ସଂପର୍କ ନାହିଁ।



