ବାରିପଦା ୧୮/୦୮/୨୦୨୦ (ସନ୍ଧାନ ନିଉଜ)- ଜଘନ୍ୟ ବୀଭତ୍ସ ଓ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଯାଇଥିଲା ଗତ ୧୦ ତାରିଖରେ । ରାସ୍ତା ମଝିରେ ବାଇକ୍ରେ ଯାଉଥିବାବେଳେ ଜଣେ ଯୁବକଙ୍କୁ ଗଳା କାଟି ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତକୁ କପ୍ତିପଦା ପୁଲିସ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ବାରୁ ଖୁଣ୍ଡା ଗ୍ରାମର ବିନୋଦ ମିରିଡିଆ(୩୬) | ସୂଚନା ଅନୁସାରେ ହତ୍ୟାର ଶିକାର ହୋଇଥିଲେ କପ୍ତିପଦା ଥାନା ମଝିଗଡ଼ିଆ ପଞ୍ଚାୟତ ବାରୁଖୁଣ୍ଡା ଗ୍ରାମର ଜଗବନ୍ଧୁ ମିରିଡିଆ(୪୫) ସେ ଗତ ୧୦ ତାରିଖରେ ସକାଳ ୯ଟା ୩୦ ସମୟରେ ଘରୁ ବାହାରି ନିଜ ଭଉଣୀ ଘର ବାଲେଶ୍ଵର ଜିଲ୍ଲାର ଅଘିରାପଦା ଗ୍ରାମକୁ ବାଇକ୍ ଯୋଗେ (ଓଡି ୧୧୬୧୫୬ ) ଯାଉଥିଲେ । ଘରୁ ପ୍ରାୟ ୧ କିମି ଯିବା ପରେ ଜଙ୍ଗଲ ରାସ୍ତାରେ କେହି ଦୁର୍ବୁତ୍ତ ଧାରୁଆ ଅସ୍ତ୍ରରେ ତାଙ୍କ ଗଳା କାଟିବା ସହ ମୁହଁର ବିଭିନ୍ନ ସ୍ଥାନରେ କାଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ପ୍ରାୟ ୪ ଘଣ୍ଟା ପରେ ସେହି ଜଙ୍ଗଲକୁ ଗୋରୁ ଚରାଇ ଯାଇଥିବା ଲୋକେ ଦେଖିବା ପରେ ଘର ଲୋକଙ୍କୁ ଖବର ଦେଇଥିଲେ । ଘର ଲୋକେ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ଜଗବନ୍ଧୁଙ୍କ ମୃତ୍ୟୁ ହୋଇଯାଇଥିଲା । ଏ ସମ୍ପର୍କରେ ସେମାନେ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇବା ସହ ପୁଲିସକୁ ଖବର ଦେଇଥିଲେ। ଖବରପାଇ କପ୍ତିପଦା ଉପଖଣ୍ଡର – ଏସ୍ଡିପିଓ ଓ କପ୍ତିପଦା ଥାନାର ଭାରପ୍ରାପ୍ତ – ଅଧିକାରୀ ସଞ୍ଜୟ କୁମାର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଏହାସହ ସାଇଣ୍ଟିଫିକ୍ ଟିମ ମଧ୍ୟ ତଦନ୍ତ କରିଥିଲା । ଏହି ଘଟଣାକୁ ନେଇ ଜଗବନ୍ଧୁଙ୍କ ପତ୍ନୀ ଅମ୍ବିକା ମିରିଡ଼ିଆ କପ୍ତିପଦା ଥାନାରେ ଅଭିଯୋଗ କରିଥିଲେ । କପ୍ତିପଦା ପୁଲିସ୍ କେସ୍ ନମ୍ବର ୨୦୩/୨୦ରେ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି
ରଖିଥିଲା । ଆଜି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଉକ୍ତ ହତ୍ୟା ଘଟଣାର ହତ୍ୟାକାରୀ ତଥା ସେହି ବାରୁଖୁଣ୍ଡା ଗ୍ରାମର ବିନୋଦ ମିରିଡିଆ(୩୬)କୁ କପ୍ତିପଦା ପୁଲିସ ନିଜ ଘରୁ ଗିରଫ କରିଛି । ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ନିକଟସ୍ଥ ଜଙ୍ଗଲରୁ ଜବତ୍ କରିଛି । ଅର୍ଥ ନେଣଦେଣକୁ ନେଇ ଏହି ହତ୍ୟା ଘଟଣା ଘଟିଛି ବୋଲି । ଅଭିଯୁକ୍ତ ବିନୋଦ ପୁଲିସ ନିକଟରେ ପ୍ରକାଶ କରିଛି । ଆସନ୍ତାକାଲି ଅଭିଯୁକ୍ତ । ବିନୋଦକୁ କୋର୍ଟଚାଲାଣ କରାଯିବ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି ।



