ବିକାଶର କୌଣସି ଦଳ କିମ୍ବା ବର୍ଗ ନଥାଏ : ଅପରାଜିତା

Spread the love

ରାଉରକେଲା, ୨୫/୮ (ସନ୍ଧାନ ନିଉଜ) : ବିକାଶର କୌଣସି ଦଳ କି ବର୍ଗ ନଥାଏ ବୋଲି ଦିନିକିଆ ରାଉରକେଲା ଗସ୍ତରେ ଖୋର୍ଦ୍ଦା ସାଂସଦ ଅପରାଜିତା ଷଡଙ୍ଗୀ ରାଉରକେଲା ହାଉସ ଠାରେ ସଂଧ୍ୟାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନିଜ ପ୍ରତିକ୍ରୀୟାରେ ପ୍ରକାଶ କରିଥିଲେ । ରାଜ୍ୟ ରାଜଧାନୀ ଭୁବନେଶ୍ୱର ଭଳି ରାଉରକେଲା ସ୍ମାର୍ଟ ସିଟି ହୋଇଥିଲେ ମଧ୍ୟ ଏଠାକାର ବିକାଶ ସମପରିମାଣ ହେଉନଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ । ପ୍ରାୟ ୩୯୬ କୋଟି ଟଙ୍କା ଚଳିତ ଆର୍ଥିକ ବର୍ଷରେ ରାଉରକେଲା ସ୍ମାର୍ଟ ସିଟିର ବିକାଶ ପାଇଁ ଆସିଥିଲେହେଁ, ତାହା ଖର୍ଚ୍ଚ ହୋଇନପାରିବା ଅତ୍ୟନ୍ତ ପରିତାପର ବିଷୟ । ସେ ଏ ସମ୍ପର୍କରେ ରାଉରକେଲା ସ୍ମାର୍ଟ ସିଟିର ଏପରି ସ୍ଥାଣୁତା ଓ ଅପାରଗତା ସମ୍ପର୍କରେ ନଗର ଉନ୍ନୟନ ବିଭାଗ ଓ କେନ୍ଦ୍ର ସରକାରଙ୍କୁ ଅବଗତ କରାଇବେ ବୋଲି ଗଣମାଧ୍ୟମକୁ ସୂଚାଇଥିଲେ । ଆଜି ଦିନିକିଆ ଗସ୍ତ ଅବସରରେ ଅପରାଜିତା ରାଉରକେଲାର ଅନେକ ଅଂଚଳ ପରିଦର୍ଶନ କରିଥିବା ବେଳେ ବିଭିନ୍ନ ସ୍ଥାନରୁ ଡଷ୍ଟବିନରୁ ଅଳିଆ ଅବର୍ଜନା ସଫେଇ ନହେବା ମହାନଗର ନିଗମ ତଥା ସ୍ମାର୍ଟ ସିଟିର ଅପାରଗତା ବୋଲି ପ୍ରକାଶ କରିବା ସହ ଅତିକମରେ ସେ ଆଜି ଦିନରେ ୧୫ରୁ ଉର୍ଦ୍ଧ ଡଷ୍ଟବିନ ସଫେଇ ନହୋଇ ଅଂଚଳକୁ ପ୍ରଦୂଷିତ କରୁଥିବା ଖୋଦ ଅନୁଭବ କରିଥିବା ଗଣମାଧ୍ୟମକୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ।
ଏନଆଇଟିର ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଆସିଥିବା ସାଂସଦ ଅପରାଜିତା ଷଡଙ୍ଗୀ ଆଜି ସକାଳେ ରାଜ୍ୟରାଣୀ ଏକ୍ସପ୍ରେସ ଯୋଗେ ରାଉରକେଲା ଷ୍ଟେସନ ପହଂଚିବା ପରେ ତାଙ୍କୁ ପାନପୋଷ ସାଙ୍ଗଠନିକ ଜିଲ୍ଲା ବିଜେପି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଶ୍ରୀମତୀ ଷଡଙ୍ଗୀ ଆଜି ପୂର୍ବାହ୍ନରେ ରାଉରକେଲାରେ ମହିଳା ମୋର୍ଚ୍ଚା ଏବଂ ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବଣାଇଁ ଓ ପାନପୋଷ ଉପଖଣ୍ଡର ପ୍ରାୟ ୨ଶହରୁ ଉର୍ଦ୍ଧ ଯୁବ ସଙ୍ଗଠକଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ସେ ପ୍ରତ୍ୟେକ ବୁଥକୁ ମଜବୁତ କରିବା ଉପରେ ଅଧିକ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରାଥମିକତାରେ ଥିବା ୫ଟି ଜିନିଷ ତଥା ପ୍ରତ୍ୟେକ ଘରେ ଶୌଚାଳୟ, ପ୍ରତ୍ୟେକ ଘରେ ବିଦୁ୍ୟତକରଣ, ପ୍ରତ୍ୟେକ ଘରକୁ ପାଇପ ଜଳଯୋଗାଣ, ପ୍ରତ୍ୟେକ ଘରକୁ ଗ୍ୟାସ ଚୁଲା ଓ ପ୍ରତ୍ୟେକଙ୍କୁ ଛାତ ଘର ଲକ୍ଷ୍ୟ ସାଧାରଣରେ ପହଂଚାଇବା ପାଇଁ ସେ ସ୍ଥାନୀୟ ନେତୃବୃନ୍ଦଙ୍କୁ ଆହ୍ୱାନ ଦେଇଥିଲେ । ତେବେ ଖୋର୍ଦ୍ଧା ସାଂସଦଙ୍କ ଗସ୍ତ ବେଳେ ସୁନ୍ଦରଗଡ଼ ସାଂସଦ ଜୁଏଲଙ୍କ ଅନୁପସ୍ଥତିକୁ ନେଇ ଗଣମାଧ୍ୟମର ପ୍ରଶ୍ନକୁ ଅତି ଚତୁରତାର ସହ ସେ ଏଡ଼ାଇ ଦେଇ ଦଳ ନିତୀ ଆଦର୍ଶରେ ପରିଚାଳିତ ହେଉଥିବା ପ୍ରକାଶ କରିଥିଲେ । ସେହିଭଳି ନିଜ ଆବାସିକ କାର୍ଯ୍ୟାଳୟ ଆଧୁନିକୀକରଣରେ ପ୍ରାୟ ୭୦ଲକ୍ଷ ଟଙ୍କା ବ୍ୟୟ କରିଥିବା ପୂର୍ବତନ ମହାନଗର ନିଗମ କମିଶନର ତଥା ଜିଲ୍ଲାପାଳ ରଶ୍ମିତା ପଣ୍ଡାଙ୍କ ବିବାଦୀୟ ଘଟଣା ବାବଦରେ ସେ ଲୋକୟୁକ୍ତଙ୍କ ନିକଟରେ ମାମଲା ବିଚାରଧିନ ଥିବା କଥା କହି ଏଡ଼ାଇ ଯାଇଥିଲେ । ସାମ୍ବାଦିକ ସମ୍ମିଳନୀରେ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ତଲସରା ବିଧାୟକ ଭବାନୀ ଶଙ୍କର ଭୋଇ, ସୁନ୍ଦରଗଡ଼ ବିଜେପି ଜିଲ୍ଲା ସଭାପତି ବଟକୃଷ୍ଣ ମିଶ୍ର, ପାନପୋଷ ସାଙ୍ଗଠନିକ ଜିଲ୍ଲା ସଭାପତି ଜଗବନ୍ଧୁ ବେହେରା, ବିଜେପିର ମୁଖପାତ୍ର ଗଙ୍ଗାଧର ଦାଶ ଓ ଭଗବାନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Related Posts

About The Author

Add Comment