ଭୁବନେଶ୍ୱର,୦୬/୦୨ (ସନ୍ଧାନ ନିୟୁଜ) : ୨୦୨୦-୨୧ ଆର୍ଥିକ ବର୍ଷର ରେଳ ବଜେଟରେ ଓଡ଼ିଶାକୁ ପୂର୍ବବର୍ଷ ତୁଳନାରେ ପ୍ରାୟ ୧୬୨୦କୋଟି ଟଙ୍କା କମ୍ ମିଳିଛି। ପୂର୍ବତଟ ରେଳପଥର ମୋଟ ପ୍ରକଳ୍ପ ବ୍ୟୟ ଅଟକଳ ଚଳିତ ଆର୍ଥିକବର୍ଷ ୫୯୯୩ କୋଟି ଟଙ୍କା ଥିବାବେଳେ ୨୦୨୦-୨୧ ଆର୍ଥିକ ବର୍ଷର ବଜେଟରେ ମାତ୍ର ୪୩୭୩ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ସମ୍ବଲପୁରର ମାନେଶ୍ୱରଠାରେ ନୂଆ ୱାଗନ ମରାମତି ୱାର୍କସପ୍ ସ୍ଥାପନ ପାଇଁ ବରାଦ ହୋଇଛି ୨୦କୋଟି ଟଙ୍କା। ଏନଟିପିସିର ଝାରସୁଗୁଡ଼ା-ବରପାଲି କୋଇଲା କରିଡରରେ ୧୪୦୦କୋଟି ଟଙ୍କାର ପ୍ରକଳ୍ପକୁ ମିଶାଇ ମୋଟ ୫୯୯୩ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। କୋଇଲା କରିଡ଼ର କାର୍ଯ୍ୟକ୍ଷମ ହୋଇସାରିଥିବାରୁ ଅନ୍ୟ ପ୍ରକଳ୍ପକୁ ବଜେଟରେ ସାମିଲ କରାଯାଇ ନାହିଁ।
ସେହିପରି ୨୪୧କିମିର ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀ ନୂଆ ରେଳଲାଇନ ନିର୍ମାଣ ପାଇଁ ୨୯୫୭କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ ନୀତି ଆୟୋଗଙ୍କ ଚୂଡ଼ାନ୍ତ ଅନୁମୋଦନ ଆବଶ୍ୟକ ବୋଲି କୁହାଯାଇଛି। ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳଲାଇନ ପାଇଁ ୫୨୦କୋଟି ଟଙ୍କା ମଞ୍ଜୁର ହୋଇଛି। ଚଳିତ ଆର୍ଥିକ ବର୍ଷରେ ଏହି ପ୍ରକଳ୍ପ ପାଇଁ ୩୫୦କୋଟି ଟଙ୍କା ଆବଣ୍ଟନ ହୋଇଥିଲା। ଅନୁଗୋଳ-ସୁକିନ୍ଦା ରେଳମାର୍ଗ ପାଇଁ ୪୫୦କୋଟି ଟଙ୍କା ଆବଣ୍ଟନ ହୋଇଛି। ୨୦୧୯-୨୦ରେ ଏଥିପାଇଁ ୨୫୦କୋଟି ଟଙ୍କା ଆବଣ୍ଟିତ ହୋଇଥିଲା।
ହରିଦାସପୁର-ପାରାଦୀପ ରେଳପଥ ନିର୍ମାଣ କାର୍ଯ୍ୟ ଚଳିତବର୍ଷ ମାର୍ଚ୍ଚ ସୁଦ୍ଧା ଶେଷକରି କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପ ଶେଷ କରିବା ପାଇଁ ବରାଦ ହୋଇଛି ମାତ୍ର ୧୦୦କୋଟି ଟଙ୍କା। ୨୦୧୯-୨୦ରେ ୪୦୦ କୋଟି ଟଙ୍କା ଆବଣ୍ଟିତ ହୋଇଥିଲା। ସମ୍ବଲପୁର-ତାଳଚେର, ଟିଟିଲାଗଡ଼-ରାୟଗଡ଼ା, ସମ୍ବଲପୁର-ଟିଟିଲାଗଡ଼ ଓ ଟିଟିଲାଗଡ଼-ରାୟପୁର ରେଳପଥର ଦୋହରାକରଣ କାର୍ଯ୍ୟ ମଧ୍ୟ କରାଯିବ। ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳପଥ ଓ ଲାଞ୍ଜିଗଡ଼ ରୋଡ୍-ଜୁନାଗଡ଼ ରୋଡ୍ ରେଳପଥର ବିଦ୍ୟୁତିକରଣ କାର୍ଯ୍ୟ ପ୍ରାଥମିକତା ଭିତ୍ତିରେ କରାଯିବ।