ରାଜ୍ୟ ସରକାରଙ୍କ ଦ୍ୱାରା ଅତିଶିଘ୍ର ନାରୀ ସୁରକ୍ଷା ପାଇଁ “ଶକ୍ତି ଶ୍ରୀ” ଯୋଜନାର ହେବ ଶୁଭାରମ୍ଭ

Spread the love

:୨୦/୭/୨୦୨୫( ସନ୍ଧାନ ନ୍ୟୁଜ) ମୋହନ ମାଝୀଙ୍କ ବଡ଼ ଘୋଷଣା । ବାଲେଶ୍ବର FM କଲେଜ ଛାତ୍ରୀ ମୃତ୍ୟୁ ଘଟଣା ପରେ ଏବେ ଚେତିଛନ୍ତି ସରକାର । ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆରମ୍ଭ ହେବ ଶକ୍ତିଶ୍ରୀ କାର୍ଯ୍ୟକ୍ରମ। କଲେଜ ଓ ୟୁନିଭର୍ସିଟିରେ ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର ସ୍ଥାପନ କରାଯିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । “ଶକ୍ତିଶ୍ରୀ ଆପ୍‌” ନାଁରେ ନୂଆ ମୋବାଇଲ ଆପ୍ କାର୍ଯ୍ୟକାରୀ ହେବ । ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର କୋଡ୍ ଅଫ୍ କଣ୍ଡକ୍ଟ ଲାଗୁ କରାଯିବ ।ସିଏମ୍ ମୋହନ ମାଝୀ କହିଛନ୍ତି, ‘ଲିଙ୍ଗଗତ ସମାନତା ନେଇ SAFE କ୍ୟାମ୍ପେନ୍‌ ଆୟୋଜନ କରାଯିବ । କ୍ୟାମ୍ପସ ସୁରକ୍ଷା ନେଇ କଲେଜଗୁଡିକ ନିଜର ବାର୍ଷିକ ରିପୋର୍ଟ ଡିସେମ୍ବର ୩୧ ସୁଦ୍ଧା ପ୍ରଦାନ କରିବେ । କଲେଜ ଓ ୟୁନିଭର୍ସିଟିରେ ୨୪ ଘଣ୍ଟିଆ ସିସିଟିଭି କ୍ୟାମେରା ଓ ମନିଟରିଂ ବ୍ୟବସ୍ଥା ରହିବ । କାର୍ଯ୍ୟସ୍ଥଳରେ ମହିଳାଙ୍କ ଯୌନ ଉତ୍ପୀଡ଼ନ ଆଇନ ନେଇ ଅନଲାଇନ କୋର୍ସ ପ୍ରଦାନ କରାଯିବ । ଶକ୍ତିଶ୍ରୀ ସାଥୀ, ଶକ୍ତିଶ୍ରୀ ସଂଯୋଜିକା ଓ ଶକ୍ତି ଅପାଙ୍କ ପାଇଁ କର୍ମଶାଳା “ଶକ୍ତି ସ୍ୱରୂପିଣୀ” ଆୟୋଜନ କରାଯିବ ।ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ୧୬ଟି ବିଶ୍ୱବିଦ୍ୟାଳୟ ଏବଂ ୭୩୦ଟି ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟମାନଙ୍କରେ “ଶକ୍ତିଶ୍ରୀ କାର୍ଯ୍ୟକ୍ରମ”ର ଶୁଭାରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଏକ ସୁରକ୍ଷିତ ଶୈକ୍ଷିକ ବାତାବରଣକୁ ସୁନିଶ୍ଚିତ କରାଇବା ସହିତ ଅଧ୍ୟୟନରତ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା ପ୍ରଶିକ୍ଷଣ ପ୍ରଦାନ କରିବା ଏବଂ ଛାତ୍ରୀମାନଙ୍କର ସଶକ୍ତିକରଣ ଓ ସର୍ବାଙ୍ଗୀନ ବିକାଶ ଦିଗରେ ଏହି କାର୍ଯ୍ୟକ୍ରମ କାର୍ଯ୍ୟ କରିବ।ପ୍ରତ୍ୟେକ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଏକ ସ୍ଥାୟୀ “ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର”ର ସ୍ଥାପନ କରାଯିବ ଯାହାକି ଛାତ୍ରୀମାନଙ୍କ ଦ୍ୱାରା ପରିଚାଳିତ ହେବ। ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ରରେ ଜଣେ ଛାତ୍ରୀ “ଶକ୍ତିଶ୍ରୀ ସାଥୀ” ଓ ଜଣେ ଅଧ୍ୟାପିକା “ଶକ୍ତିଶ୍ରୀ ସଂଯୋଜିକା” ଭାବରେ ଉକ୍ତ କେନ୍ଦ୍ରର ପରିଚାଳନା କରିବେ। ଏଥିସହ ଜିଲ୍ଲାପାଳଙ୍କ ଦ୍ୱାରା ମନୋନୀତ ହୋଇଥିବା ୫ଜଣ ବିଶିଷ୍ଟ କାର୍ଯ୍ୟରତ ମହିଳା “ଶକ୍ତି ଅପା” ଭାବରେ ପ୍ରତି ୩ ମାସରେ ଥରେ “ଶକ୍ତି ଅପା”ମାନେ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବେ ଏବଂ ଛାତ୍ରୀମାନଙ୍କ ପାଇଁ ମେଣ୍ଟର ଭଳି କାର୍ଯ୍ୟ କରିବେ । ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀ, ଅଧ୍ୟାପିକା ଏବଂ ମହିଳା କର୍ମଚାରୀମାନଙ୍କର ସୁରକ୍ଷା ଓ ସଶକ୍ତିକରଣ ଦିଗରେ ଏହି ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର କାର୍ଯ୍ୟ କରିବ। ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର ବାର୍ଷିକ ଏକ “୬ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ”ର ଆୟୋଜନ କରିବ । ଛାତ୍ରୀମାନଙ୍କୁ ବିଭିନ୍ନ ବ୍ୟାଚରେ ବିଭକ୍ତ କରାଯାଇ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ପ୍ରଦାନ କରାଯିବା ସହିତ ଆଇନଗତ ଅଧିକାର ତଥା ମାନସିକ ଯନ୍ତ୍ରଣା ସମ୍ବନ୍ଧରେ ମଧ୍ୟ ଶିକ୍ଷା ପ୍ରଦାନ କରାଯିବ। ଡିଜିଟାଲ ସୁରକ୍ଷାର ବିଭିନ୍ନ ଦିଗକୁ ନେଇ ସଚେତନ କରାଯିବ।

Related Posts

About The Author

Add Comment