ଭୁବନେଶ୍ବର, (ସନ୍ଧାନ ନ୍ୟୁଜ୍): ପ୍ରସ୍ତର ଯୁଗର ଅବଶେଷ ଉଭୟ ଶ୍ରୀଲଙ୍କା ଉପକୂଳ ଓ ତାମିଲନାଡୁ ଉପକୂଳ ମଧ୍ୟରେ ଅନେକ ସାମଞ୍ଜସ୍ୟ ଦେଖିବାକୁ ମିଳିଥିବାରୁ ଭାରତ–ଶ୍ରୀଲଙ୍କା ସମ୍ପର୍କ ପ୍ରାଗୈତିହାସିକ ସମୟରୁ ରହିଆସିଛି ବୋଲି ଶ୍ରୀଲଙ୍କାର ଭିକ୍ଷୁ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଭେନେରେବଲ ଉଡିୱାଲା ଉପରଥାନା କହିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାଚୀନ ଭାରତୀୟ ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଆୟୋଜିତ “ପୁରାତତ୍ତ୍ୱ ଗବେଷଣାର ବିଭିନ୍ନ ଦିଗ ଓ ନୂତନ ଦୃଷ୍ଟିକୋଣ” ବିଷୟକ ଦୁଇଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀରେ ସେ ଏହା ଉଲ୍ଲେଖ କରିଥିଲେ। ସମ୍ମିଳନୀରେ କୁଳପତି ପ୍ରଫେସର ଯଜ୍ଞେଶ୍ୱର ଦଣ୍ଡପାଟ ମୁଖ୍ୟ ଅତିଥି ଓ ପ୍ରଫେସର କିଶୋର କୁମାର ବାସା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଓଡ଼ିଶାର ପ୍ରାଗୈତିହାସିକ ସଂସ୍କୃତି ଓ ନୌବାଣିଜ୍ୟର ଭୂମିକା ଉପରେ ଆଲୋଚନା କରିଥିଲେ, ଯେଉଁଥିରେ ପ୍ରଫେସର ସୁସ୍ମିତ ପ୍ରସାଦ ପାଣି ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ଅବସରରେ “ଆମ ଐତିହ୍ୟ” ପକ୍ଷରୁ ପ୍ରକାଶିତ “History, Culture and Archaeology of North Odisha” ପୁସ୍ତକଟିକୁ ପ୍ରକାଶକ ମନସ କୁମାର ରାଉତ ଓ ସମ୍ପାଦକ ନିରଞ୍ଜନ ରାଉତଙ୍କ ସହ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା। ଶ୍ରୀଲଙ୍କାରୁ ପ୍ରାୟ ୨୪ ଜଣ ପ୍ରତିନିଧି ସହ ଭାରତର ବିଭିନ୍ନ ରାଜ୍ୟର ଗବେଷକମାନେ ଅଂଶଗ୍ରହଣ କରିଥିବାବେଳେ ଡ଼. ଅନାମ ବେହେରା ଅତିଥି ପରିଚୟ ଓ ସମ୍ମିଳନୀ ବିଷୟରେ ଉପସ୍ଥାପନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ସଞ୍ଜୟ ଆଚାର୍ଯ୍ୟ, ଡ଼. ଉମାକାନ୍ତ ମିଶ୍ର, ବଳରାମ ତ୍ରିପାଠୀ, ସଙ୍ଗୀତା ମିଶ୍ର, କୈବଲ୍ୟ ଚରଣ ପତି, ସବ୍ୟସାଚୀ ନାୟକ, ଆକାଶ ବିଶ୍ୱାଳ ଓ ରମାକାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଉଦ୍ଯାପନୀ ଦିବସରେ ପ୍ରଫେସର ସୁବ୍ରତ ଆଚାର୍ଯ୍ୟ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଭାରତ–ଶ୍ରୀଲଙ୍କାର ପୁରାତନ ସମ୍ପର୍କ ବିଷୟରେ ପ୍ରତ୍ନତାତ୍ତ୍ୱିକ ଓ ସାହିତ୍ୟିକ ଉଦାହରଣ ସହ ଆଲୋଚନା କରିଥିଲେ ଓ ମଣିପୁରର ପ୍ରଫେସର ଡ଼. ସୁଧୀର କୁମାର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଶେଷରେ ଡ଼. ସୁଶାନ୍ତ କୁମାର ପାତ୍ର ଧନ୍ୟବାଦ ଜଣାଇଥିଲେ ଏବଂ ଦୁଇ ଦିନ ଧରି ଗବେଷଣା ପତ୍ର ପ୍ରଦର୍ଶନ ସହ ପ୍ରତ୍ନତାତ୍ତ୍ୱିକ ଓ ଐତିହାସିକ ଛବି ପ୍ରଦର୍ଶନୀ ଆୟୋଜିତ ହୋଇଥିଲା।
ଭାରତ–ଶ୍ରୀଲଙ୍କା ସମ୍ପର୍କ ପ୍ରାଗୈତିହାସିକ ସମୟରୁ ରହିଛି: ପୁରାତତ୍ତ୍ୱ ଗବେଷଣାର ବିଭିନ୍ନ ଦିଗ ଓ ନୂତନ ଦୃଷ୍ଟିକୋଣ” ବିଷୟକ ଦୁଇଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ
|
March 26, 2026 |



