‘ଭିଏଲଡବ୍ଲ୍ୟୁଙ୍କ ଗଣଦୁଷ୍କର୍ମ ଓ ହତ୍ୟାକୁ ଲୁଚାଇବାକୁ ଅପରାଧୀଙ୍କ ମୁଖପାତ୍ର ସାଜିଛନ୍ତି ଯାଜପୁର ଏସପି’

Spread the love

୧୯/୧୦ (ସନ୍ଧାନ ନିୟୁଜ) ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଏହି ମାମଲାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ, ଭିଏଲଡବ୍ଲ୍ୟୁ ସ୍ମିତାରାଣୀ ବିଶ୍ୱାଳଙ୍କ ହତ୍ୟା ପ୍ରସଙ୍ଗରେ ଯାଜପୁର ଏସପି ଚରଣଜିତ ସିଂହ ମୀନାଙ୍କର ବୟାନ ହେଉଛି ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ର ଓରଫ ନାଣ୍ଡୁକୁ ଖସାଇଦେବା ପାଇଁ ଚାଲିଥିବା ଷଡ଼ଯନ୍ତ୍ରର ଏକ ସଂଳାପ । ଜଣେ ଦାୟିତ୍ୱ ସଂପନ୍ନ ପୁଲିସ୍ ଅଧିକାରୀ ମୃତ ସ୍ମିତାରାଣୀଙ୍କର ଚରିତ୍ରସଂହାର କରିବାକୁ ବି ପଛେଇଲେ ନାହିଁ। ହତ୍ୟା ଓ ଗଣଦୁର୍ଷ୍କମକୁ ଲୁଚାଇବା ପାଇଁ ସ୍ମିତା ଆତ୍ମହତ୍ୟା କରିଛନ୍ତି ବୋଲି ଆଜି ପୁଲିସ୍ କହିଲା ଯାହା ୨ ଦିନ ହେଲା ଅଭିଯୁକ୍ତ ରୂପେଶ କହୁଥିଲା। ଯାଜପୁର ଏସପି କ’ଣ ଅଭିଯୁକ୍ତ ରୂପେଶ ଓରଫ ନାଣ୍ଡୁ ଭଦ୍ରର ପ୍ରବକ୍ତା କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଶ୍ରୀମତୀ ସାମନ୍ତସିଂହାର ଏହି ମାମଲାରେ ଏସପିଙ୍କ ଭୂମିକାକୁ କଡ଼ା ସମାଲୋଚନା କରି କହିଛନ୍ତି ଯେ, ଅଧପନ୍ତରିଆ ତଦନ୍ତ କରି ଏସପି ଶ୍ରୀ ମୀନା ଯେଭଳି ବୟାନବାଜି କଲେ ତାହା ଅତ୍ୟନ୍ତ ନିନ୍ଦନୀୟ ଏବଂ ତଦନ୍ତକୁ ପ୍ରଭାବିତ କରିବା ପାଇଁ ଅପଚେଷ୍ଟା । ଯଦି ଏସପି ମୀନା ଗଣମାଧ୍ୟମକୁ ସମ୍ବୋଧିତ କଲେ ତା’ହେଲେ ବିଜେପି ପଚାରିଥିବା ମୌଳିକ ପ୍ରଶ୍ନର ଜବାବ କ’ଣ ପାଇଁ ରଖିଲେନି । ଗେଷ୍ଟହାଉସ ସିସିଟିଭି ଫୁଟେଜ କୁଆଡ଼େ ଗଲା? ଗଣଦୁଷ୍କର୍ମ ଏବଂ ହତ୍ୟା ହୋଇଥିବା ଘଟଣାସ୍ଥଳ ଏବଂ ଗେଷ୍ଟହାଉସ୍ କଣ ପାଇଁ ପୁଲିସ ସିଲ କଲା ନାହିଁ। ଯେଉଁ ସ୍କର୍ପିଓରେ ମୃତ ସ୍ମିତାରାଣୀଙ୍କୁ ଡାକ୍ତରଖାନା ନିଆଗଲା ସେ ଗାଡ଼ି କାହାର ଏବଂ ସେ ଗାଡ଼ିକୁ ପୁଲିସ କଣ ପାଇଁ ସିଜ୍ କରି ନାହିଁ ? ଘଟଣା ସମୟରେ ଗେଷ୍ଟହାଉସରେ ଥିବା ବାକି ୪ଜଣ ଅଭିଯୁକ୍ତ ଯେଉଁଥିରେ ୨ଜଣ ବିଜେଡିର ସମିତି ସଭ୍ୟ, ଜଣେ ଜିଲ୍ଲା ପରିଷଦ ସଦସ୍ୟ ଏବଂ ଜଣେ ରାମକୋ ସିମେଣ୍ଟର ଉଚ୍ଚ ପଦାଧିକାରୀ ଥିଲେ ସେମାନଙ୍କର ଏହି ହତ୍ୟାକାଣ୍ଡରେ ଭୂମିକା କ’ଣ ଥିଲା? ଏହା କ’ଣ ‘ମୋ ସରକାର’ର ୫-ଟି।

ଶାସକ ବିଜେଡିର ପ୍ରଭାବଶାଳୀ ଅପରାଧିକ ନେତାମାନଙ୍କୁ ଖସାଇଦେବା ପାଇଁ ଏହି ଜଘନ୍ୟ ହତ୍ୟାକାଣ୍ଡର ତଥ୍ୟପ୍ରମାଣକୁ ନଷ୍ଟ କରିବା ପାଇଁ ଯାଜପୁର ପୁଲିସ୍ ଏବେ ଅଣ୍ଟା ଭିଡ଼ିଛି । ଓଡ଼ିଶାର ମହିଳାମାନଙ୍କୁ ଜୀବିତ ଅବସ୍ଥାରେ କିଭଳି ଅସମ୍ମାନ କରାଯାଉଛି ସବୁଦିନ ଏହାର ଦୃଷ୍ଟାନ୍ତ ମିଳୁଛି । କିନ୍ତୁ ମରିସାରିବା ପରେ ମଧ୍ୟ ଜଣେ ଓଡ଼ିଆ ସଧବା ମହିଳାର ଚରିତ୍ର ହନନ କରିବାକୁ ଯାଜପୁର ଏସପି ପଛଘୁଂଚା ବି ଦେଲେନି। ଓଡ଼ିଶାର ମା’ ଭଉଣୀମାନଙ୍କୁ ଗଣଦୁଷ୍କର୍ମ କରି ହତ୍ୟା କରିବା ଏବଂ କ୍ଷମତା ଲୋଭରେ ମହିଳାମାନଙ୍କୁ ବିଜେଡି ବଳି ପକାଇବା କ’ଣ ରାଜ୍ୟସରକାରଙ୍କ ‘ଟ୍ରାନ୍ସଫରମେସନ’ ବୋଲି ଡ.ସାମନ୍ତ ସିଂହାର ପ୍ରଶ୍ନ କରିଛନ୍ତି।
ଏହି ହତ୍ୟା ଘଟଣାର ତଦନ୍ତ ଭାର ତୁରନ୍ତ ସିବିଆଇକୁ ଦିଆଯାଉ ଓ ସ୍ମିତାରାଣୀର ପରିବାରକୁ ନ୍ୟାୟ ନମିଳିଲେ ବିଜେପି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଶ୍ରୀମତୀ ସାମନ୍ତସିଂହାର ଚେତାବନୀ ଦେଇଛନ୍ତି।

Related Posts

About The Author

Add Comment