ଜେନାପୁର/୦୩/୦୪ (ସନ୍ଧାନ ନ୍ୟୁଜ):ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଏଣ୍ଡଳବା ପଞ୍ଚାୟତ ଅଧୀନ ମାଳ ଗ୍ରାମରେ ଶକ୍ତି ସ୍ୱରୂପିଣୀ ମା’ ଘଣ୍ଟେଶ୍ୱରୀଙ୍କ ପ୍ରଥମ ବାର୍ଷିକ ଯଜ୍ଞ ମହୋତ୍ସବ ଚଳିତ ମାସ ୧୦/୦୪/୨୬/ ଠାରୁ ୧୪/୦୪/୨୬,ପର୍ଯ୍ୟନ୍ତ ପାଞ୍ଚଦିନ ଧରି ମାଙ୍କ ଯଜ୍ଞପାଇଁ ଏକ ଭବ୍ୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ଆରାଧ୍ୟା ଦେବୀଙ୍କ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ଅତି ଶୃଙ୍ଖଳିତ ଓ ଆଡ଼ମ୍ବର ସହକାରେ ପାଳନ କରିବା ପାଇଁ ଗ୍ରାମବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।
‘ ମା ଘଣ୍ଟେଶ୍ୱରୀଙ୍କ ପୀଠ ପ୍ରାଙ୍ଗଣରେ ଅନୁଷ୍ଠିତ ଏହି ବୈଠକରେ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି, ଯୁବ ଗୋଷ୍ଠୀ ଏବଂ ଶ୍ରଦ୍ଧାଳୁମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ଯଜ୍ଞର ସଫଳ ରୂପାୟନ ପାଇଁ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା। ବିଶେଷ କରି:
କଳସ ଯାତ୍ରା: ଯଜ୍ଞର ଶୁଭାରମ୍ଭରେ ଏକ ବିଶାଳ ଶୋଭାଯାତ୍ରା ଓ କଳସ ଯାତ୍ରା ଆୟୋଜନ କରାଯିବା ସହିତ ମାଙ୍କ ଆଜ୍ଞା ଅନୁଯାଇ ୧୧ ଖଣ୍ଡ ଗ୍ରାମରେ ମାଙ୍କ ପ୍ରତିମୃତିକୁ ପରିଭ୍ରମଣର କରାଯିବ,
ଯଜ୍ଞ କର୍ମକାଣ୍ଡ: ବାର୍ଷିକ ଉତ୍ସବ ଅବସରରେ ଶାସ୍ତ୍ରୀୟ ରୀତିନୀତି ଅନୁଯାୟୀ ବିଶ୍ୱଶାନ୍ତି ମହାଯଜ୍ଞ ଓ ମା’ଙ୍କର ବିଶେଷ ପୂଜାର୍ଚ୍ଚନା କରାଯିବ।
ଅନ୍ନ ପ୍ରସାଦ ସେବନ: ଆଗତ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନ ପ୍ରସାଦ ସେବନର ସୁବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି।
ସାଂସ୍କୃତିକ କାର୍ଯ୍ୟକ୍ରମ: ଯଜ୍ଞ ସନ୍ଧ୍ୟାରେ ଭଜନ କୀର୍ତନ ଏବଂ ଆଧ୍ୟାତ୍ମିକ ପ୍ରବଚନ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି।
ଉତ୍ସବକୁ ସଫଳ କରିବା ପାଇଁ ଏକ ସ୍ୱତନ୍ତ୍ର ପରିଚାଳନା କମିଟି ଗଠନ କରାଯାଇ ସମସ୍ତ ସଭ୍ୟଙ୍କୁ ଭିନ୍ନ ଭିନ୍ନ ଦାୟିତ୍ୱ ପ୍ରଦାନ କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ଓ ଭକ୍ତମାନଙ୍କ ସୁବିଧା ପାଇଁ ସ୍ୱେଚ୍ଛାସେବୀମାନେ ମଧ୍ୟ ପ୍ରସ୍ତୁତ ରହିଛନ୍ତି।
”ମା’ ଘଣ୍ଟେଶ୍ୱରୀଙ୍କ କୃପାରୁ ଗ୍ରାମରେ ଶାନ୍ତି ଓ ସମୃଦ୍ଧି ବିରାଜମାନ କରୁଛି। ଏହି ପ୍ରଥମ ବାର୍ଷିକ ଯଜ୍ଞ ଆମ ସମସ୍ତଙ୍କ ପାଇଁ ଏକ ଭକ୍ତିର ମହାକୁମ୍ଭ ସଦୃଶ। ଆମେ ସମସ୍ତେ ମିଳିମିଶି ଏହାକୁ ସଫଳ କରିବୁ ବୋଲି ସଂକଳ୍ପ କରିଛୁ,” ବୋଲି ବୈଠକରେ ଉପସ୍ଥିତ ଜଣେ ସଭ୍ୟ ପ୍ରକାଶ କରିଛନ୍ତି।
ମା’ଙ୍କ ମହିମାରେ ମାଳ ଗ୍ରାମ ଏବେ ଉତ୍ସବମୁଖର ହୋଇଉଠିଥିବା ବେଳେ, ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ମଧ୍ୟ ଏହି ଯଜ୍ଞକୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି।



