ନୂଆଦିଲ୍ଲୀ ୧୦ /୦୭ (ସନ୍ଧାନ ନିଉଜ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସି ବ୍ୟବସ୍ଥାରେ ଇଣ୍ଡିଆ ଗ୍ଲୋବାଲ ସପ୍ତାହର ଉଦ୍ଘାଟନ ଉତ୍ସବରେ ଉଦବୋଧନ ଦେଇଛନ୍ତି। ସାଂପ୍ରତିକ କାଳର ସଂକଟ ସଂପର୍କରେ ଉଲ୍ଲେଖ କରି ସେ କହିଛନ୍ତି ଯେ ବିଶ୍ୱର ପୁନରୁଦ୍ଧାର ପ୍ରକ୍ରିୟାରେ ଭାରତ ଏକ ପ୍ରମୁଖ ଭୂମିକା ନିର୍ବାହ କରୁଛି। ଏହା ଦୁଇଟି ବିଷୟ ସହ ନିବିଡଭାବେ ସଂପୃକ୍ତ। ପ୍ରଥମଟି ହେଲା ଭାରତର ପ୍ରତିଭା ଏବଂ ଦ୍ୱିତୀୟଟି ହେଲା ସଂସ୍କାର ଓ ନବଜୀବନ ଫେରିପାଇବାରେ ଭାରତର ଦକ୍ଷତା। ସେ କହିଛନ୍ତି ଯେ ସମଗ୍ର ବିଶ୍ୱ ଭାରତର ପ୍ରତିଭାବାନ ଲୋକଶକ୍ତିକୁ ଉଚ୍ଚ ମାନ୍ୟତା ଦେଇଛି। ବିଶେଷକରି ଭାରତୀୟ ପ୍ରଯୁକ୍ତି ଉଦ୍ୟୋଗ ଓ ବୈଷୟିକ ବୃତ୍ତିଧାରୀମାନଙ୍କର ଅବଦାନକୁ ସମସ୍ତେ ସ୍ୱୀକାର କରୁଛନ୍ତି।
ଭାରତକୁ ପ୍ରଧାନମନ୍ତ୍ରୀ ପ୍ରତିଭାର ଏକ ଶକ୍ତିକେନ୍ଦ୍ର ଭାବେ ବର୍ଣ୍ଣନା କରି କହିଛନ୍ତି ଯେ ଏହି ପ୍ରତିଭାତନ୍ତ୍ର ନିଜର ସାମର୍ଥ୍ୟମତେ ସମଗ୍ର ବିଶ୍ୱକୁ ତାର ଅବଦାନ ଦେବାରେ ଆଗ୍ରହୀ। ଭାରତୀୟମାନେ ସ୍ୱଭାବିକଭାବେ ସଂସ୍କାରପ୍ରେମୀ ଏବଂ ଇତିହାସ ପ୍ରମାଣ କରିଛି ଯେ ପ୍ରତ୍ୟେକ ସାମଜିକ ଓ ଆର୍ଥିକ ଆହ୍ୱାନକୁ ଭାରତ ସଫଳତାର ସହ ଅତିକ୍ରମ କରିଛି। ସେ କହିଛନ୍ତି ଯେ ଭାରତ ଯେତେବେଳେ ପୁନରୁତ୍ଥାନ ଓ ପୁନରୁଦ୍ଧାର କଥା କହେ ସେତେବେଳେ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାରେ ଅର୍ଥନୀତି, ପରିବେଶ ଆଦି ବିଭିନ୍ନ କ୍ଷେତ୍ରରେ ଯତ୍ନ, ଅନୁକମ୍ପା ଓ ନିରନ୍ତରତା ଆଦିକୁ ଗୁରୁତ୍ୱ ଦିଏ। ଗତ ୬ ବର୍ଷ ମଧ୍ୟରେ ଭାରତର ଉପଲବ୍ଧି ତାଲିକା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ସମୟ ମଧ୍ୟରେ ଭାରତରେ ସବୁ ନାଗରିକ ଆର୍ଥିକ ସମାବେଶୀ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଏହି ସମୟରେ ମଧ୍ୟ ଆବାସ ଓ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ରେକର୍ଡ ପ୍ରତିଷ୍ଠା ହୋଇଛି। ବାଣିଜ୍ୟ ବ୍ୟବସାୟକୁ ସୁଗମ କରିବାର ପ୍ରକ୍ରିୟା ସହଜ ଓ ବିଶ୍ୱାସଯୋଗ୍ୟ ହୋଇଛି ଏବଂ ଜିଏସଟି ସମେତ ଟିକସ ସଂସ୍କାର କ୍ଷେତ୍ରରେ ଭାରତ ଉଲ୍ଲେଖନୀୟ ସଫଳତା ହାସଲ କରିଛି।