ଜେନାପୁର,୨୪/୧୨(ସନ୍ଧାନ ନ୍ୟୁଜ୍) : ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଜେନାପୁର ଥାନା ଅଧିନ ଜେନାପୁର ରେଳ ଷ୍ଟେସନ୍ ପରିସରରେ ସମାଜସେବୀ କାହ୍ନୁଚରଣ ଦାସଙ୍କ ଆହ୍ୱାନ କ୍ରମେ ଓ ଜେନାପୁର ରେଳ ବିକାଶ କମିଟି ପକ୍ଷରୁ ଯାତ୍ରୀଙ୍କ ମୌଳିକ ସୁବିଧାର ଉନ୍ନତି ପାଇଁ ଆଲୋଚନା ଚକ୍ର ଓ ଦାବିପତ୍ର ପ୍ରସ୍ତୁତ ହୋଇଯାଇଛି । ଏହି ସଭାରେ ଜେନାପୁର ପୂର୍ବତନ ଉଚ୍ଚମାଧ୍ୟମିକ ଅଧ୍ୟକ୍ଷ ପ୍ରକାଶ ବରାଳ ଅଧ୍ୟକ୍ଷତା କରିଥିଲେ । ସଭା ପ୍ରାରମ୍ଭରେ ଜେନାପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଓ ବିଶିଷ୍ଟ ରାଜନୀତିଜ୍ଞ ସ୍ୱର୍ଗତ କୃଷ୍ଣଚନ୍ଦ୍ର ପଟ୍ଟନାୟକ ବିୟୋଗରେ ୨ ମିନିଟ୍ ନିରବ ପ୍ରାର୍ଥନା ସହ ଦିବଂଗତ ଆତ୍ମାର ସଦଗଦି ପାଇଁ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା । ଜେନାପୁର ରେଳ ଷ୍ଟେସନ୍ ଦୀର୍ଘଦିନ ଧରି ଯାତ୍ରୀଙ୍କ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି । ସେହିପରି ଜେନାପୁର ରେଳ ଷ୍ଟେସନରେ ଏକ୍ସପ୍ରେସ ଟ୍ରେନ ଷ୍ଟପେଜର ଅଭାବ ଏବଂ ପର୍ଯ୍ୟାପ୍ତ ଯାତ୍ରୀ ସୁବିଧା ସମ୍ବନ୍ଧୀୟ ଏହି ଅଞ୍ଚଳର ଲୋକଙ୍କ ଦୀର୍ଘକାଳୀନ ଅଭିଯୋଗକୁ ସମ୍ମାନର ସହିତ ଜେନାପୁର ରେଳ ବିକାଶ କମିଟି ପକ୍ଷରୁ କେନ୍ଦ୍ର ସରକାର,ରାଜ୍ୟ ସରକାର ଓ କେନ୍ଦ୍ର ରେଳମନ୍ତ୍ରୀ,ଯାଜପୁର ସାଂସଦ,ଧର୍ମଶାଳା ବିଧାୟକ,କେନ୍ଦ୍ର ଶିକ୍ଷାମନ୍ତ୍ରୀ,ରାଜ୍ୟ ବିଜେପି ସଭାପତି,ଜେନାପୁର ଷ୍ଟେସନ୍ ପରିଚାଳକଙ୍କ ଦୃଷ୍ଟିକୁ ଆଣିବା ପାଇଁ ବିନମ୍ରତାର ସହ ଦାବି ଜଣାଇଛନ୍ତି । ଏହି ଅସୁବିଧା ସମସ୍ୟା ଉପରେ ପୂର୍ବରୁ ଜନତା ଏକ୍ସପ୍ରେସ୍ ଏବଂ ପରବର୍ତ୍ତୀ ସମୟରେ ତିରୁପତି ଏକ୍ସପ୍ରେସ୍ ର ଷ୍ଟପେଜ୍ ପ୍ରତ୍ୟାହାର ପରେ, ଜେନାପୁର ରେଳ ଷ୍ଟେସନରେ କୌଣସି ଏକ୍ସପ୍ରେସ୍ ଟ୍ରେନ୍ ଅଟକି ନାହିଁ । ଫଳସ୍ୱରୂପ, ପାଖାପାଖି ପ୍ରାୟ ୨୮ଟି ଗ୍ରାମ ପଞ୍ଚାୟତର ଯାତ୍ରୀମାନେ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଛାତ୍ର, ଦୈନିକ ଯାତ୍ରୀ, କର୍ମଚାରୀ, ବ୍ୟବସାୟୀ, ବରିଷ୍ଠ ନାଗରିକ ଏବଂ ରୋଗୀମାନେ ଦୂର ଷ୍ଟେସନକୁ ଯାତ୍ରା କରିବାକୁ ବାଧ୍ୟ ହେଉଛନ୍ତି । ଯାହା ଫଳରେ ସମୟ ନଷ୍ଟ ହେଉଛି, ଆର୍ଥିକ ବୋଝ ପଡୁଛି ଏବଂ ଘୋର ଅସୁବିଧା ହେଉଛି। ଜେନାପୁର ଯାଜପୁର ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଦ୍ରୁତ ବିକାଶଶୀଳ ଷ୍ଟେସନ, ଏଠାରେ ବର୍ଦ୍ଧିତ ଜନସଂଖ୍ୟା, ଶିକ୍ଷାନୁଷ୍ଠାନ, ବାଣିଜ୍ୟିକ କାର୍ଯ୍ୟକଳାପ ଏବଂ ନିକଟବର୍ତ୍ତୀ ତୀର୍ଥକ୍ଷେତ୍ର ରହିଛି। ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ସତ୍ତ୍ୱେ, ଏକ୍ସପ୍ରେସ ସଂଯୋଗୀକରଣ ଏବଂ ମୌଳିକ ଯାତ୍ରୀ ସୁବିଧାର ଅଭାବ ଜନସାଧାରଣଙ୍କ ସୁବିଧା ଏବଂ ଆଞ୍ଚଳିକ ବିକାଶକୁ ଗୁରୁତର ଭାବରେ ପ୍ରଭାବିତ କରିଛି। ମନେରଖିବା ଉଚିତ ଯେ ଏହି ପ୍ରକୃତ ଜନସାଧାରଣଙ୍କ ଦାବି ଗୁଡ଼ିକୁ ଉଜାଗର କରିବା ପାଇଁ, ରେଳ ବିକାଶ କମିଟି ଜେନାପୁର ରେଳ ଷ୍ଟେସନରେ ୧୯/୦୧/୨୦୧୪ ରୁ ୨୫/୦୧/୨୦୧୪ ପର୍ଯ୍ୟନ୍ତ ଏକ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲା। ଏହି ଆନ୍ଦୋଳନ ପରେ, ବରିଷ୍ଠ ରେଳ ଅଧିକାରୀମାନେ ଷ୍ଟେସନ ପରିଦର୍ଶନ କରି ସ୍ଥାନୀୟ ଲୋକଙ୍କୁ ଆଶ୍ୱାସନା ଦେଇଥିଲେ ଯେ ଉପସ୍ଥାପିତ ସମସ୍ୟା ଗୁଡ଼ିକର ସମାଧାନ ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ। କିନ୍ତୁ ଏପରି ପ୍ରତିଶ୍ରୁତି ଏବଂ ବାରମ୍ବାର ପ୍ରତିନିଧିତ୍ୱ ସତ୍ତ୍ୱେ, ଆଜି ପର୍ଯ୍ୟନ୍ତ କୌଣସି ଦୃଷ୍ଟି ପଦକ୍ଷେପ ନିଆଯାଇ ନାହିଁ। ଯାହା ଫଳରେ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ସୃଷ୍ଟି ହୋଇଛି ବୋଲି ଆଲୋଚନା କରାଯାଇଥିଲା । ଏହି ଷ୍ଟେସନରେ ମୌଳିକ ଅସୁବିଧା ଗୁଡିକୁ ତୁରନ୍ତ ଦୃଷ୍ଟିଦେଇ ଜନସେବା ଏବଂ ନ୍ୟାୟର ବୃହତର ସ୍ୱାର୍ଥ ପାଇଁ ଯଥାଶୀଘ୍ର ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି । ଏହି ସମସ୍ୟା ଉପରେ ନିକଟରେ ଯାଜପୁର ସାଂସଦ ରବି ନାରାୟଣ ବେହେରା ଓ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ସାକ୍ଷତ କରି ଆଲୋଚନା ସହ ଦାବିପତ୍ର ପ୍ରଦାନ କରିବା ପାଇଁ ଏକ ପ୍ରତିନିଧି ମଣ୍ତଳୀ ଦଳ ସ୍ଥିର କରାଯାଇଛି । ଏଥିରେ କମିଟିର ସଦସ୍ୟ ଅଶୋକ ସାହୁ,ଦଶରଥ ତରାଇ,ପ୍ରେମଚାନ୍ଦ ମହାନ୍ତି,ଶିଶିର ଦାସ,ସରୋଜ ପଟ୍ଟନାୟକ,ସୁଦର୍ଶନ ପ୍ରଧାନ,ଯୋଗେନ୍ଦ୍ର ରାଉତ,ଶରତ ଚନ୍ଦ୍ର ମହାନ୍ତି,ବାବଜୀ ମହାରଣା,ଲୋକନାଥ ପୁରୀ,ମାନସ ମହାନ୍ତି,ବିଚିତ୍ରା ନନ୍ଦ ସାହୁ,ରାମଚନ୍ଦ୍ର ମହାନ୍ତି,ପ୍ରଶାନ୍ତ ତରାଇ,ବିଚିତ୍ର ସାମଲ,ଶୁକଦେବ ତରାଇ,ଶିବପ୍ରସାଦ ପରିଡା,ଗଗନ ବିହାରୀ ପଟ୍ଟନାୟକ,କ୍ଷେତ୍ରବାସୀ ରାଉତ,ପଦ୍ମଚରଣ କରଣ,ନିଷ୍କାନ୍ତ ଖଟୁଆ,ଅଶୋକ ଦାସ,ବସନ୍ତ କୁମାର ମଲ୍ଲିକ,ସୃତିରଞ୍ଜନ ଧିର ଓ ରଞ୍ଜନ ବାଉଳ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।
ରେଳ ବିକାଶ କମିଟି ପକ୍ଷରୁ ଯାତ୍ରୀଙ୍କ ମୌଳିକ ସୁବିଧାର ଉନ୍ନତି ପାଇଁ ଆଲୋଚନା ଓ ଦାବି ଜୋର ଧରିଲା,
|
December 24, 2025 |



