ନଇଡ଼ା, ୧୧/୨(ସନ୍ଧାନ ନିୟୁଜ) : ଶନିବାର ରାତିରେ ନଇଡ଼ା ସେକ୍ଟର୍ ୫୨ସ୍ଥିତ ହୋସିୟାର୍ପୁର ଗାଁ’ରେ ବରଯାତ୍ରୀଙ୍କ ନାଚ ଯୋଗୁଁ ଗୋଟାଏ ପୋଲ ଭୁଶୁଡ଼ି ପଡ଼ିବାରୁ ବର ସମେତ ବରଯାତ୍ରୀର ୧୫ ଜଣ ଲୋକ ନର୍ଦ୍ଦମାରେ ଗଳିପଡ଼ିଛନ୍ତି। ଏ ଘଟନାରେ ୮ ବର୍ଷରୁ କମ୍ ଦୁଇ ଜଣ ପିଲା ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଏକ ଘରୋଇ ଡାକ୍ତରଖାନା ନିଆଯାଇଥିଲା।
ରାତି ପ୍ରାୟ ୯:୩୦ରେ ବର ସମେତ ୧୫ ଜଣ ଯାତ୍ରୀ ସେ ଛୋଟ ପୋଲଟି ଉପରେ ନାଚ କରୁଥିବା ବେଳେ ହଠାତ୍ ସେଇଟି ଭୁଶୁଡ଼ି ପଡ଼ିଥିଲା। ନର୍ଦ୍ଦମା ଉପରେ ନିର୍ମିତ ଏଇ ପୋଲଟି ଅଲିଭ୍ ଗାର୍ଡେନ୍ର ଭୋଜନ କୋଠରି ଫାଟକରୁ ଲନ୍କୁ ସଂଯୋଗ କରୁଥିଲା। ଦେଖଣାହାରିଙ୍କ କହିବାନୁସାରେ, ପ୍ରାୟ ୧୦ ମିନିଟ୍ ଧରି ବାହାଘର ପଟୁଆର ସେ ପୋଲ ଉପରେ ନାଚ କରୁଥିଲା।
ଘଟନା ପରେ ପରେ ସେଠାରେ ବଡ଼ ଗୋଳମାଳିଆ ପରିସ୍ଥିତି ଉପୁଜିଥିଲା। କନ୍ୟା ପରିବାର ଭୋଜନ ଗୃହ ମାଲିକଙ୍କୁ ନଗତ ୩ ଲକ୍ଷ ଟଙ୍କା ଦେବା ପରେ ପୁଣି ବାହାଘର ଚାଲୁ ହୋଇଥିଲା। ବର ହେଉଛନ୍ତି ଗାଜିଆବାଦସ୍ଥିତ ଇନ୍ଦ୍ରପୁରମ୍ର ୩୫ ବର୍ଷିୟ ବ୍ୟବସାୟୀ ଅମିତାଭ ଯାଦବ ଓ ଦିଲ୍ଲୀ କୋଣ୍ଡଲିର ୩୨ ବର୍ଷୀୟ କନ୍ୟା ସୋନମ। ସୋନମଙ୍କ ବାପା ଫୁଲ କୁମାର ବାହାଘର ପାଇଁ ଫେବ୍ରୁଆରି ୯ ତାରିଖରେ ସେ ବିବାହସ୍ଥଳ ବୁକ୍ କରିଥିଲେ।
ଘଟନା ସମୟରେ କନ୍ୟାପକ୍ଷ ବରଯାତ୍ରୀଙ୍କୁ ସ୍ୱାଗତ କରିବାକୁ ପୋଲର ଆରମୁଣ୍ଡରେ ଠିଆ ହୋଇଥିଲେ।
ଘଟନା ସଂକ୍ରାନ୍ତରେ ପାରସ୍ପରିକ ବୁଝାମଣା ହୋଇଯିବାରୁ କୌଣସି ପକ୍ଷ ଥାନାରେ ଅଭିଯୋଗ କରି ନ ଥିବା କଥା ପୁଲିସ କହିଛି।



