ଭୁବନେଶ୍ଵର, ୨୦/୧୨ (ସନ୍ଧାନ ନିଉଜ) : ପ୍ରଥମଥର ପାଇଁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁୂ ରାଜ୍ୟର ପ୍ରମୁଖ ପାନ୍ଥନିବାସରେ ବିବାହ ଆୟୋଜନ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରାଯାଇଛି। ପ୍ରାକୃତିକ ସୌନ୍ଦର୍ଯ୍ୟଘେରା ପରିବେଶ ମଧ୍ୟରେ ସମ୍ପୂର୍ଣ୍ଣ ବିବାହ ଉତ୍ସବର ଦାୟିତ୍ୱ ଓଟିଡିସି ନେବ। ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକମାନେ ଏହି ପ୍ୟାକେଜର ସୁବିଧା ନେବାକୁ କୁହାଯାଇଛି। ଏହାସହିତ ଓଟିଡିସି ପକ୍ଷରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ ପାଇଁ କେତେକ ନୂଆ ପଦକ୍ଷେପ ମଧ୍ୟ ନିଆଯାଇଛି।
ଗୁରୁବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଆଗାମୀ ବିବାହ ଋତୁକୁ ଆଖିରେ ରଖି ଓଟିଡିସି ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୬ଟି ପାନ୍ଥନିବାସ ଯଥା ଗୋପାଳପୁର, ରମ୍ଭା, କୋଣାର୍କ, ପୁରୀ, ଚାନ୍ଦିପୁର ଓ ବଡ଼କୂଳରେ ବିବାହ ପ୍ୟାକେଜ୍ ଉପଲବ୍ଧ ହେବ। ଏହି ବ୍ୟବସ୍ଥା ଅନୁସାରେ ମେହେନ୍ଦି ରସମଠୁ ଆରମ୍ଭ କରି ବିବାହ ସାଜସଜ୍ଜା, ବିବାହ ପଦ୍ଧତି, ଭିଡିଓଗ୍ରାଫି, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପାଖାପାଖି ଦର୍ଶନୀୟ ସ୍ଥାନକୁ ଭ୍ରମଣ ସୁବିଧା ଓଟିଡିସି ପକ୍ଷରୁ ଯୋଗାଇ ଦିଆଯିବ। ବିବାହର ସମ୍ପୂର୍ଣ୍ଣ ଆୟୋଜନ ସହିତ ନବଦମ୍ପତିଙ୍କ ପାଇଁ ହନିମୁନ୍ ପ୍ୟାକେଜର ମଧ୍ୟ ବ୍ୟବସ୍ଥା ରହିଛି।
ଏହାବ୍ୟତୀତ ପଶ୍ଚିମ ଓଡ଼ିଶାର କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାର ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ବୁଲିବା ନିମନ୍ତେ ୨ଟି ବସସେବାର ବ୍ୟବସ୍ଥା ଖୁବଶୀଘ୍ର ଆରମ୍ଭ କରାଯିବ। ଚିଲିକା ଭିତରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ଖାଇବା ବ୍ୟବସ୍ଥା ଯୋଗାଇ ଦେବାକୁ ମଧ୍ୟ ଖୁବଶୀଘ୍ର ଭାସମାନ ରେଷ୍ଟୁରାଣ୍ଟ ଓ ହାଉସ୍ ବୋଟ ବ୍ୟବସ୍ଥା ଆରମ୍ଭ କରାଯାଉଛି।


